ସାତ ଘଣ୍ଟାର ମାନସ ମନ୍ଥନ ପରେ AICCର ନିଷ୍ପତ୍ତି, ସୋନିଆ ରହିବେ ଅଧ୍ୟକ୍ଷା

କେନ୍ୟୁଜ୍(ବ୍ୟୁରୋ):  ଚିଠି ବିସ୍ଫୋରଣ ପରେ,ବସିଥିଲା କଂଗ୍ରେସ ୱାର୍କିଂ କମିଟି। ପଦାକୁ ଆସିଥିଲା କଂଗ୍ରେସ ୱାର ରୁମ୍‌ର ୱାର ଅଫ୍‌ ୱାର୍ଡସ।  ଗୋଟିଏ ପରେ ଗୋଟିଏ ବିସ୍ଫୋରକ ବୟାନ ମିଡିଆକୁ ଆସିଲା। ବୈଠକରେ କିଏ କଣ କହିଲା, ତାର ସତ-ମିଛ ଜଣା ପଡିବା ଆଗରୁ ବରିଷ୍ଠ ନେତାଙ୍କ ମନ୍ତବ୍ୟ, କଂଗ୍ରେସ ଦଳରେ ବଡ଼ କମ୍ପନ ସୃଷ୍ଟି କଲା।

ବୈଠକ ଆରମ୍ଭରୁ ସ୍ପଷ୍ଟ କରିଦେଲେ ସୋନିଆ ଗାନ୍ଧୀ, ସେ ଅଧ୍ୟକ୍ଷ ପଦ ଛାଡିବେ। ତାଙ୍କ ସ୍ଥାନରେ ନୂଆ ଅଧ୍ୟକ୍ଷ ବଛାଯାଉ। ମନମୋହନ ସିଂହ କିନ୍ତୁ ସୋନିଆଙ୍କ ସପକ୍ଷରେ ମତ ରଖି କହିଲେ, ଏପରି ଚିଠି ଦୁର୍ଭାଗ୍ୟ ଜନକ। ହାଇକମାଣ୍ଡକୁ ଦୁର୍ବଳ କଲେ ଦଳ ଦୁର୍ବଳ ହେବ। ଏ.କେ.ଆଣ୍ଟୋନିଙ୍କ ମତ ଥିଲା  ଚିଠିରେ ଥିବା କଥାବସ୍ତୁ କଠୋର ରହିଛି। ରାହୁଲଙ୍କୁ ଅଧ୍ୟକ୍ଷ ହେବାକୁ ଅପିଲ କରିଥିଲେ।  ସାତ ଘଣ୍ଟାର ମାନସ ମନ୍ଥନ ହେଲା। ଅଧ୍ୟକ୍ଷ ପଦ ନେଇ ଘମାସାନ ଆଲୋଚନା କଲେ ନେତା। କିନ୍ତୁ ସହମତି ହେଲା ନାହିଁ। ଶେଷରେ ନିଷ୍ପତ୍ତି ହେଲା ସୋନିଆ ହିଁ ଅନ୍ତରିଣ ଅଧ୍ୟକ୍ଷ ରହିବେ। ଛଅ ମାସ ମଧ୍ୟରେ ନୂଆ ଅଧ୍ୟକ୍ଷ ନିର୍ବାଚନ କରାଯିବ।

ଆଜିର ବୈଠକରେ ଫୋକସରେ ଥିଲା ସୋନିଆଙ୍କୁ ଆସିଥିବା ଚିଠି। ଚିଠିକୁ ନେଇ ରାହୁଲ ରଖିଥିଲେ ତୀବ୍ର ପ୍ରତିକ୍ରିୟା। ଖବର ଆସିଲା ବୈଠକରେ ରାହୁଲ ଗାନ୍ଧୀ, ଚିଠିକୁ ନେଇ କ୍ଷୁବ୍ଧ ଥିଲେ। କହିଥିଲେ ଦଳ ଦୁର୍ବଳ ଅଛି। ଦଳ ରାଜସ୍ଥାନରେ ଲଢୁଥିବା ବେଳେ , ଅଧ୍ୟକ୍ଷା ଅସୁସ୍ଥ ଥିବାବେଳେ ଏପରି ଚିଠି କାହିଁକି? ସିଡବ୍ଲୁସି ଆଲୋଚନା ପାଇଁ ଉଚିତ ସ୍ଥାନ, ମିଡିଆ ନୁହଁ। ଯେଉଁମାନେ ଚିଠି ଲେଖିଛନ୍ତି ସେମାନେ ବିଜେପି ସହ ମିଶିଛନ୍ତି। ରାହୁଲଙ୍କ ଏ ବାଣ କୁହୁଳୁଥିବା ଅସନ୍ତୋଷ ନିଆଁରେ ଘିଅ ଢାଳି ଦେଲା।

