ଆମେରିକା : ଘର ଉପରେ ପଡିଲା ବିମାନ, ଲାଗିଗଲା ନିଆଁ, ଅନେକ ମୃତ

ଆମେରିକାର ପୋର୍ଟଲାଣ୍ଡରେ ବିମାନ ଦୁର୍ଘଟଣା । ପୋର୍ଟଲାଣ୍ଡର ପୂର୍ବ ଅଞ୍ଚଳରେ ଏକ ବିମାନ ଘର ଉପରେ ଦୁର୍ଘଟଣାଗ୍ରସ୍ତ ହୋଇ ପଡିବା ଫଳରେ ଅନେକ ଘରେ ନିଆଁ ଲାଗିଯାଇଥିଲା । ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ବିମାନରେ ୨ ଜଣ ରହିଥିଲେ । ବିମାନ ଦୁର୍ଘଟଣା ହେବା ପରେ ଘରେ କିଭଳି ନିଆଁ ଲାଗିଯାଇଥିଲା, ତା’ର ଭିଡିଓ ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଖବର ମୁତାବକ, ଡବଲ ଇଂଜିନି ଥିବା ସେସନା ୪୨୧ ସି ବିମାନ ପୋର୍ଟଲାଣ୍ଡ ବିମାନର ପୂର୍ବରେ ୩୦ ମିନିଟ ଦୂର ସ୍ଥିତ ଟ୍ରାଉଟଡେଲ ବିମାନବନ୍ଦର ପାଖରେ ସକାଳ ୧୦.୩୦ ମିନିଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ଫେଡେରାଲ ଆଭିଏସନ ବିଭାଗ କହିଛି ।

ଦମକଳ ବିଭାଗର ପ୍ରମୁଖ ସ୍କର୍ଟ ଲୁଇସ କହିଛନ୍ତି, ବିମାନ ଧକ୍କା ଖାଇବା ପରେ ନିଆଁ ଅତିକମରେ ୪ଟି ଘରକୁ ବ୍ୟାପିଥିଲା । ଏଥିପାଇଁ ଅନେକ ପରିବାର ବିସ୍ତାପିତ ହୋଇଯାଇଛନ୍ତି । ଘଟଣା ସ୍ଥଳରେ ୨ ଜଣଙ୍କର ଚିକିତ୍ସା ଚାଲିଛି । କିନ୍ତୁ କେତେ ଜଣ ଆହତ ହୋଇଛନ୍ତି, ତାହା ଜଣାପଡିନାହିଁ ।

ବିମାନଟି ତଳେ ପଡିବା ଯୋଗୁଁ ଅନେକ ବିଦୁ୍ୟତ ତାର ମଧ୍ୟ ଛିଡିଯାଇଛି । ଫଳରେ ଏକ ବିଲରେ ନିଆଁ ଲାଗିଯାଇଛି । ବିମାନଟି ଘରେ ଧକ୍କା ଖାଇବା ଯୋଗୁଁ ଅନେକ ଘରେ ନିଆଁ ଲାଗିଯାଇଛି । ଏହି ଅଞ୍ଚଳରେ ପାଖାପାଖି ୧୦,୦୦୦ ଲୋକ ରହୁଥିଲେ । ତେବେ ବିମାନଟି ଦୁର୍ଘଟଣା ହେବା ପୂର୍ବରୁ ଆପତ୍ତକାଳୀନ ସ୍ଥିତି ନେଇ କୌଣସି ଖବର ଆସିନଥିଲା । ରାଷ୍ଟ୍ରୀୟ ପରିବହନ ସୁରକ୍ଷା ବୋର୍ଡ ଦୁର୍ଘଟଣା ବିଷୟରେ ଯାଞ୍ଚ କରୁଛି ।

ଆମେରିକାର ମିସିସିପିରେ ବସ୍‌ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ୩୭ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ମିସିସିପିରେ ଇଣ୍ଟରଷ୍ଟେଟ ମାର୍ଗ ୨୦ରେ ବସ୍‌ ଟାୟାର ଫାଟିବା ଯୋଗୁଁ ଅନିୟନ୍ତ୍ରିତ ହୋଇ ବସ୍‌ ଓଲଟିପଡିଥିଲା ।