୨୪ ଆକବର ନୁହେଁ…୯ଏ କୋଟଲା ରୋଡ୍ ହେଲା କଂଗ୍ରେସର ନୂଆ ଠିକଣା; ସୋନିଆ ଗାନ୍ଧି କଲେ ‘ଇନ୍ଦିରା ଭବନ’ ଉଦଘାଟନ

କଂଗ୍ରେସର ନୂଆ ହେଡକ୍ଵାର୍ଟର ‘ଇନ୍ଦିରା ଭବନ’କୁ ଆଜି ଉଦଘାଟନ କରିଛନ୍ତି ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧି । ନୂଆ ଭବନକୁ ସିଫ୍ଟ ହୋଇଛି କଂଗ୍ରେସ ମୁଖ୍ୟାଳୟ । ପୂର୍ବରୁ ଏହା ୨୪ ଆକବର ରୋଡରେ ଥିଲା । ୪୭ ବର୍ଷ ଧରି ଏହି ବିଲ୍ଡିଂରେ ହିଁ କଂଗ୍ରେସ ପାର୍ଟି ଚାଲିଆସୁଥିଲା । ଏବେ ଏହାକୁ ୯ଏ କୋଟଲା ରୋଡସ୍ଥିତ ‘ଇନ୍ଦିରା ଭବନ’କୁ ସ୍ଥାନାନ୍ତର କରି ଦିଆଯାଇଛି । ଏହି ବିଲ୍ଡିଂ ନିର୍ମାଣ ପାଇଁ ୯ ବର୍ଷ ଲାଗିଥିଲା ।
‘ଇନ୍ଦିରା ଭବନ’ ଉଦଘାଟନ ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେ, ସାଂସଦ ରାହୁଲ ଗାନ୍ଧିଙ୍କ ସହ ଦଳର ଅନ୍ୟ ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ । ଏହି ପାଞ୍ଚ ମହଲା ବିଶିଷ୍ଟ ମୁଖ୍ୟାଳୟରୁ ଦଳ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବ । ୨୦୦୯ ଡିସେମ୍ବର ୨୮ରେ ସୋନିଆ ଗାନ୍ଧି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।
କଂଗ୍ରେସର ଏହି ନୂଆ ହେଡକ୍ଵାର୍ଟରରେ ଅନେକ ଅତ୍ୟାଧୁନିକ ସୁବିଧା ରହିଛି । ବିଲ୍ଡିଂର ଠିକ୍ ମଝିରେ ରିସେପ୍ସନ୍ ନିର୍ମାଣ କରାଯାଇଛି । ତଳ ମହଲାର ବାମ ପାର୍ଶ୍ୱରେ ଏକ ହାଇ-ଟେକ୍ ସାମ୍ବାଦିକ ସମ୍ମିଳନୀ କକ୍ଷ ରହିଛି । କଂଗ୍ରେସର ମିଡିଆ ପ୍ରଭାରୀଙ୍କ କାର୍ଯ୍ୟାଳୟ ମଧ୍ୟ ଏହି ପାର୍ଶ୍ଵରେ ରହିଛି । କାର୍ଯ୍ୟକ୍ରମ ପାଇଁ ପ୍ରଥମ ମହଲାରେ ହାଇ-ଟେକ୍ ଅଡିଟୋରିୟମ୍ ନିର୍ମାଣ କରାଯାଇଥିବା ବେଳେ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ମହଲାରେ ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ଅଧିକାରୀଙ୍କ କାର୍ଯ୍ୟାଳୟ କରାଯାଇଛି । ଏଠାରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ମଲ୍ଲିକାର୍ଜୁନ ଖରଗେଙ୍କର ଅଲଗା କାର୍ଯ୍ୟାଳୟ ରହିବ ।
ରିସେପ୍ସନ୍ ପଛକୁ ଏକ କ୍ୟାଣ୍ଟିନ ଏରିଆ ତିଆରି କରାଯାଇଛି । କୃଷକ ଏବଂ ତଥ୍ୟ ବିଭାଗ ପାଇଁ ଅଲଗା କୋଠରୀ ରହିବ । ଟିଭି ବିତର୍କରେ ଭାଗ ନେଉଥିବା ବକ୍ତାମାନଙ୍କ ପାଇଁ ଛୋଟ ସାଉଣ୍ଡ ପ୍ରୁଫ୍ ଚାମ୍ବର ନିର୍ମାଣ କରାଯାଇଛି । ଏହାର ଠିକ୍ ପାଖରେ ତିଆରି ହୋଇଛି ସାମ୍ବାଦିକ ଏବଂ କ୍ୟାମେରାମ୍ୟାନଙ୍କ ପାଇଁ ବସିବା କୋଠରୀ । ମୁଖ୍ୟାଳୟରେ ଦଳର ବହୁ ପୁରୁଣା ନେତାଙ୍କ ଫଟୋ ମଧ୍ୟ ଲଗାଯାଇଛି ।
କହି ରଖୁଛୁ, ସୁପ୍ରିମକୋର୍ଟ ଏକ ଆଦେଶରେ ଲୁଟିୟନ୍ସ ଜୋନରୁ ରାଜନୈତିକ ଦଳର କାର୍ଯ୍ୟାଳୟ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ।
कांग्रेस अध्यक्ष श्री @kharge, CPP चेयरपर्सन श्रीमती सोनिया गांधी जी और नेता विपक्ष श्री @RahulGandhi ने कांग्रेस के नए मुख्यालय ‘इंदिरा भवन’ का उद्घाटन किया।
कांग्रेस का नया मुख्यालय देश में सेवा, सौहार्द, कर्तव्यनिष्ठा और राष्ट्रप्रेम का प्रतीक है।
📍 नई दिल्ली pic.twitter.com/dBwTwOIz8G
— Congress (@INCIndia) January 15, 2025