୧୬ କୋଟି ଲୋକଙ୍କୁ ଗରିବ କରି ଦେଇଛି କରୋନା ମହାମାରୀ! ‘Inequality Kills’ ରିପୋର୍ଟରେ ଖୁଲାସା

କରୋନା ଭାଇରସ୍ ମହାମାରୀର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିଛି। ପ୍ରଥମ ଦୁଇ ବର୍ଷରେ ୯୯ ପ୍ରତିଶତ ଲୋକଙ୍କ ଆୟ ହ୍ରାସ ପାଇଛି। ସେଠି ୧୬ କୋଟିରୁ ଅଧିକ ଲୋକ ଗରିବ ଶ୍ରେଣୀକୁ ଆସି ଯାଇଛନ୍ତି। ଅନ୍ୟ ପକ୍ଷରେ ମହାମାରୀ କାଳରେ ମଧ୍ୟ ଦୁନିଆର ୧୦ ସବୁଠାରୁ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ବୃଦ୍ଧି ପାଇଛି। ପ୍ରତିଦିନ ୧.୩ ବିଲିୟନ ଡଲାର (୯,୦୦୦ କୋଟି ଟଙ୍କା) ଦରରେ ସେମାନଙ୍କ ସମ୍ପତ୍ତି ବଢ଼ି ୧,୫୦୦ ବିଲିୟନ ଡଲାର (୧୧୧ ଲକ୍ଷ କୋଟିରୁ ଅଧିକ)ରେ ପହଞ୍ଚିଛି। ବିଶ୍ୱ ଆର୍ଥିକ ମଞ୍ଚ (WEF) ଅନଲାଇନ ଦାଭୋସ୍ ଏଜେଣ୍ଡା ସମ୍ମିଳନୀର ପ୍ରଥମ ଦିନରେ ‘Inequality Kills’ ରିପୋର୍ଟ ଜାରି କରିଛି। ଏହି ରିପୋର୍ଟରେ ଅକ୍ସଫାମ ଇଣ୍ଟରନ୍ୟାସନାଲ କହିଛି ଯେ ଅସମାନତା କାରଣରୁ ପ୍ରତିଦିନ ଅତି କମରେ ୨୧,୦୦୦ ଲୋକ ଅର୍ଥାତ୍ ପ୍ରତି ୪ ସେକେଣ୍ଡରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟୁଛି।
୧୦ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ବଢ଼ିଲା
ଏହି ରିପୋର୍ଟରେ ସ୍ୱାସ୍ଥ୍ୟ ସେବା, ଲିଙ୍ଗ ଭିତ୍ତିକ ହିଂସା, ଭୋକ ଏବଂ ଜଳବାୟୁ କାରଣରୁ ବିଶ୍ୱ ସ୍ତରରେ ହେଉଥିବା ମୃତ୍ୟୁ ଉପରେ ନିଷ୍କର୍ସ ବାହାର କରାଯାଇଛି। ରିପୋର୍ଟ ମୁତାବକ, ଦୁନିଆର ୧୦ ଜଣ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ମହାମାରୀର ପ୍ରଥମ ଦୁଇ ବର୍ଷରେ ୧୫,୦୦୦ ଡଲାର ପ୍ରତି ସେକେଣ୍ଡ ଦରରେ ବୃଦ୍ଧି ପାଇଛି। ଯଦି ଏହି ୧୦ ବ୍ୟକ୍ତି ନିଜ ସମ୍ପତ୍ତିର ୯୯.୯୯୯ ପ୍ରତିଶତ ବି ହରାଇ ଦିଅନ୍ତି, ତଥାପି ମଧ୍ୟ ସେମାନେ ଦୁନିଆର ୯୯ ପ୍ରତିଶତ ଲୋକଙ୍କ ଅପେକ୍ଷା ଅଧିକ ଧନୀ ରହିବେ। ଅକ୍ସଫାମ ଇଣ୍ଟରନ୍ୟାସନାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗାବ୍ରିଏଲା ବୁଚର୍ କହିଛନ୍ତି, ଦୁନିଆର ଶ୍ରେଷ୍ଠ ୧୦ ଧନୀ ବ୍ୟକ୍ତିଙ୍କ ପାଖରେ ସବୁଠାରୁ ଗରିବ ୩.୧ ବିଲିୟନ ଲୋକଙ୍କ ତୁଳନାରେ ୬ ଗୁଣା ଅଧିକ ସମ୍ପତ୍ତି ରହିଛି। ଅକ୍ସଫାମ ଇଣ୍ଟରନ୍ୟାସନାଲ ମୁତାବକ, ଅରବପତିଙ୍କ ସମ୍ପତ୍ତି ବିଗତ ୧୪ ବର୍ଷ ତୁଳନାରେ ମହାମାରୀର ଗତ ଦୁଇ ବର୍ଷରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି।
ହିଂସା ବଢ଼ିଛି
ଦୁନିଆର ୧୦ ସବୁଠାରୁ ଧନୀ ବ୍ୟକ୍ତିଙ୍କର ମହାମାରୀ ସମୟରେ ହୋଇଥିବା ରୋଜଗାର ଉପରେ ଥରକର ଟିକସ ସମଗ୍ର ବିଶ୍ୱର ଲୋକଙ୍କୁ ପର୍ଯ୍ୟାପ୍ତ ପରିମାଣରେ କରୋନା ପ୍ରତିରୋଧକ ଟିକା, ସାର୍ବଭୌମିକ ସ୍ୱାସ୍ଥ୍ୟ ସେବା ଏବଂ ସାମାଜିକ ସୁରକ୍ଷା ପ୍ରଦାନ କରି ପାରିବ। ବୁଚର୍ ଅଭିଯୋଗ କରିଛନ୍ତି ଯେ ମହାମାରୀକୁ ନେଇ ବିଶ୍ୱର ପ୍ରତିକ୍ରିୟା ଆର୍ଥିକ ହିଂସା, ଜାତିଗତ ହିଂସା, ସୀମାନ୍ତ ବର୍ଗର ଲୋକଙ୍କ ପ୍ରତି ହିଂସା ଏବଂ ଲିଙ୍ଗ ଭିତ୍ତିକ ହିଂସାକୁ ବଢ଼ାଇ ଦେଇଛି। ରିପୋର୍ଟରେ କୁହାଯାଇଛି କି, ୨୦୨୦ରେ ମହିଳାମାନଙ୍କୁ ସାମୂହିକ ଭାବରେ ୮୦୦ ବିଲିୟନ ଡଲାର ରୋଜଗାରର କ୍ଷତି ହୋଇଛି। କରୋନା ପୂର୍ବରୁ ଅର୍ଥାତ୍ ବର୍ଷ ୨୦୧୯ ତୁଳନାରେ ବର୍ତ୍ତମାନ ୧.୩ କୋଟି କମ୍ ମହିଳା କାମ କରୁଛନ୍ତି। ସେପଟେ ୨୫୨ ପୁରୁଷଙ୍କ ପାଖରେ ଆଫ୍ରିକା, ଲାଟିନ୍ ଆମେରିକା ଏବଂ କାରିବିଆନ୍ ଦେଶଗୁଡିକର ୧ ବିଲିୟନ ମହିଳା ଓ ଯୁବତୀଙ୍କର ମୋଟ ସମ୍ପତ୍ତିଠାରୁ ଅଧିକ ସମ୍ପତ୍ତି ରହିଛି।