ଜମ୍ମୁ-କାଶ୍ମୀର: ରାତି ସାରା ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର, ଜଣେ ଯବାନ ସହିଦ, ଜଣେ ଆହତ

ଜମ୍ମୁ-କାଶ୍ମୀରର ସୋପୋରରେ ଆତଙ୍କବାଦୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି । ଏଥିରେ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି । ସୋପୋର ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ରାତି ସାରା ଚାଲିଥିବା ଏନକାଉଣ୍ଟରରେ ସେନାର ଜଣେ ଯବାନ ସହିଦ ହୋଇଥିବା ଅଧିକାରୀମାନେ ସୋମବାର ସୂଚନା ଦେଇଛନ୍ତି ।

ଅଧିକାରୀ କହିଛନ୍ତି ଯେ ସୋପୋର ପୋଲିସ ଜିଲ୍ଲାର ଜାଲୁରା ଗୁଜରପଟ୍ଟିରେ ଏକ ସ୍ଥାନରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା । ଏଥିରେ ଯବାନ ଜଣକ ଆହତ ହୋଇଥିଲେ । ତାଙ୍କୁ ଏନକାଉଣ୍ଟର ସ୍ଥଳରୁ ବାହାରକୁ ନିଆଯିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା ।

ସୁରକ୍ଷା ବାହିନୀ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନକୁ ରବିବାର ଘେରାଉ କରିନେଇଥିଲେ । ସେମାନେ ଜାଲୁରା ଗୁଜରପଟ୍ଟିରେ ରାତିରେ କଡ଼ା ନଜର ରଖିଥିଲେ ଏବଂ ଆଜି ସକାଳେ ଏହି ଅଞ୍ଚଳରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସନ୍ଧାନକୁ ଜୋରଦାର କରିଥିଲେ ।

ଅଧିକାରୀଙ୍କ ମୁତାବକ, ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଏକ ଗୁପ୍ତ ସୂଚନା ମିଳିଥିଲା । ଏହି ତଥ୍ୟକୁ ଆଧାର କରି ଜାନୁୟାରୀ ୧୯ରେ ଗୁଜରପଟ୍ଟି, ସୋପୋର ଓ ବାରାମୁଲ୍ଲାରେ ଭାରତୀୟ ସେନା ଏବଂ ଜମ୍ମୁ-କାଶ୍ମୀର ପୋଲିସ ଦ୍ୱାରା ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା । ଏଠାରେ ସନ୍ଦେହଜନକ ଗତିବିଧି ସମ୍ପର୍କରେ ସୂଚନା ମିଳିବା ପରେ ଯବାନମାନେ ଆତଙ୍କବାଦୀଙ୍କୁ ଚ୍ୟାଲେଞ୍ଜ କରିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିବାରୁ ସେନା ଜବାବୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ।

ଆହୁରି ପଢ଼ନ୍ତୁ: ଓଡ଼ିଶା-ଛତିଶଗଡ଼ ସୀମାରେ ବଡ଼ ଧରଣର ଅପରେସନ, ନୂଆପଡ଼ା ସୀମାରୁ ପ୍ରାୟ ସାଢ଼େ ୫ କିମି ଦୂରରେ ଅପରେସନ

You might also like