ସାମାଜିକ କାର୍ୟ୍ୟକର୍ତ୍ତାଙ୍କ ଘରେ ରେଡ୍ : ଗିରଫଦାରୀକୁ ନେଇ ଦେଶବ୍ୟାପୀ ଉଦବେଗ

ନୂଆଦିଲ୍ଲୀ (କେନ୍ୟୁଜ୍) : ଦେଶର ବିଭିନ୍ନ ସ୍ଥାନରେ ସାମାଜିକ କାର୍ୟ୍ୟକର୍ତ୍ତାଙ୍କ ଘରେ ରେଡ୍। ଏ ପର୍ୟ୍ୟନ୍ତ ଗିରଫ ହେଲେଣି ୫ ଜଣ। ଭୀମା କୋରେଗାଁଓ ହିଂସାକୁ ନେଇ ଦେଶର ୮ଟି ସ୍ଥାନରେ ଚଢାଉ କରିଥିଲା ପୁନେ ପୋଲିସ । ହାଇଦ୍ରାବାଦ୍, ରାଞ୍ଚି, ଦିଲ୍ଲୀ, ଛତିଶଗଡ ଓ ମୁମ୍ବାଇରେ ଏକକାଳୀନ ଚଢାଉ ହୋଇଥିଲା। ମାଓବାଦୀଙ୍କ ସହ ସଂପୃକ୍ତି ଥିବା ଅଭିଯୋଗରେ ସାମାଜିକ କର୍ମୀ, ବରିଷ୍ଠ ଆଇନଜୀବୀ ଓ ମାଓ ସମର୍ଥକଙ୍କୁ ଗିରଫ କରାଯାଉଛି। ହାଇଦ୍ରାବାଦରୁ ଗିରଫ ହୋଇଛନ୍ତି ମାଓ ସମର୍ଥକ ବରବରା ରାଓ। ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା, ବରବରାଙ୍କ ପରିବାର ତରଫରୁ କୁହାଯାଇଛି। ହାଇଦ୍ରାବାଦ୍ ସ୍ଥିତ ବରବରା ରାଓଙ୍କ ଘରେ ୮ ଘଣ୍ଟା ଧରି ଚଢାଉ କରିଥିଲା ପୋଲିସ ।
ସ୍ଥାନୀୟ କୋର୍ଟରେ ହାଜର କରି ପୁଣେ ପୋଲିସ ବରବରା ରାଓଙ୍କୁ ରିମାଣ୍ଡରେ ନେଇଛି। ସେହିପରି ମୁମ୍ବାଇରେ ବିଶିଷ୍ଟ ସାମାଜିକ କର୍ମୀ ତଥା ଆଇନଜୀବୀ ଭର୍ଣ୍ଣନ ଗଞ୍ଜାଲଭେସ୍ ଓ ଅରୁଣ ପେରେରାଙ୍କ ଘରେ ରେଡ କରାଯାଇ ଉଭୟଙ୍କୁ ଗିରଫ କରାଯାଇଛି। ମାଓ ଲିଂକରେ ଗିରଫ ୫ ଜଣଙ୍କ ପାଇଁ ଏହି ଦୁଇ ଆଇନଜୀବୀ କେସ୍ ଲଢୁଥିଲେ। ରାଞ୍ଚିରେ ମଧ୍ୟ ଫାଦର ଷ୍ଟାନ ସ୍ୱାମୀଙ୍କ ଘରେ ପୁନେ ପୋଲିସର ଏକ ଟିମ୍ ଚଢାଉ କରିଛି। ସେହିପରି ଦିଲ୍ଲୀରୁ ସାମାଜିକ କର୍ମୀ ଗୌତମ ନାଭଲଖା ଓ ଛତିଶଗଡ ରାଞ୍ଚିରୁ ଟ୍ରେଡ ୟୁନିୟନ ନେତ୍ରୀ ସୁଧା ଭରଦ୍ୱାଜଙ୍କୁ ଗିରଫ ହୋଇଛନ୍ତି । ସକାଳ ୬ଟାରୁ ଦେଶର ୮ଟି ସ୍ଥାନରେ ପୁନେ ପୋଲିସ ଚଢାଉ କରିଥିଲା ।
ଚଢାଉ ବେଳେ ବହୁ କାଗଜପତ୍ର, ଲାପଟପ, ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ୫ ଜଣ ସାମାଜିକ କର୍ମୀଙ୍କୁ ଏବେ ପଚରାଉଚରା କରାଯାଉଥିବା ପୁନେ ପୋଲିସ ସୂଚନା ଦେଇଛି। ଭୀମାକାରେଗାଁଓ ଯୁଦ୍ଧର ୨ଶହ ବର୍ଷ ପୂର୍ତ୍ତି ଅବସରରେ ଏଲଗାର ପରିଷଦ ପକ୍ଷରୁ ୨୦୧୭ ଡିସେମ୍ବର ୩୧ ତାରିଖରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ସମୟରେ ସେଠାରେ ହିଂସାକାଣ୍ଡ ଘଟିଥିଲା। ହିଂସାର ତଦନ୍ତ ବେଳେ, ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ପାଇଁ ମାଓବାଦୀମାନେ ଷଡ଼ଯନ୍ତ୍ର କରୁଥିବା ଘଟଣା ପଦାକୁ ଆସିଥିଲା। ଉଠିଥିଲା ସହରାଞ୍ଚଳ ମାଓବାଦୀ କଥା। ବର୍ତ୍ତମାନ ସାମାଜିକ କର୍ମୀମାନଙ୍କୁ ଗିରଫ କରାଯିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।