ସିଙ୍ଗାପୁର ଏୟାରଲାଇନ୍ସ ବିମାନକୁ ଝଟ୍‌କା; ଦେଖନ୍ତୁ ଘଟଣା ପରର ଭୟଙ୍କର ଫଟୋ ଓ ଭିଡିଓ

ମଝି ଆକାଶରେ ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନକୁ ଝଟ୍‌କା ଏବଂ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟଣା ପରେ ବିମାନ ଭିତରୁ ଭୟଙ୍କର ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି ।

ମଝି ଆକାଶରେ ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନକୁ ଝଟ୍‌କା ଏବଂ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟଣା ପରେ ବିମାନ ଭିତରୁ ଭୟଙ୍କର ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି । ମଙ୍ଗଳବାର ଲଣ୍ଡନରୁ ଆସୁଥିବା ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନ ହଠାତ୍‌ ମଝି ଆକାଶରେ ଝଟ୍‌କାର ସମ୍ମୁଖୀନ ହୋଇଥିଲା, ଯାହାଫଳରେ ବିମାନକୁ ବ୍ୟାଙ୍କକ୍‌ରେ ଜରୁରୀକାଳୀନ ଅବତରଣ କରାଇବାକୁ ପଡ଼ିଥିଲା ।

ଏହି ଝଟ୍‌କା ଯୋଗୁ ବିମାନରେ ଥିବା ଜଣେ ବ୍ରିଟିଶ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩୦ ଜଣ ଲୋକ ମଧ୍ୟ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିମାନ କମ୍ପାନୀ ଏକ ବିବୃତ୍ତିରେ କହିଛି, ବିମାନଟି ଯେତେବେଳେ ୩୭,୦୦୦ ଫୁଟ ଉଚ୍ଚରେ ଥିଲା, ସେତେବେଳେ ବିମାନକୁ ଏକ ଭୟଙ୍କର ଝଟ୍‌କା ଲାଗିଥିଲା । ଆଉ ବିମାନଟି ମାତ୍ର ତିନି ମିନିଟ୍‌ରେ ୬,୦୦୦ ଫୁଟ ତଳକୁ ଖସି ଆସିଥିଲା ।

ଏହି ଘଟଣା ପରେ ବିମାନ ଭିତରୁ କିଛି ଭୟଙ୍କର ଫଟୋ ଓ ଭିଡିଓ ବର୍ତ୍ତମାନ ଗଣମାଧ୍ୟମକୁ ଆସିଛି । ପରିସ୍ଥିତି ବିଗିଡ଼ିବା ପରେ ପାଇଲଟ୍‌ ମେଡିକାଲ ଏମରଜେନ୍ସି ଘୋଷଣା କରିଥିଲେ ଏବଂ ବିମାନକୁ ବ୍ୟାଙ୍କକ୍‌ରେ ଜରୁରୀ ଅବତରଣ କରାଇଥିଲେ । ବିମାନ ସେବା କହିଛି ଯେ ବୋଇଙ୍ଗ 777-300ER ବିମାନରେ ଯାତ୍ରୀମାନେ ମଝି ଆକାଶରେ ଝଟ୍‌କାର ସମ୍ମୁଖୀନ ହୋଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ବିମାନରେ ସର୍ବାଧିକ ୫୬ ଜଣ ଯାତ୍ରୀ ଅଷ୍ଟ୍ରେଲିଆର ଥିଲେ । ଏହିପରି ବ୍ରିଟେନରୁ ୪୭ ଜଣ, ସିଙ୍ଗାପୁରରୁ ୪୧ ଜଣ ଏବଂ ନ୍ୟୁଜିଲାଣ୍ଡରୁ ୨୩ ଜଣ ଯାତ୍ରୀ ଥିଲେ । ଏମାନଙ୍କ ବ୍ୟତୀତ କାନାଡାରୁ ୨, ଜର୍ମାନୀରୁ ଜଣେ, ଭାରତରୁ ୩, ଇଣ୍ଡୋନେସିଆରୁ ୨, ଆଇସ୍‌ଲାଣ୍ଡରୁ ୪, ଆୟର୍ଲାଣ୍ଡରୁ ୪, ଇସ୍ରାଏଲରୁ ଜଣେ, ମାଲେସିଆରୁ ୧୬, ମିଆଁମାରରୁ ୨, ଫିଲିପାଇନ୍ସରୁ ୫, ଦକ୍ଷିଣ କୋରିଆରୁ ଜଣେ, ସ୍ପେନରୁ ୨ ଏବଂ ଆମେରିକାରୁ ୪ ଜଣ ଯାତ୍ରୀ ବିମାନରେ ଥିଲେ ।

You might also like