ପୋଲିସ କାହିଁକି ଏମିତି କଲା ? ବାଇକ୍‌ ସାଇଲେନ୍ସର ଉପରେ ରୋଲର ଚଢାଇ ଦେଲା

ଗୋଟେ ପରିବାର ଚଳାଇବାକୁ ଯେଭଳି ଘରର ମୂରବୀ କିଛି ନିୟମ ରଖିଥାନ୍ତି ଆଉ ସେହି ନିୟମ ଅନୁସାରେ ସମସ୍ତ କାର୍ଯ୍ୟ ହୁଏ । ସେହଭଳି ଦେଶ ଚଳାଇବାକୁ ଓ ଦେଶର ନାଗରିକଙ୍କ କାର୍ଯ୍ୟକୁ ତଦାରଖ କରିବାକୁ ବି ସେଭଳି ନିୟମ ରହିଛି । ଆଉ ଏସବୁକୁ ମାନିବା ବି ସମସ୍ତଙ୍କ କର୍ତ୍ତବ୍ୟ । କିନ୍ତୁ ଏମିତି କିଛି ନିୟମକୁ ଅନେକ ଅମାନିଆ ଲୋକ ଫୁ କରିଦେଉଛନ୍ତି । ବେନିୟମ କାର୍ଯ୍ୟ କରିବା ସହ ଅନ୍ୟମାନଙ୍କ ପାଇଁ ସମସ୍ୟା ଉପୁଜାଉଛନ୍ତି । ଯେଉଁଥିପାଇଁ ପ୍ରଶାସନକୁ ଶକ୍ତ ହେବାକୁ ପଡୁଛି ।

ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ କିଛି ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳୁଛି କି ରାସ୍ତା ଉପରେ ଶହ ଶହ ବାଇକ ସାଇଲେନ୍ସର ପଡ଼ି ରହିଛି । ତା ଉପରେ ଗାଡି ମଡ଼ାଇ ଦିଆଯାଉଛି । ଏ କାମ ଆଉ କେହି ନୁହେଁ ବରଂ ରାଜ୍ୟ ସରକାର କରୁଛନ୍ତି । ଆନ୍ଧ୍ର ପ୍ରଦେଶ ପୋଲିସ ୬୦୦ରୁ ଅଧିକ ବାଇକ ସାଇଲେନ୍ସର ବାହାର କରି ତା ଉପରେ ରୋଡ ରୋଲର ଚଳାଇ ଦେଲେ । ଦର୍ଶକ ବନ୍ଧ, ଆପଣ ଏହାକୁ ଦେଖଇଲେ ନିଶ୍ଚୟ ପୋଲିସ୍‌ ଉପରେ ରାଗିବେ । ହେଲେ ଏହାର ଲକ୍ଷ୍ୟ କିଛି ଅଲଗା ରହିଥିଲା । ପ୍ରକୃତରେ ଶବ୍ଦ ପ୍ରଦୂଷଣ ରୋକିବାକୁ ଆନ୍ଧ୍ର ପୋଲିସ ଚଳାଇଛି ଏଭଳି ଏକ ଅଭିଯାନ ।

ପ୍ରକୃତ କଥା ହେଉଛି ଗଲା କିଛି ଦିନ ହେବ ଲାଉଡ ସାଇଲେନ୍ସରର କ୍ରେଜ ବହୁମାତ୍ରାରେ ବଢିଯାଇଥିଲା । ବିଶେଷ କରି ଯୁବ ପିଢ଼ି ବିଭିନ୍ନ ପ୍ରକାର ବାଇକ୍‌ରେ ଛାତ ଫଟା ଚିତ୍କାର କରୁଥିବା ସାଇଲେନସର୍‌ ଲଗାଇ ରାସ୍ତା ଘାଟରେ ବୁଲିଲେ । ଯାହା ଅନ୍ୟମାନଙ୍କୁ ଅସୁବିଧାରେ ପକାଇବା ସହ ଭୟଙ୍କର ଶବ୍ଦ ପ୍ରଦୂଷଣ ସୃଷ୍ଟି କରୁଥିଲା । ଅବଶ୍ୟ ସବୁ ରାଜ୍ୟରେ ଏଭଳି ନିୟମ ରହିଛି କି ଏଭଳି ବିକଟାଳ ଶବ୍ଦ କରୁଥିବା ସାଇଲେନସର୍‌ ଲଗାଇ ପାରିବେ ନାହିଁ ।

ଯାହାଫଳରେ ଅନେକ ଲୋକେ ନିଜ ସାଇଲେନ୍ସରକୁ ବଦଳାଇବାରେ ଲାଗିଛନ୍ତି । ସାଇଲେନ୍ସରକୁ ମଡିଫାଏ କରିବା ପରେ ଏହାର ଶବ୍ଦ ବଦଳା ଯାଏ । ତେବେ ନିଜର ମଜା ପାଇଁ ଅନ୍ୟମାନଙ୍କୁ ହଇରାଣ କରୁଥିବା ପିଲାମାନେ କିନ୍ତୁ ଭୟଙ୍କର ଶବ୍ଦ କରଥିବା ସାଇଲେନସର୍‌ ଲଗାଇବାକୁ ପସନ୍ଦ କରନ୍ତି । ଏହାକୁ ନେଇ ସେମାନଙ୍କ ମଧ୍ୟରେକମ୍ପିଟେସନ ଟ୍ରେଣ୍ଡ ବି ରହିଛି । ତେଣୁ ଏହା ଉପରେ ସେଠାକାର ପୋଲିସ କଡ଼ା ପଦକ୍ଷେପ ନେଇଛି । ଏମିତି ଭାବରେ ଜବତ ସାଇଲେନ୍ସରକୁ ନଷ୍ଚ କରିଛି ।

