ଆମେରିକାରେ ତୁଷାର ଝଡ଼ର ତାଣ୍ଡବ! ୭୦ ହଜାରରୁ ଅଧିକ ଘରେ ବିଦ୍ୟୁତ୍‌ ଠପ୍‌, ୪୦୦ ବିମାନ ବାତିଲ

ଆମେରିକାରେ ତୁଷାର ଝଡ଼ର ପ୍ରକୋପ ଦେଖିବାକୁ ମିଳିଛି। ଉତ୍ତର-ପୂର୍ବର କିଛି ଭାଗରେ ମଙ୍ଗଳବାର ଆସିଥିବା ତୁଷାର ଝଡ଼ ବ୍ୟାପକ କ୍ଷୟକ୍ଷତି ଘଟାଇଛି।

ଆମେରିକାରେ ମଙ୍ଗଳବାର ଏକ ତୁଷାର ଝଡ଼ର ପ୍ରକୋପ ଦେଖିବାକୁ ମିଳିଛି। ଆମେରିକାର ଉତ୍ତର-ପୂର୍ବର କିଛି ଭାଗରେ ମଙ୍ଗଳବାର ଆସିଥିବା ଏହି ତୁଷାର ଝଡ଼ ବ୍ୟାପକ କ୍ଷୟକ୍ଷତି ଘଟାଇଛି, ଯଦ୍ଦ୍ଵାରା ହଜାର ହଜାର ଘରର ବିଦ୍ୟୁତ୍‌ ଲାଇନ୍‌ କଟିଯାଇଛି। ଏଭଳି ସ୍ଥିତିରେ ସ୍କୁଲଗୁଡ଼ିକୁ ମଧ୍ୟ ବନ୍ଦ କରିବାକୁ ପଡ଼ିଛି।

ସୂଚନା ଅନୁସାରେ, ମଙ୍ଗଳବାର ଆସିଥିବା ତୁଷାର ଝଡ଼ରେ ନ୍ୟୁ ଇଂଲଣ୍ଡ, ନ୍ୟୁୟର୍କ, ଉତ୍ତର-ପୂର୍ବ ପେନସିଲଭାନିଆ ଏବଂ ଉତ୍ତର ନ୍ୟୁ ଜର୍ସିର କିଛି ଭାଗ ପ୍ରଭାବିତ ହୋଇଛି। ଏହା ବ୍ୟତୀତ ଉତ୍ତର ନ୍ୟୁୟର୍କ ଏବଂ କ୍ୟାଟସ୍କିଲ ପର୍ବତର କିଛି ଭାଗରେ ପାଖାପାଖି ଦୁଇ ଫୁଟ ପର୍ଯ୍ୟନ୍ତ ବରଫ ଜମା ହୋଇ ରହିଛି। ସ୍ଥାନୀୟ ଲୋକ କହିଛନ୍ତି ଯେ ତୁଷାର ଝଡ଼ ଯୋଗୁ ବୁଧବାର ପର୍ଯ୍ୟନ୍ତ ଆହୁରି ବି ଅଧିକ ତୁଷାରପାତ ହେବାର ଆଶଙ୍କା ରହିଛି।

ନ୍ୟୁୟର୍କର ଗଭର୍ଣ୍ଣର କାଥି ହୋଚୁଲ ମଙ୍ଗଳବାର ବିଳମ୍ବିତ ରାତିରେ ଟୁଇଟ୍ କରି କହିଛନ୍ତି, ପ୍ରବଳ ତୁଷାରପାତ ଆଜି ରାଜ୍ୟର ଅଧିକାଂଶ ଅଞ୍ଚଳକୁ ପ୍ରଭାବିତ କରିଛି ଏବଂ ଏହା ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ସେ କହିଛନ୍ତି ଯେ ୭୪,୭୦୦ରୁ ଅଧିକ ଘରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି। ରାତିରେ ପ୍ରବଳ ବେଗରେ ପବନ ବହିବାର ଅନୁମାନ କରାଯାଉଛି।

ଆମେରିକାର ପୂର୍ବୋତ୍ତରରେ ଏହି ତୁଷାର ଝଡ଼ ସେହି ସମୟରେ ଆସିଛି, ଯେତେବେଳେ କାଲିଫର୍ଣ୍ଣିଆର ପଜାରୋ ନଦୀ ବନ୍ଧ ଭାଙ୍ଗିଯିବା ଫଳରେ ବହୁ କ୍ଷୟକ୍ଷତି ହୋଇଛି। ନଦୀ ବନ୍ଧ ଭାଙ୍ଗିଯିବା ଫଳରେ ୧,୫୦୦ରୁ ଅଧିକ ଲୋକ ଫସି ରହିଥିଲେ। ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ସେପଟେ ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟ୍‌ଅେଓ୍ଵୟାର ଅନୁସାରେ, ତୁଷାର ଝଡ଼ ଯୋଗୁ ବୋଷ୍ଟନ୍ ଏବଂ ନ୍ୟୁୟର୍କ ବିମାନବନ୍ଦରରୁ ୪୦୦ରୁ ଅଧିକ ଉଡ଼ାଣକୁ ବାତିଲ କରାଯାଇଛି।