କପିଲ ସିବଲ, ଶଶି ଥରୁର, ଗୁଲାମନବୀ ଆଜାଦ, ପୃଥ୍ଵୀରାଜ ଚୌହ୍ଵାନ, ଆନନ୍ଦ ଶର୍ମା ଭଳି ନେତା ସୋନିଆଙ୍କୁ ଚିଠି ଲେଖିଥିଲେ। ରାହୁଲଙ୍କ ମନ୍ତବ୍ୟ ପରେ ଗୁଲମନବୀ ଆଜାଦ କହିଲେ, ଯଦି ରାହୁଲଙ୍କ କଥା ସତ ପ୍ରମାଣିତ ହୁଏ ତେବେ ସେ ଇସ୍ତଫା ଦେବେ। ସୂଚନା ମୁତାବକ ଗୁଲାମନବୀଙ୍କୁ ମଧ୍ୟ ବୈଠକରେ ତାଙ୍କ ଅନେକ ସହଯୋଗୀ ବିରୋଧ କରିଥିଲେ। ସେପଟେ କପିଲ ସିବଲ ଟ୍ଵିଟ୍‌ କଲେ, ୩୦ ବର୍ଷ ଭିତରେ ବିଜେପିକୁ ସୁହାଇଲା ଭଳି କେବେ ବି ମନ୍ତବ୍ୟ ଦେଇ ନାହିଁ। ତଥାପି ରାହୁଲ କହୁଛନ୍ତି ବିଜେପି ସହ ଅଛୁ। କିନ୍ତୁ ଏ ସମୟରେ ଆସିଲା ରଣଦୀପ ସୂର୍ଯେୱାଲାଙ୍କ ଟ୍ଵିଟ୍‌। ରାହୁଲ ଏପରି ଶବ୍ଦ କହି ନାହାନ୍ତି କି ସଙ୍କେତ ମଧ୍ୟ ଦେଇ ନାହାନ୍ତି। ମିଡିଆର ମିଥ୍ୟା ଓ ଅପପ୍ରଚାରରେ ପ୍ରଭାବିତ ହୁଅ ନାହିଁ। ପରସ୍ପର ମଧ୍ୟରେ ଲଢି, ଆଘାତ ଦେଇ ଓ ଦଳକୁ ଦୁର୍ବଳ କରିବା ବଦଳରେ ମିଳିମିଶି ମୋଦି ଶାସନ ସହ ଲଢିବାକୁ ହେବ। ଏହାପରେ ନିଜ ଟ୍ଵିଟ୍‌  ହଟାଇ ଦେଲେ ସିବଲ। କହିଲେ ରାହୁଲ ବ୍ୟକ୍ତିଗତ ଭାବେ ମୋ ସହ କଥା ଜଣାଇଛନ୍ତି, ସେ ଏପରି କହି ନାହାନ୍ତି। ତେଣୁ ତାଙ୍କ ଟ୍ଵିଟ୍‌ ହଟାଉଛନ୍ତି। ସେହିପରି ଗୁଲାମନବୀ ସ୍ପଷ୍ଟ କଲେ, ରାହୁଲ ଏପରି କିଛି କହି ନାହାନ୍ତି। ତାଙ୍କର କିଛି ସହଯୋଗୀ ବିଜେପି ସହ ମିଶିଥିବା କଥା କହିଥିଲେ।କିନ୍ତୁ ଏ ସମୟରେ ଭିତରେ ଧୂଆଁ ପଦାକୁ ଆସି ସାରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.