୧୮ ବର୍ଷ ପରେ ଏକାଠି ହେଲେ ଭାଇ-ଭଉଣୀ, ଇନଷ୍ଟାଗ୍ରାମ ରିଲ୍ସ ଦ୍ୱାରା ସମ୍ଭବ ହେଲା ଏସବୁ

ଦୀର୍ଘ ୧୮ ବର୍ଷ ପରେ ସୋସିଆଲ ମିଡିଆ ସାହାଯ୍ୟରେ ଭାଇକୁ ଚିହ୍ନିଲା ଭଉଣୀ । ଇନଷ୍ଟାଗ୍ରାମ ରିଲ୍ସ ଦେଖି ଦୀର୍ଘ ୧୮ ବର୍ଷରୁ ନିଖୋଜ ଥିବା ଭାଇକୁ ଭଉଣୀ ଖୋଜି ପାଇଛି । ଭଙ୍ଗା ଦାନ୍ତ ଓ ରିଲ୍ସ ଦ୍ୱାରା ଏକାଠି ହୋଇଛନ୍ତି ଭାଇ ଭଉଣୀ । ଭାଇ-ଭଉଣୀଙ୍କ ଏହି ଅନନ୍ୟ କାହାଣୀ ଉତ୍ତରପ୍ରଦେଶ କାନପୁରର ହାତିପୁର ଗାଁର ବୋଲି ଜଣାପଡ଼ିଛି ।

ହାତିପୁର ଗାଁରେ ରହୁଥିବା ରାଜକୁମାରୀ ନାମକ ଯୁବତୀ ନିଜ ଫୋନରେ ଇନଷ୍ଟାଗ୍ରାମ ରିଲ୍ସ ଦେଖୁଥିଲେ ଏହି ସମୟରେ ହଠାତ ସେ ଏକ ଚିହ୍ନା ଚେହେରା ଦେଖିବାକୁ ପାଇଥିଲେ । ରାଜକୁମାରୀ ରିଲ୍ସରେ ଯେଉଁ ଯୁବକଙ୍କ ଚେହେରା ଦେଖିଥିଲେ ତାହା ଅବିକଳ ତାଙ୍କ ପିଲାଦିନରେ ହଜି ଯାଇଥିବା ଭାଇର ଚେହେରା ସହ ମିଶୁଥିଲା । ଅନ୍ୟପଟେ ଯୁବକଙ୍କର ଦାନ୍ତ ମଧ୍ୟ ଭାଙ୍ଗି ଯାଇଥିଲା । ରାଜକୁମାରୀ ସଙ୍ଗେ ସଙ୍ଗେ ତାଙ୍କ ଭାଇ ଗୋବିନ୍ଦଙ୍କୁ ମନେ ପକାଇଥିଲେ ଯାହାର ମଧ୍ୟ ଦାନ୍ତ ଭଙ୍ଗା ଥିଲା । ତେଣୁ ତାଙ୍କୁ ସନ୍ଦେହ ହୋଇଥିଲା ଯେ ରିଲ୍ସରେ ଦେଖୁୁଥିବା ଯୁବକ ହେଉଛନ୍ତି ତାଙ୍କ ଭାଇ । ରାଜକୁମାରୀଙ୍କ ନିଖୋଜ ଥିବା ଭାଇର ଚେହେରା ଗୋବିନ୍ଦଙ୍କ ସହ ମିଶୁଥିଲା । ତେବେ ଗୋବିନ୍ଦ ଜୟପୁରର ବୋଲି ଇନଷ୍ଟାଗ୍ରାମରେ ଲେଖିଥିଲେ ।

ଏହା ପରେ ରାଜକୁମାାରୀ ଗୋବିନ୍ଦଙ୍କୁ ମେସେଜ ପଠାଇ ନିଜର ପରିଚୟ ଦେଇଥିଲେ। ପରେ ଗୋବିନ୍ଦ ମଧ୍ୟ ତାଙ୍କ ଭଉଣୀକୁ ଚିହ୍ନି ପାରିଥିଲେ ଏବଂ କାନପୁର ଆସି ଭଉଣୀକୁ ଭେଟିଥିଲେ ।

ସୂଚନା ଥାଉ କି ୧୮ ବର୍ଷ ପୂର୍ବେ ବାଲ୍ ଗୋବିନ୍ଦ ଚାକିରି ପାଇଁ ଫତେହପୁରରୁ ମୁମ୍ବାଇ ଯାଇଥିଲେ କିନ୍ତୁ ଆଉ ଫେରି ନଥିଲେ । ମୁମ୍ବାଇରେ ପହଞ୍ଚିବା ପରେ ସେ ନିଜ ସାଙ୍ଗମାନଙ୍କୁ ଛାଡି ଅନ୍ୟତ୍ର କାମ କରିବା ଆରମ୍ଭ କରିଥିଲେ। ତାଙ୍କର ସମସ୍ତ ସାଙ୍ଗ ଗାଁକୁ ଫେରିଥିଲେ ମଧ୍ୟ ବାଲ୍ ଗୋବିନ୍ଦ ମୁମ୍ବାଇରେ ହିଁ ରହି ଯାଇଥିଲେ । ପରେ ମୁମ୍ବାଇରୁ ଜୟପୁରକୁ ପଳାଇ ଆସିଥିଲେ ଗୋବିନ୍ଦ ।

ଜୟପୁରର ପର୍ଯ୍ୟଟନ ସ୍ଥାନ ଦେଖାଇବା ପାଇଁ ଗୋବିନ୍ଦ ସବୁବେଳେ ଇନଷ୍ଟାଗ୍ରାମରେ ରିଲ୍ସ ତିଆରି କରୁଥିଲେ। ଏହାରି ଭିତରେ ତାଙ୍କ ଭଉଣୀ ମଧ୍ୟ ଗୋବିନ୍ଦଙ୍କ ରିଲ୍ସ ଦେଖିଥିଲେ ଏବଂ ଭାଇକୁ ଚିହ୍ନି ପାରିଥିଲେ । ୧୮ ବର୍ଷ ପରେ ଭାଇ ଭଉଣୀ ଏକାଠି ହୋଇ ଏବେ ପିଲାଦିନର ସ୍ମୃତିକୁ ମନେ ପକାଉଛନ୍ତି ।