ଟ୍ରେନ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ ! ଯାତ୍ରୀଙ୍କୁ ଓହ୍ଲାଇ ଷ୍ଟେସନରେ ଅଟକିଲା ସୋମନାଥ ଏକ୍ସପ୍ରେସ୍

ଟ୍ରେନ୍ ଭିତରେ ବୋମା ଆତଙ୍କ । ପଞ୍ଜାବରେ କେହି ଜଣେ ଅଜଣା ବ୍ୟକ୍ତି ସୋମନାଥ ଏକ୍ସପ୍ରେସ୍ରେ ବୋମା ଥିବା ନେଇ ଫୋନ୍ରେ ସୂଚନା ଦେଇଛନ୍ତି, ଯାହାପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ଖେଳିଯାଇଛି । ଏହି ଟ୍ରେନ୍ ଜମ୍ମୁ ଓ ରାଜସ୍ଥାନ ମଧ୍ୟରେ ଚାଲିଥାଏ । ଏପରି ଧମକପୂର୍ଣ୍ଣ ଫୋନ୍ କଲ୍ ମିଳିବା ପରେ ସୋମନାଥ ଏକ୍ସପ୍ରେସ୍କୁ ପଞ୍ଜାବର ଫିରୋଜପୁର ଜିଲ୍ଲାରେ ଏକ ରେଳ ଷ୍ଟେସନରେ ଅଟକାଯାଇଛି ।
ଜଣେ ପୋଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି, ଅଜଣା ବ୍ୟକ୍ତି ଜଣକ କଲ୍ କରି ଟ୍ରେନ୍ରେ ବୋମା ଥିବାର ଦାବି କରିଥିଲେ । ଏହାପରେ ତତ୍କ୍ଷଣାତ୍ ସମସ୍ତ ଯାତ୍ରୀଙ୍କୁ କାସୁ ବେଗୁ ଷ୍ଟେସନରେ ଓହ୍ଲାଇ ଦିଆଯାଇଥିଲା । ସୋମନାଥ ଏକ୍ସପ୍ରେସ୍ ଜମ୍ମୁ-କାଶ୍ମୀରରେ ଜମ୍ମୁ ତଓ୍ଵି ଏବଂ ରାଜସ୍ଥାନରେ ଭଗତର କୋଠି ମଧ୍ୟରେ ଚାଲିଥାଏ ।
ବରିଷ୍ଠ ପୋଲିସ ଅଧୀକ୍ଷକ (ଏସ୍ଏସ୍ପି) ସୌମ୍ୟା ମିଶ୍ର କହିଛନ୍ତି ଯେ ସୋମନାଥ ଏକ୍ସପ୍ରେସ୍ ଟ୍ରେନ୍ରେ ବୋମା ଥିବା ନେଇ ପୋଲିସ କଣ୍ଟ୍ରୋଲ ରୁମ୍କୁ କଲ୍ ଆସିଥିଲା । ଏହାପରେ ଟ୍ରେନ୍କୁ ଫିରୋଜପୁରରୁ ପ୍ରାୟ ୧୦ କିଲୋମିଟର ଦୂର କାସୁ ବେଗୁ ରେଳ ଷ୍ଟେସନରେ ତୁରନ୍ତ ଅଟକାଯାଇଥିଲା । ଏସ୍ଏସ୍ପି କହିଛନ୍ତି, ଯାତ୍ରୀମାନଙ୍କୁ ବାହାର କରାଯାଇ ଅଞ୍ଚଳକୁ ଘେରାଉ କରି ଦିଆଯାଇଛି । ପଞ୍ଜାବ ପୋଲିସର ୩ଟି ବୋମା ନିଷ୍କ୍ରିୟକାରୀ ଟିମ୍କୁ ଘଟଣାସ୍ଥଳକୁ ଡକାଯାଇଛି । ରାଜ୍ୟ ପୋଲିସ ଏବଂ ସୀମା ସୁରକ୍ଷା ବଳର ଡଗ୍ ସ୍କାଡ୍ ମଧ୍ୟ ଉପସ୍ଥିତ ଅଛନ୍ତି ।
ଏଥି ସହିତ ଜିଆର୍ପି ଏବଂ ରେଳ ସୁରକ୍ଷା ବଳ ସର୍ଚ୍ଚ ଅପରେସନରେ ନିୟୋଜିତ ଅଛନ୍ତି । ଘଟଣାସ୍ଥଳରେ ଆମ୍ବୁଲାନ୍ସ ଏବଂ ଦମକଳ ଗାଡ଼ି ମଧ୍ୟ ମୁତୟନ ରହିଛି । ସ୍ଥାନୀୟ ଅଞ୍ଚଳର ଲୋକମାନେ ରେଳ ଷ୍ଟେସନରେ ଯାତ୍ରୀମାନଙ୍କୁ ଚା’ ଏବଂ ଭୋଜନ ଉପଲବ୍ଧ କରାଇଥିଲେ ।