ଉତ୍ତରପ୍ରଦେଶ : ଅଳ୍ପକେ ବର୍ତ୍ତିଗଲା ଗଲା ବଡ ରେଳ ଦୁର୍ଘଟଣା । ଟ୍ରାକରେ ପଡିଥିଲା ଗଦା ଗଦା ମାଟି । ଆଉ ମାଟି ଯୋଗୁଁ ଟ୍ରାକ କିଛି ବି ଦେଖାଯାଉନଥିଲା । ଲୋକ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବର୍ତ୍ତିଗଲା ବଡ ଦୁର୍ଘଟଣା । ଏଭଳି ଘଟଣା ଉତ୍ତରପ୍ରଦେଶ ରାୟବରେଲିରେ ଘଟିଛି ।
ଖବର ମୁତାବକ, ରାୟବରେଲି ଜିଲ୍ଲାର ରଘୁରାଜ ସିଂହ ରେଲୱେ ଷ୍ଟେସନ ନିକଟ ଟ୍ରାକ୍ରେ ମାଟି ଗଦା ହୋଇଥିଲା । ରାୟବରେଲି ରଘୁରାଜପୁର ଶଟଲ ଟ୍ରେନ ଲୋକ ପାଇଲଟ ଏହା ଦେଖି ଏମରଜେନ୍ସି ବ୍ରେକ ମାରିଥିଲେ । ଫଳରେ ଟ୍ରେନଟି ଅଟକି ଯାଇଥିଲା । ଘଟଣା ସ୍ଥଳରେ ତୁରନ୍ତ ରେଲୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ୍ରୁ ମାଟି ସଫା କରାଯିବା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା । ତେବେ ଟ୍ରେନଟି ଆଉଟଡୋରରେ ଥିବାରୁ ସ୍ପିଡ କମ୍ ରହିଥିଲା । ଯଦି ଟ୍ରେନର ଗତି ଅଧିକ ଥାଆନ୍ତା, ତେବେ ଟ୍ରେନ ଦୁର୍ଘଟଣା ନିଶ୍ଚିତ ହୋଇଥାନ୍ତା ।
ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଟ୍ରାକ ନିକଟରେ ରାସ୍ତା ନିର୍ମାଣ କାମ ଚାଲୁ ରହିଛି । ଗତ ସନ୍ଧ୍ୟାରେ ଏକ ଡମ୍ଫର ମାଟି ବୋଝେଇ କରି ଆଣି ଟ୍ରାକ୍ରେ ପକାଇ ଦେଇଥିଲା । ଏହାପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରି ଡମ୍ପର ଚାଳକଙ୍କୁ ଖୋଜୁଛି ।
ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଟ୍ରାକ୍ରେ ବିଭିନ୍ନ ଜିନିଷ ପକାଇ ଟ୍ରେନ ଦୁର୍ଘଟଣାର ଷଡଯନ୍ତ୍ର ଘଟଣା ସାମ୍ନାକୁ ଆସୁଛି । କେତେବେଳେ ଟ୍ରାକ୍ରୁ ଲୁହା ପ୍ଲେଟ, ତ କେତେବେଳେ ଗ୍ୟାସ୍ ସିଲିଣ୍ଡର, କେତେବେଳେ ବଡ଼ବଡ଼ ସିମେଣ୍ଟ ଖଣ୍ଡ ମିଳୁଛି । ଏଭଳି କାମ କିଏ କରୁଛି, ତାହାର ପର୍ଦାଫାସ ହୋଇପାରୁନାହିଁ । ତୁରନ୍ତ ରେଳବାଇ ପକ୍ଷରୁ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଲୋକେ ଦାବି କରୁଛନ୍ତି ।