‘ମୁଁ ଶ୍ରଦ୍ଧା…ସେ ମୋତେ ଖଣ୍ଡ ଖଣ୍ଡ କରିଦେବ’! ଦୁଇ ବର୍ଷ ତଳେ ଆଫ୍‌ତାବଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ ଶ୍ରଦ୍ଧା, ଦେଖନ୍ତୁ କ’ଣ ଲେଖା ହୋଇଛି ଚିଠିରେ

ଗତ କିଛି ଦିନ ହେବ ଶ୍ରଦ୍ଧା ହତ୍ୟା ମାମଲା ପୂରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ନିଜ ପ୍ରେମିକାଙ୍କୁ ୩୫ ଖଣ୍ଡ କରିଥିବା ଅଭିଯୁକ୍ତ ଆଫ୍‌ତାବଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ଆଫ୍‌ତାବଠାରୁ ଶ୍ରଦ୍ଧାଙ୍କୁ ନିଜ ଜୀବନ ପ୍ରତି ବିପଦ ଲମ୍ବା ସମୟରୁ ରହି ଆସିଥିଲା। ଏହାର ପ୍ରମାଣ ମିଳିଛି ଏକ ପୋଲିସ ଅଭିଯୋଗ ଫର୍ଦ୍ଦରୁ, ଯାହାକୁ ଶ୍ରଦ୍ଧା ଦୁଇ ବର୍ଷ ପୂର୍ବେ ଥାନାରେ ଦାୟର କରିଥିଲେ। ଏହି ଅଭିଯୋଗର ଏକ କପି ଏବେ ସୋସିଆଲ ମିଡିଆ ମାଧ୍ୟମରେ ସାମ୍ନାକୁ ଆସିଛି।

୨୦୨୦ରେ ଶ୍ରଦ୍ଧା ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏଥିରେ ଲେଖିଥିଲେ କି, ମୁଁ ଶ୍ରଦ୍ଧା ବିକାଶ ଓ୍ଵାଲକର, ଆଫ୍‌ତାବ ଅମିନ ପୁନାଓ୍ଵାଲାଙ୍କ ବିରୋଧରେ ଅଭିଯୋଗ କରିବାକୁ ଚାହୁଁଛି, ଯିଏ ବର୍ତ୍ତମାନ ବି-୩୦୨, ରିଗଲ ଆପାର୍ଟମେଣ୍ଟରେ ରହୁଛି। ସେ ମୋତେ ଆଜି ଜୀବନରୁ ମାରିଦେବାକୁ ଚେଷ୍ଟା କରିଛି। ସେ ସବୁବେଳେ ମୋତେ ଡରାଉଛି ଏବଂ ବ୍ଲାକ୍‌ମେଲ କରୁଛି କି, ସେ ମୋତେ ମାରିଦେବ। ମୋତେ ଖଣ୍ଡ ଖଣ୍ଡ କରି ଫିଙ୍ଗି ଦେବ। ୬ ମାସ ହେବ ସେ ଲଗାତାର ମୋତେ ମାରୁଛି। ପ୍ରଥମେ ମୋତେ ପୋଲିସ ନିକଟକୁ ଯିବାକୁ ସାହସ ନ ଥିଲା, କାହିଁକି ନା, ମୁଁ ବହୁତ ଡରି ଯାଇଥିଲି। ତା’ ବାପା, ମାଆଙ୍କ ପାଖରେ ଏ ନେଇ ଖବର ଅଛି। ସେମାନେ ଆମ ସମ୍ପର୍କ ବିଷୟରେ ସବୁକିଛି ଜାଣିଛନ୍ତି। ମୁଁ ତା’ ସାଥୀରେ ରହିଲି, କାହିଁକି ନା, ଆମକୁ ବିବାହ କରିବାର ଥିଲା, ସେ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏବେ ମୁଁ ଆଫ୍‌ତାବ ସହିତ ରହିବାକୁ ଚହୁଁନାହିଁ। ମୁଁ କୌଣସି ବି ପ୍ରକାରର ଶାରୀରିକ କଷ୍ଟ ଆଉ ସହି ପାରିବି ନାହିଁ। ଯେତେବେଳେ ସେ ମୋତେ କେଉଁଠି ବି ଦେଖେ, ଆଘାତ ଦିଏ’।

