ସିଙ୍ଗାପୁରରୁ ଚୀନର ଗ୍ୱାଙ୍ଗଝାଉ ଯାଉଥିବା ବିମାନ ମଝି ଆକାଶରେ ଦୋହଲିବା ଯୋଗୁଁ ଯାତ୍ରୀ ଭୟଭୀତ । ଏହି ଘଟଣାରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବୋଇଂ ୭୮୭-୯ ଡ୍ରିମଲାଇନର ବୈଷୟିକ ତ୍ରୁଟି ଯୋଗୁଁ ମଝି ଆକାଶରେ ହଲିଥିଲା । ଫଳରେ ଯାତ୍ରୀ ଭୟଭୀତ ହୋଇପଡିଥିଲେ । ଯାତ୍ରୀଙ୍କ ମଧ୍ୟରୁ ୭ ଜଣ ଆହତ ହୋଇଛନ୍ତି ।
ଖବର ମୁତାବକ, ସ୍କୁଟ ଏୟାରଲାଇନ୍ସର ବିମାନ ବୋଇଂ ୭୮୭-୯ ଡ୍ରିମ ଲାଇନର ସ୍ଥାନୀୟ ସମୟାନୁସାରେ ସକାଳ ୯.୧୦ ମିନିଟ ସମୟରେ ଗନ୍ତବ୍ୟସ୍ଥଳକୁ ଯାଉଥିବା ବେଳେ ମଝି ଆକାଶରେ ଦୋହଲିଥିଲା । ଫଳରେ ବିମାନରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୭ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ ବିମାନର ସଦସ୍ୟ ରହିଛନ୍ତି । ଜଣକୁ ହସପିଟାଲରେ ଭର୍ତ୍ତି କରାଯାଇଛି ।
ତେବେ କାହିଁକି ମଝି ଆକାଶରେ ବିମାନ ଦୋହଲିଥିଲା, ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ । କିନ୍ତୁ ବୈଷୟିକ ତ୍ରୁଟି ଯୋଗୁଁ ଏହା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ, ପ୍ରତିଦିନ ବିମାନ ଜନିତ ଦୁର୍ଘଟଣା ବଢିବାରେ ଲାଗିଛି । ଗତ ମାସରେ ବ୍ରାଜିଲର ସାଓ ପାଓଲୋକୁ ଯାଇଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ୬୨ ଜଣଙ୍କ ମୃତ୍ୟୁ ହୋଇଥିଲା ।