ତିରୁପତି ଲଡୁ ମାମଲାର ଏସ୍ଆଇଟି ଯାଞ୍ଚକୁ ଅସ୍ଥାୟୀ ରୂପେ ସ୍ଥଗିତ ରଖାଯାଇଛି । ଏହି ମାମଲା ସୁପ୍ରିମ୍କୋର୍ଟରେ ବିଚାରାଧୀନ ଥିବାରୁ ଯାଞ୍ଚକୁ ରୋକାଯାଇଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ନିକଟରେ ଲଡୁ ପ୍ରସାଦରେ ପଶୁ ଚର୍ବି ମିଶ୍ରଣକୁ ନେଇ ସାଂଘାତିକ ଅଭିଯୋଗ ଆଣିଥିଲେ । ଏହି ମାମଲାର ଯାଞ୍ଚ ପାଇଁ ୯ ସଦସ୍ୟ ବିଶିଷ୍ଟ ସ୍ୱତନ୍ତ୍ର ଯାଞ୍ଚ ଟିମ୍ (ଏସ୍ଆଇଟି) ଗଠନ କରାଯାଇଥିଲା ।
କିନ୍ତୁ ଆନ୍ଧ୍ରପ୍ରଦେଶ ଡିଜିପି ମଙ୍ଗଳବାର କହିଛନ୍ତି ଯେ ଏହି ତଦନ୍ତକୁ ସାମୟିକ ଭାବେ ବନ୍ଦ କରାଯାଇଛି । ଡିଜିପି ଦ୍ୱାରକା ତିରୁମାଲା ରାଓ କହିଛନ୍ତି ଯେ ଏହି ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବା ହେତୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଏସ୍ଆଇଟି ତଦନ୍ତ ସ୍ଥଗିତ ରହିବ ।
ଡିଜିପି କହିଛନ୍ତି, ଏସ୍ଆଇଟି ଗଠନ ନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି । ଗତକାଲି କୋର୍ଟରେ ଏଥିପାଇଁ ବିତର୍କ ହୋଇଥିଲା । ଆଇଜିଙ୍କ ନେତୃତ୍ୱରେ ଆମ ଟିମ୍ ଆସିଥିଲେ । ସେମାନେ ଟିଟିଡିର ବିଭିନ୍ନ ସ୍ଥାନ, କ୍ରୟ ଅଞ୍ଚଳ, ନମୁନା ସଂଗ୍ରହ ଅଞ୍ଚଳ ଆଦି ପରିଦର୍ଶନ କରିଥିଲେ ଏବଂ ଲୋକମାନଙ୍କୁ ଯାଞ୍ଚ କରି ବୟାନ ରେକର୍ଡ କରିଥିଲେ ।
ଡିଜିପି କହିଛନ୍ତି ଯେ ସୁପ୍ରିମକୋର୍ଟ କିଛି ସମୟ ପାଇଁ ଯାଞ୍ଚ ସ୍ଥଗିତ ରଖିବାକୁ କହିଛନ୍ତି । ତେଣୁ ଆମେ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରି କିଛି ସମୟ ପାଇଁ ତଦନ୍ତ ବନ୍ଦ କରିଛୁ ।