ଗତ କିଛି ଦିନ ହେଲା ଏହି ସାଇଲେନସର ପାଇଁ ସହରରେ ଅଶାନ୍ତି ସୃଷ୍ଟି ହୋଇଥିଲା । ସେଥିରୁ ସହରକୁ ମୁକ୍ତ କରିବା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ କରିଛି ରାଜ୍ୟ ପୋଲିସ । ପୋଲିସ କେବଳ ସାଇଲେନ୍ସରକୁ ଜବତ କରିଛି ତା ନୁହେଁ ଏହାକୁ ନଷ୍ଟ ମଧ୍ୟ କରି ଦେଇଛି । କହି ରଖୁଛୁ କି ଶବ୍ଦ ପ୍ରଦୂଷଣରୁ ବରିଷ୍ଠ ନାଗରିକ ବା ବୟସ୍କ ଲୋକ, ରୋଗୀ, ଗର୍ଭବତୀ ମହିଳାଙ୍କୁ ବହୁ ମାତ୍ରାରେ ସମସ୍ୟା ହେଉଛି ।

ପରିବେଶ ନିୟମ ୧୯୮୬ ଅନୁଯାୟୀ ମୋଟର ସାଇକେଲର ସାଇଲେନସର୍‌ ଶବ୍ଦ ୮୦ ଡେସିବଲ ମଧ୍ୟରେ ରହିବା ଦରକାର । ଏହାଠାରୁ ବେଶି ହେବା ଉଚିତ ନୁହେଁ । କିନ୍ତୁ ଏସବୁକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି ଯୁବଗୋଷ୍ଠୀ । ଯାହା ଫଳରେ ଶବ୍ଦ ପ୍ରଦୂଷଣ ହେଉଛି ଯାହା ୧୩୦ ଡେସିବଲରୁ ଅଧିକ । ମୋଟର ଭେଇକିଲ ଆକ୍ଟ ୧୯୦(୨) ଅନୁସାରେ ଯଦି କୌଣସି ବି ଗାଡିରୁ ଶବ୍ଦ ପ୍ରଦୂଷଣ ହେଉଛି ତେବେ ଏହା ଉପରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗା ଯାଇପାରେ ।

ଏହା ସହ ଏହି ଆକ୍ଟରେ ଏହା ମଧ୍ୟ କୁହାଯାଇଛି କି କମ୍ପାନୀରୁ ମିଳିଥିବା ମୂଳ ଗାଡିର ଡିଜାଇନ ବଦଳାଇବା ବି ବେଆଇନ କାର୍ଯ୍ୟ । ଜାଣିଥାନ୍ତୁ କି ଯଦି ମୂଳ ମଡେଲରେ କୌଣସି ବି ପରିବର୍ତ୍ତନ କରାଯାଉଛି ତେବେ ଏହା ଆଇନର ଉଲ୍ଲ୍ଲଙ୍ଘନ ହେବ । ଏମିତିରେ ଗାଡିର ମାଲିକଙ୍କ ଉପରେ କେସ ମଧ୍ୟ ହୋଇପାରେ । କିନ୍ତୁ ଏସବୁ ନିୟମ ପରେ ବି ରାସ୍ତାରେ ନିଦ୍ଦ୍ଵର୍ନ୍ଦ୍ୱରେ ଘୂରି ବୁଲୁଛନ୍ତି ଯୁବଗୋଷ୍ଠୀ । ତେବେ ରାସ୍ତାରେ ଗାଡ଼ି ଚଳାଇବା ବେଳେ ସମସ୍ତଙ୍କ ସୁରକ୍ଷା ପାଇଁ ଅନେକ ନିୟମ କରାଯାଇଛି । ଏସମସ୍ତ ନିୟମକୁ ମାନିବା ମଧ୍ୟ ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ପାଇଁ ଜରୁରୀ । ତେବେ କିଛି ଲୋକଙ୍କ ପାଇଁ ଅନ୍ୟ ସମସ୍ତେ ହଇରାଣ ହେଉଛନ୍ତି ଏଇ ବିକଟାଳ ଶବ୍ଦ କରୁଥିବା ସାଇଲେନସର ଯୋଗୁଁ । ଏବେ ଆନ୍ଧ୍ର ସରକାର ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ପୋଲିସ୍‌କୁ ମିଳୁଛି ଚାରିଆଡୁ ପ୍ରଶଂସା । କିଛି ଦିନ ତଳେ ଆମ ରାଜଧାନୀ ଭୁବନେଶ୍ୱରରେ ବି ଏଭଳି ସାଇଲେସର ସଉକ ଥିବା ପିଲାଙ୍କ ଉପରେ ପୋଲିସ୍‌ ଚଢ଼ାଉ କରିଥିଲା । ତଥାପି ଏଭଳି ଅମାନିଆମାନେ ସାବାଡ୍‌ ହେଉ ନାହାନ୍ତି । ତେଣୁ ଦରକାର ଆହୁରି କଡ଼ା ଦଣ୍ଡ । ଏବେ କେବଳ ଜରିମାନାରେ ସୀମିତ ରହିଛି ଏହି ନିୟମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.