୭ ମାସ ଧରି ବିଛଣାରେ ପଡ଼ିଥିଲା ସ୍ତ୍ରୀ, ଘର ଭିତରେ ନିଆଁ ଲଗାଇ ଜିଅନ୍ତା ଜାଳିଦେଲା ସ୍ୱାମୀ

ଆସାମରେ ଜଣେ ଅସୁସ୍ଥ ମହିଳାଙ୍କୁ ତାଙ୍କ ସ୍ୱାମୀ ଜୀବନ୍ତ ଜାଳି ଦେଇଛନ୍ତି। ଘଟଣା ଘଟିଛି ରାଜ୍ୟର ଦିମା ହସାଓ ଜିଲ୍ଲାରେ। ଘଟଣାରେ ଅଭିଯୁକ୍ତ ସ୍ୱାମୀଙ୍କୁ ପୋଲିସ ଗିରଫ କରିଛି।

ଆସାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ଅସୁସ୍ଥ ମହିଳାଙ୍କୁ ତାଙ୍କ ସ୍ୱାମୀ ଜୀବନ୍ତ ଜାଳି ଦେଇଛନ୍ତି। ଘଟଣା ଘଟିଛି ରାଜ୍ୟର ଦିମା ହସାଓ ଜିଲ୍ଲାରେ। ପୋଲିସ ସୂଚନା ଅନୁସାରେ, ଏହି ଘଟଣାର ଅଭିଯୁକ୍ତ ଜୟ ସରନ ଲଙ୍ଗଥାସାଙ୍କୁ ଗିରଫ କରାଯାଇଛି।

ପୋଲିସ କହିଛି ଯେ ମୃତା ମହିଳାଙ୍କ ନାମ ବିନିତା ହଫଲୋଙ୍ଗବାର। ଜିଲ୍ଲାର ଅତିରିକ୍ତ ପୋଲିସ ଅଧୀକ୍ଷକ କହିଛନ୍ତି, ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଘର ଭିତରେ ନିଆଁ ଲଗାଇ ଜାଳି ଦେଇଥିବା ନେଇ ବୁଧବାର ରାତିରେ ସୂଚନା ମିଳିଥିଲା। ଖବର ପାଇ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ପୋଲିସ ପତ୍ନୀ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଥିଲା।

ପୋଲିସ ସୂଚନା ଅନୁସାରେ, ମହିଳା ଜଣକ ଗତ ସାତ ମାସ ଧରି ଅସୁସ୍ଥ ଥିଲେ ଏବଂ ବିଛଣା ଉପରେ ଶୋଇ ରହୁଥିଲେ। ପ୍ରାଥମିକ ତଦନ୍ତରେ ବିନିତାଙ୍କ ମୃତ୍ୟୁ ପାଇଁ ତାଙ୍କ ସ୍ୱାମୀ ହିଁ ଦାୟୀ ବୋଲି ଜଣାପଡ଼ିଛି। ଏ ନେଇ ଅଧିକ ତଦନ୍ତ ଚାଲିଛି। ସମ୍ପୂର୍ଣ୍ଣ ତଦନ୍ତ ପରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।