ସୀମାପାର ଗୁଳିଚାଳନା ଯୋଗୁଁ ସହିଦ ହେଲେ ସୈନିକ ଏମ୍ ମୁରଲୀ ନାୟକ

ଦେଶ ପାଇଁ ଜୀବନ ଦେଇଦେଲେ ମୁରଲୀ । ତାଙ୍କ ବୀରତ୍ବର ଗାଥା ଏବେ ସାରା ଦେଶରେ ହେଉଛି । ବାପାଙ୍କ କଥା ନମାନି ସେନାରେ ହୋଇଥିଲେ ଭର୍ତ୍ତି । କିନ୍ତୁ ‘ଅପରେସନ୍ ସିନ୍ଦୂର’ରେ ଚାଲିଗଲା ବୀର ଯବାନଙ୍କ ପ୍ରାଣ । ସହିଦ ହୋଇଛନ୍ତି ଆଉ ଜଣେ ବୀର ଯବାନ । ମାତ୍ର ୨୩ ବର୍ଷ ବୟସରେ ନିଜ ବୀରତ୍ବର ଛାପ ଛାଡ଼ିଯାଇଛନ୍ତି ମୁରଲୀ ନାୟକ ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ଭିତରେ ସୀମାପାର ଗୁଳିଚାଳନା ଯୋଗୁଁ ସୈନିକ ଏମ୍ ମୁରଲୀ ନାୟକ ସହିଦ ହୋଇଛନ୍ତି । ସେ ତାଙ୍କ ପରିବାରର ଏକମାତ୍ର ସନ୍ତକ ଥିଲେ । କିନ୍ତୁ ପାକିସ୍ତାନ ଆକ୍ରମଣର ଶିକାର ହୋଇ ସହିଦ ହୋଇଗଲେ ମୁରଲୀ ।

ଜମ୍ମୁ-କାଶ୍ମୀରର ପୁଞ୍ଚରେ ସୀମାପାର ଗୁଳିଚାଳନା ସମୟରେ ସହିଦ ହୋଇଥିବା ସୈନିକ ମୁରଲୀ ନାଏକଙ୍କ ବାପା ଶ୍ରୀରାମ ନାଏକ ପୁଅ ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି । ଘର ଲୋକଙ୍କ ବାରଣ ସତ୍ତ୍ବେ ସେନାରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ ମୁରଲୀ । ସେ ଦେଶ ସେବା କରିବାକୁ ଚାହୁଁଥିଲେ। ଜୀବନରେ ଥରୁଟିଏ ପାଇଁ ସେନା ପୋଷାକ ପିନ୍ଧିବାକୁ ଚାହୁଁଥିଲେ । ଏହି ଆଶାରେ ସେ ୨୦୨୨ ମସିହାରେ ଅଗ୍ନିବୀର ନିଯୁକ୍ତିରେ ଯୋଗ ଦେଇଥିଲେ । କିନ୍ତୁ ଗତ ଶୁକ୍ରବାର ମେ ୯ ଭୋର ସମୟରେ ସେ ସହିଦ ହୋଇଛନ୍ତି ।

ସହିଦ ମୁରଲୀ ନାୟକଙ୍କ ବାପା ଶ୍ରୀରାମ ନାୟକ କହିଛନ୍ତି ଯେ ତାଙ୍କ ପୁଅ ମୁରଲୀ ସେନାରେ ସାମିଲ ହେବା ପାଇଁ ନାଶିକର ଦେଓଲାଲିରେ ଟ୍ରେନିଂ ନେଇଥିଲେ । ତେବେ ମୁରଲୀଙ୍କୁ ‘ଅପରେସନ୍ ସିନ୍ଦୂର’ ପାଇଁ ଜମ୍ମୁ ଓ କାଶ୍ମୀରରେ ପୋଷ୍ଟ କରାଯାଇଥିଲା, କିନ୍ତୁ ସେ ତାଙ୍କ ବାପା ମା’ଙ୍କୁ କହିଥିଲେ ଯେ ତାଙ୍କୁ ପଞ୍ଜାବରେ ପୋଷ୍ଟିଂ ଦିଆଯାଇଛି । ପୁଅ ପଞ୍ଜାବରେ ଥିବା ଭାବି ନିଶ୍ଚିନ୍ତରେ ଥିଲେ ବାପା ମା’ । କିନ୍ତୁ ଗତ କାଲି ସକାଳ ୯ ଟାରେ ମୁରଲୀଙ୍କ ବାପାଙ୍କୁ ସେନା ଅଧିକାରୀଙ୍କ ଫୋନ୍ ଆସିଲା, ଯାହା ପରେ ଭାଙ୍ଗି ପଡ଼ିଥିଲା ପୁରା ପରିବାର । ସିନ୍ଦୂର ଅପରେସନ୍ ସମୟରେ ପାକିସ୍ତାନ ଗୁଳିରେ ସହିଦ ହୋଇଯାଇଥିଲେ ସୈନିକ ମୁରଲୀ ନାଏକ ।

କହି ରଖୁଛୁ ତାଙ୍କୁ ପୂର୍ବରୁ ସିକିମରେ ପୋଷ୍ଟିଂ ଦିଆଯାଇଥିଲା । ପରେ ତାଙ୍କୁ କାଶ୍ମୀର ପଠାଯାଇଥିଲା । ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଥିଲେ। ତାଙ୍କ ବାପା ଜଣେ ଦିନମଜୁରିଆ ଶ୍ରମିକ ହୋଇଥିବା ବେଳେ ତାଙ୍କ ମାଆ ଗ୍ରୁହିଣୀ ଭାବେ କାମ କରନ୍ତି ।

ସହିଦ ମୁରଲୀଙ୍କ ମରଶରୀରକୁ ତାଙ୍କ ଜନ୍ମମାଟିକୁ ଅଣାଯିବ । ସହିଦ ମୁରଲୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଅଞ୍ଚଳର ଅନେକ ଲୋକ ଅପେକ୍ଷା କରିଛନ୍ତି । ମୁରଲୀ ନାଏକଙ୍କ ମୃତ୍ୟୁରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଶୋକ ପ୍ରକାଶ କରିଛନ୍ତି । ପୀଡିତ ପରିବାରକୁ ସହାୟତା ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁରଲୀଙ୍କ ଅନ୍ତିମ ସଂସ୍କାର ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲ୍ଲାର କାଲିତାଣ୍ଡାରେ ତାଙ୍କ ଜନ୍ମଭୂମିରେ କରାଯିବ ବୋଲି ସୂଚନା ମିଳିଛି । ସେ ଭାରତ ମାତାର ସୁରକ୍ଷା ପାଇଁ ବଳିଦାନ ଦେଇଛନ୍ତି । ଭଗବାନ ମୁରଲୀଙ୍କ ପରିବାରକୁ ଏହି କ୍ଷତି ସହିବା ପାଇଁ ଶକ୍ତି ଦିଅନ୍ତୁ । ସହିଦ ସ୍ୱର୍ଗତ ମୁରଲୀ ନାଏକଙ୍କ ବଳିଦାନକୁ ଦେଶ ସର୍ବଦା ମନେ ରଖିବ।

Also Read:ପାକିସ୍ତାନ ସେନା ଗୁଳିରେ ସହିଦ ହେଲେ ଦିନେଶ, ଭେଣ୍ଡିଆ ପୁଅକୁ ହରାଇ କାନ୍ଦୁଛି ମା’