ଆଜିଠାରୁ ବନ୍ଦ ହେଲା ବାବା କେଦାରନାଥ ପୀଠ କପାଟ, ୬ ମାସ ପରେ ଖୋଲିବ

ଆଜିଠାରୁ ବନ୍ଦ ହେଲା ପ୍ରସିଦ୍ଧ କେଦାରନାଥ ପୀଠ କପାଟ । ଆଜି ସକାଳ ୪ଟାରୁ ବିଧିବିଧାନ ସହିତ ପୂଜା ହେବା ପରେ ୮.୩୦ ମିନିଟରେ କପାଟ ବନ୍ଦ ହୋଇଛି ।  ତୁଷାରପାତ ଆରମ୍ଭରୁ ଏହାକୁ ବନ୍ଦ କରାଯାଇଥିବାବେଳେ ୬ ମାସ ପରେ ଏହା ଖୋଲିବ ବୋଲି ଜଣାପଡିଛି ।

ତେବେ କେଦାରନାଥ କପାଟ ଭାଇଦୁଜ ଦିନ ବନ୍ଦ କରାଯାଏ । ଏହି ଅବସରରେ ପଞ୍ଚମୁଖୀ ମୂର୍ତ୍ତିର ଚଳନ୍ତି ବିଗ୍ରହରେ ଦୋଳ ବିମାନରେ ବସାଯାଏ । ପ୍ରତିମାକୁ ଦୋଳିରେ ବିରାଜମାନ କରାଯାଇ ଓଁକାରେଶ୍ୱର ମନ୍ଦିର ନିଆ ଯାଇଥାଏ । ଆଜି ଚଳନ୍ତି ପ୍ରତିମା ଗୌରିକୁଣ୍ଡ, ସୋନପ୍ରୟାଗ ହୋଇ ରାମପୁରରେ ପହଞ୍ଚିବ । ଆସନ୍ତା ୫ ତାରିଖରେ ଓଁକାରେଶ୍ୱର ମନ୍ଦିରରେ ବିରାଜମାନ ହେବେ ପ୍ରଭୁ କେଦାରନାଥ । ଏହାପରେ ପୂରା ଶୀତ ଦିନରେ ସେଠାରେ ହିଁ ଭକ୍ତମାନେ ବାବା କେଦାରନାଥଙ୍କ ଦର୍ଶନ କରିପାରିବେ।

୧୧ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଅନ୍ୟତମ ଧାମ ଭାବେ ବିଶ୍ୱ ବିଖ୍ୟାତ କେଦାରନାଥ ପୀଠକୁ ଆଜି ପ୍ରାୟ ୧୦ କୁଇଣ୍ଟାଲ ଫୁଲରେ ସଜାଯାଇଛି । ଏଥିନିମନ୍ତେ ରାତି ୪ଟାରୁ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ସକାଳ ୮ଟା୩୦ରେ କପାଟ ବନ୍ଦ କରାଯାଇଛି । ଆଜି ବାବା କେଦାରନାଥଙ୍କ ଦର୍ଶନ କରିବା ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଚଳିତ ବର୍ଷ ବାବା କେଦାରନାଥଙ୍କ ଦର୍ଶନ ନିମନ୍ତେ ୧୬ ଲକ୍ଷରୁ ଅଧିକ ଯାତ୍ରୀଙ୍କ ଆଗମନ ହୋଇଥିଲା । ପ୍ରଥମେ ଗଙ୍ଗୋତ୍ରୀ ଧାମ କପାଟ ବନ୍ଦ ହୋଇଥିବା ବେଳେ ଆଜି କେଦାରନାଥ ଧାମ କପାଟ ବନ୍ଦ ହୋଇଛି । ଶେଷରେ ଆସନ୍ତାକାଲି ବଦ୍ରିନାଥ କପାଟ ବନ୍ଦ ହେବ ବୋଲି ଜଣାଯାଇଛି । ବାବା କେଦାରନାଥଙ୍କ କପାଟ ୧୦ ମଇ ସକାଳ ୭ଟାରୁ ବାବା କେଦାରଙ୍କ ଦ୍ୱାର ଖୋଲିଥିଲା ।

 

You might also like