ଏହାରି ଭିତରେ ଶ୍ରଦ୍ଧା ହତ୍ୟା ମାମଲାରେ ଦିଲ୍ଲୀ ପୋଲିସ ଆଫ୍‌ତାବଙ୍କ ପରିବାରର ବୟାନ ରେକର୍ଡ କରିଛି। ପୋଲିସ ଆଫ୍‌ତାବଙ୍କ ପରିବାରକୁ ଆଫ୍‌ତାବ ଓ ଶ୍ରଦ୍ଧାଙ୍କ ସମ୍ପର୍କକୁ ନେଇ ପଚରାଉଚରା କରିଛି। ଶ୍ରଦ୍ଧାଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ୩୫ ଖଣ୍ଡ କରିଥିବା ଆଫ୍‌ତାବଙ୍କର ଆଜି ପଲିଗ୍ରାଫ୍‌ ଟେଷ୍ଟ ହେବ। ଦିଲ୍ଲୀର ଏଫ୍‌ଏସ୍‌ଏଲରେ ତାଙ୍କର ପଲିଗ୍ରାଫ୍‌ ଟେଷ୍ଟ କରାଯିବ। ଆଫ୍‌ତାବଙ୍କୁ ଶ୍ରଦ୍ଧା ମାମଲା ସହ ଜଡ଼ିତ ପ୍ରଶ୍ନ ପଚରାଯିବ। ଏହି ପୂରା ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ, ଯାହାର ଉଦ୍ଦେଶ୍ୟ ହେଉଛି, ହତ୍ୟାକାଣ୍ଡର ଉଦ୍ଦେଶ୍ୟ ଏବଂ ସିକ୍ୱେନ୍ସ ଅଫ୍‌ କ୍ରାଇମ୍‌ ବିଷୟରେ ଜାଣିବା।

୨୨ ନଭେମ୍ବର ସନ୍ଧ୍ୟାରେ ପଲିଗ୍ରାଫ ଟେଷ୍ଟର ପୂର୍ବ ପ୍ରକ୍ରିୟା ପୂରା କରାଯାଇଥିଲା। ଏହି ସମୟରେ ଆଫ୍‌ତାବଙ୍କ ଚେହେରାରେ ପ୍ରାୟଶ୍ଚିତର କୌଣସି ବି ଚିହ୍ନ ନ ଥିଲା। ସେ ବିଲ୍‌କୁଲ ବେପରୁଆ ନଜର ଆସିଥିଲେ। ଅଭିଯୋଗ ମୁତାବକ, ଶ୍ରଦ୍ଧାଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ଆଫ୍‌ତାବ ପାଖାପାଖି ୩ ସପ୍ତାହ ପର୍ଯ୍ୟନ୍ତ ତାଙ୍କ ମୃତଦେହର ଖଣ୍ଡବିଖଣ୍ଡିତ ଅଂଶକୁ ଘର ଭିତର ଫ୍ରିଜ୍‌ରେ ଲୁଚାଇ ରଖିଥିଲେ। ଏଥିପାଇଁ ସେ ଏକ ନୂଆ ବଡ଼ ଫ୍ରିଜ୍‌ କିଣିଥିଲେ। ୧୮ ମେ’ରେ ଆଫ୍‌ତାବ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲେ। ଘଟଣାର ୫ ମାସ ପରେ ପୋଲିସ ହତ୍ୟା ଅଭିଯୋଗରେ ଆଫ୍‌ତାବଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.