ତିରୁପତି ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ, ୬ ଆହତ, ପ୍ରଚଣ୍ଡ ଶବ୍ଦରେ ଥରିଲା ଅଞ୍ଚଳ
ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରେ ଏକ ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ବୁଧବାର ରାତିରେ ଘଟିଥିବା ଏହି ବିସ୍ଫୋରଣରେ ୬ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଷ୍ଟିଲ୍ ପ୍ଲାଣ୍ଟରେ କାମ କରୁଥିବା ଶ୍ରମିକ ।
ବିସ୍ଫୋରଣ ଏତେ ଜୋରଦାର୍ ଥିଲା ଯେ ଏହାର ପ୍ରଚଣ୍ଡ ଶବ୍ଦରେ ଆଖପାଖ ଗାଁ ଥରି ଉଠିଥିଲା । ଏହି ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ପ୍ଲାଣ୍ଟରୁ ପ୍ରଥମେ ବଡ଼ ନିଆଁ ହୁଳା ଉପରକୁ ଉଠିଥିଲା ଏବଂ ଏହାପରେ ପ୍ରଚଣ୍ଡ ଶବ୍ଦ କରି ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା ।
ରାତି ପ୍ରାୟ ୧୦ଟା ୧୫ରେ ତିରୁପତିର ପେନେପଲ୍ଲି ଅଞ୍ଚଳରେ ଏହି ଘଟଣା ଘଟିଛି । ବିସ୍ଫୋରଣ ପ୍ରଭାବରେ ଆଖପାଖ ଘରଗୁଡ଼ିକର ଝରକା କାଚ ଭାଙ୍ଗି ଯାଇଥିବା ବେଳେ ଅନେକ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି । ପ୍ଲାଣ୍ଟରେ ବଏଲର୍ ତ୍ରୁଟି ଯୋଗୁ ଏହି ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି ।
ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି । ଆହତ ଶ୍ରମିକମାନଙ୍କୁ ଚିକିତ୍ସା ପାଇଁ ନେଲୋର ଏବଂ ନାଇଡୁପେଟାର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଦୁଘର୍ଟଣା ପରେ ପ୍ଲାଣ୍ଟକୁ ଅସ୍ଥାୟୀ ରୂପେ ବନ୍ଦ କରି ଦିଆଯାଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ।
ଏହିପରି ନିକଟରେ ଗୁଜରାଟର ସୁରଟରେ ମଧ୍ୟ ଏକ ବଡ଼ ଦୁର୍ଘଟଣା ଘଟିଥିଲା । ଏଠାରେ ଏକ ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ଇସ୍ପାତ କାରଖାନାରେ ନିଆଁ ଲାଗି ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ ।