କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବେ ସିଦ୍ଦରମୈୟା, ଉପମୁଖ୍ୟମନ୍ତ୍ରୀ ପାଇଁ ରାଜି ହେଲେନି ଶିବକୁମାର

ସିଦ୍ଦରମୈୟା ହେଲେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ । ଡିକେ ଶିବକୁମାରଙ୍କୁ ମିଳିଲା ଉପମୁଖ୍ୟମନ୍ତ୍ରୀ ପଦ । ଦୁହେଁ ଆସନ୍ତାକାଲି ଶପଥ ନେବେ ।

କର୍ଣ୍ଣାଟକ ରାଜନୀତିରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । କର୍ଣ୍ଣାଟକକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ । ସିଦ୍ଦରମୈୟା ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ । ସିଦ୍ଦରମୈୟା ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତେବେ ଖବର ମୁତାବକ, ଡିକେ ଶିବକୁମାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ଯଚା ଯାଇଥିଲା କିନ୍ତୁ ସେ ରାଜି ନାହାନ୍ତି । ଏହି ପଦବି ନେବାକୁ ମନା କରି ଦେଇଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ପଦ ଶପଥ ଗ୍ରହଣ ପାଇଁ କାନ୍ଥିରାଓ୍ଵା ଷ୍ଟାଡିୟମରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ସମାରୋହ ବାତିଲ ହୋଇଯାଇଛି।

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ସହ କଂଗ୍ରେସ କ୍ଷମତାକୁ ଆସିଲା । ହେଲେ ଏହାପରେ ହିଁ ଆରମ୍ଭ ହୋଇଗଲା କ୍ଷମତା କନ୍ଦଳ । ଉଭୟ ସିଦ୍ଦରମେୟା ଏବଂ ଶିବକୁମାର ଚାହିଁଲେ ମୁଖ୍ୟମନ୍ତ୍ରୀ ପଦ । ଏମାନେହିଁ ଥିଲେ ବିଜୟର କର୍ଣ୍ଣଧାର । ତେଣୁ ଆଶା କରିବା ଥିଲା ସ୍ୱାଭାବିକ । ହେଲେ ପଦରେ ତ ବସିବେ ଜଣେ । ତେଣୁ ହାଇକମାଣ୍ଡଙ୍କୁ ସମାଧାନ ପାଇଁ ହସ୍ତକ୍ଷେପ କରିବାକୁ ପଡ଼ିଲା । ଦୁହିଁଙ୍କୁ ଦିଲ୍ଲୀ ଡାକିଲେ କଂଗ୍ରେସ ହାଇକମାଣ୍ଡ ।

ଆଜିର ବୈଠକରେ ରାହୁଲ ଗାନ୍ଧି, କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସିଦ୍ଦରମୈୟା, ଶିବକୁମାର ଉପସ୍ଥିତ ରହିଥିଲେ । ଡି.କେ ଶିବକୁମାରଙ୍କୁ ୬ଟି ବିଭାଗର ମନ୍ତ୍ରୀ ସହ ଉପମୁଖ୍ୟମନ୍ତ୍ରୀ ପଦ ଦେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଡି.କେ ଏହି ଅଫରକୁ ଗ୍ରହଣ କରି ନାହାନ୍ତି । ସୋନିଆ ଗାନ୍ଧିଙ୍କ ବାସଭବନରେ ଶିବକୁମାର ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି। ରାହୁଲ ଗାନ୍ଧିଙ୍କୁ ଭେଟିବା ପରେ ଶିବକୁମାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ପହଞ୍ଚିଥିଲେ।

ତେବେ ସିଦ୍ଦରମୈୟା ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା ହେବା ପରେ ତାଙ୍କ ବାସଭବନ ବାହାରେ ଗହଳି ଲାଗି ରହିଛି । ପାର୍ଟିର କାର୍ଯ୍ୟକର୍ତ୍ତା ଏବଂ ଜନତା ଶୁଭେଚ୍ଛା ଜଣାଇବାକୁ ଲମ୍ବା ଲାଇନ ଲାଗିଛନ୍ତି । ଏହାଛଡା କର୍ଣ୍ଣାଟକରେ ସିଦ୍ଦରମୈୟାଙ୍କ ପୋଷ୍ଟରକୁ ସମର୍ଥକମାନେ କ୍ଷୀରରେ ଧୋଉଥିବା ନଜର ଆସିଛନ୍ତି । ଚାଲିଛି ଜୋରସୋର ସେଲିବ୍ରେସନ୍‌ । ହେଲେ ଶିବକୁମାରଙ୍କ ଶିବିରରେ ନିରାଶା ଦେଖିବାକୁ ମିଳିଛି । ତେବେ ଗୁଜବ ଉପରେ ବିଶ୍ୱାସ ନକରିବାକୁ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା କହିଛନ୍ତି । ସେ କହିଛ୍‌ତି ଯେ ମଲ୍ଲିକାର୍ଜୁନ ଖଡ଼ଗେ ସବୁ ସମସ୍ୟାର ସମାଧାନ କରିଛନ୍ତି । ଆଗାମୀ ଦୁଇ ତିନି ଦିନ ମଧ୍ୟରେ କର୍ଣ୍ଣାଟକରେ ନୂଆ କ୍ୟବିନେଟ୍‌ ଗଠନ ହେବ ।

କର୍ଣ୍ଣାଟକ ରାଜ୍ୟରେ କଂଗ୍ରେସକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନିଭାଇଥିବା ସିଦ୍ଦରମୈୟା ଓ ଡି.କେ ଶିବକୁମାରଙ୍କୁ ମିଳିଛି ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ ପଦ । ପାଳି କରି ଦୁଇ ତିନି ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିବା ପ୍ରସ୍ତାବକୁ ଦୁହେଁ ଅଗ୍ରାହ୍ୟ କରି ଦେଇଥିଲେ ।

ସିଦ୍ଦରମୈୟାଙ୍କ ଜନ୍ମ ଜଣେ ଗରିବ ଚାଷୀ ପରିବାରରେ ହୋଇଥିଲା । ମହିଶୂର ୟୁନିଭରସିଟିରୁ ଗ୍ରାଜୁଏସନ ସାରିବା ପରେ ଓକିଲାତି ପାଠ ପଢିଥିଲେ । ଓକିଲ ଭାବେ କ୍ୟାରିଅର ଆରମ୍ଭ କରି ଧୀରେ ଧୀରେ ରାଜନୀତିରେ ପାଦ ଦେଇଥିଲେ । ୧୯୭୮ରେ ରାଜନୀତିରେ ଏଣ୍ଟ୍ରି କରିଥିଲେ । ୨୦୦୬ରେ ସିଦ୍ଦରମୈୟା ଜେଡିଏସ ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । ଜଣେ କାର୍ଯ୍ୟକର୍ତ୍ତା, ତା’ ପରେ ବିଧାୟକ, ଉପ ମୁଖ୍ୟମନ୍ତ୍ରୀ ପରେ ୨୦୧୩ରେ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୩ରୁ ୧୮ ଯାଏଁ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ ସିଦ୍ଦରମୈୟା । ତେବେ ସିଦ୍ଦରମୈୟା ଦ୍ୱିତୀୟ ଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.