ଆଜି ଦିଲ୍ଲୀରୁ ଛାଡ଼ିବ ‘ଶ୍ରୀଜଗନ୍ନାଥ ଯାତ୍ରା’ ଭାରତ ଗୌରବ ଟୁରିଷ୍ଟ ଟ୍ରେନ, ଶୁଭାରମ୍ଭ କରିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ : ଆଜି ଦିଲ୍ଲୀରୁ ଛାଡ଼ିବ ‘ଶ୍ରୀଜଗନ୍ନାଥ ଯାତ୍ରା’ ଭାରତ ଗୌରବ ଟୁରିଷ୍ଟ ଟ୍ରେନ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ଶୁଭାରମ୍ଭ କରିବେ । ଏହି ସ୍ୱତନ୍ତ୍ର ଟ୍ରେନ ୮ଦିନିଆ ଯାତ୍ରାରେ ବାହାରିବ । ୧୦ଟି ତୃତୀୟ ଶ୍ରେଣୀ ଏସି କୋଚ୍‌ ସହ ଟ୍ରେନରେ ପ୍ରାୟ ୬୦୦ ପର୍ଯ୍ୟଟକ ରହିବେ । ପୁରୀର ଜଗନ୍ନାଥ ମନ୍ଦିର ପରିଦର୍ଶନ ସହ କୋଣାର୍କ, ଭୁବନେଶ୍ୱର, କାଶୀ, ବୈଦ୍ୟନାଥ, ଗୟା ସମେତ ବିଭିନ୍ନ ସ୍ଥାନ ଏହି ଯାତ୍ରାରେ ସାମିଲ ହେବ । ଯାତ୍ରା ସମୟରେ ଗାଜିଆବାଦ, ଆଲିଗଡ଼, ଟୁଣ୍ଡଓ୍ଵା, ଏଟାଓ୍ଵା, କାନପୁର ଓ ଲକ୍ଷ୍ନୌ ଷ୍ଟେସନରେ ଟ୍ରେନ ଧରିପାରିବେ କିମ୍ବା ଓହ୍ଲାଇପାରିବେ ।

ଟୁରିଷ୍ଟ ଟ୍ରେନରେ ସମସ୍ତ ସୁବିଧା ଉପଲବ୍ଧ ସହ ପ୍ୟାଣ୍ଟ୍ରି କାର୍‌ ମଧ୍ୟ ରହିଛି । ଯାହା ପର୍ଯ୍ୟଟକଙ୍କୁ ଶାକହାରୀ ଖାଦ୍ୟ ଯୋଗାଇବ । ଯାତ୍ରା ସମୟରେ ମନୋରଞ୍ଜନ ବ୍ୟବସ୍ଥା ସହ ସିସିଟିଭି, ସିକ୍ୟୁରିଟି ଗାର୍ଡ ବ୍ୟବସ୍ଥା ରହିଛି। ଭାରତ ଗୌରବ ଟୁରିଷ୍ଟ ଟ୍ରେନରେ ଯାତ୍ରା କରୁଥିବା ପର୍ଯ୍ୟଟକ ଭାରତର ୪ ଧାମ ବୁଲିବେ । ୮ଦିନ ଯାତ୍ରା ଶେଷ କରି ଟ୍ରେନ ଫେବ୍ରୁଆରୀ ୧ରେ ଦିଲ୍ଲୀରେ ପହଂଚିବ ।

ଘରୋଇ ପର୍ଯ୍ୟଟନର ପ୍ରସାର କରିବା ଦିଗରେ ଭାରତ ସରକାରଙ୍କ ‘ଦେଖୋ ଅପ୍‌ନା ଦେଶ’ର ଏକ ଅଂଶ ଭାବେ ଭାରତ ଗୌରବ ଟୁରିଷ୍ଟ ଟ୍ରେନ ଚଳାଚଳ ଆରମ୍ଭ କରାଯାଇଛି। ଆଇଆର୍‌ସିଟିସି ପର୍ଯ୍ୟଟକ ଟ୍ରେନ ହେଉଛି ଏକ ସର୍ବଭାରତୀୟ ଟୁର ପ୍ୟାକେଜ। ଯେଉଁଥିରେ ତୃତୀୟ ଶ୍ରେଣୀ ଏସି ଟ୍ରେନ ଯାତ୍ରା, ହୋଟେଲରେ ରାତ୍ରି ଯାପନ, ସମସ୍ତ ଭୋଜନ (ଶାକାହାରୀ), ଦର୍ଶନ ଓ ଭ୍ରମଣ ବୀମା ଏବଂ ଗାଇଡ୍ ସେବା ଆଦି ଅନ୍ତର୍ଭୁକ୍ତ ରହିଛି। ସମସ୍ତ ପ୍ରକାର ଆବଶ୍ୟକୀୟ ସ୍ୱାସ୍ଥ୍ୟ ସଚେତନତା ପଦକ୍ଷେପ ଗ୍ରହଣ କରାଯିବ। ଅତିଥିମାନଙ୍କୁ ଏକ ନିରାପଦ ତଥା ସ୍ମରଣୀୟ ଅନୁଭୂତି ପ୍ରଦାନ କରିବାକୁ ଆଇଆର୍‌ସିଟିସି ପ୍ରୟାସ କରିବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।