କଂଗ୍ରେସର ଗୁମର ଖୋଲିଲା ପ୍ରଣବ ମୁଖାର୍ଜୀଙ୍କ ନୂଆ ପୁସ୍ତକ, ସୋନିଆ ଏବଂ ମନମୋହନଙ୍କ ଯୋଗୁଁ ୨୦୧୪ରେ ମୋଦିଙ୍କ ଠାରୁ ହାରିଥିଲା କଂଗ୍ରେସ

କଂଗ୍ରେସର ପୂର୍ବତନ ନେତା ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଦିବଂଗତ ପ୍ରଣବ ମୁଖାର୍ଜୀଙ୍କ ଏକ ପୁସ୍ତକ ଖୁବ୍‌ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି। ଏହି ପୁସ୍ତକ ‘ଦି ପ୍ରେସିଡେନସିଆଲ ଇ ୟର୍ସ’ରେ କଂଗ୍ରେସର ପତନକୁ ନେଇ ଅନେକ ଗୁମର ଫିଟାଇଛନ୍ତି ଦିବଂଗତ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଆସନ୍ତା ବର୍ଷ ବଜାରକୁ ଆସିବାକୁ ଥିବା ଏହି ପୁସ୍ତକରେ ୨୦୧୪ରେ କଂଗ୍ରେସର ପରାଜୟର କାରଣ ବାବଦରେ ଅନେକ କିଛି ବିଶ୍ଲେଷଣ କରାଯାଇଛି । ଦିବଂଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକରେ କଂଗ୍ରେସ ପରାଜୟ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦାୟୀ କରାଯାଇଛି । ତେବେ ଏହି ପୁସ୍ତକକୁ ନେଇ ବିବାଦ ସୃଷ୍ଟି ହେବା ଆଶଙ୍କା ରହିଛି ।

ପ୍ରଣବ ମୁଖାର୍ଜୀ, ଦେହାନ୍ତ ପୂର୍ବରୁ ‘ଦି ପ୍ରେସିଡେନସିଆଲ ଇୟର୍ସ’ ଲେଖିସାରିଥିଲେ । ଏହାକୁ ରୂପା ପ୍ରକାଶନ ପ୍ରକାଶିତ କରିବ । ୨୦୨୧ରେ ପାଠକମାନେ ଏହାକୁ କିଣିପାରିବେ । ପୁସ୍ତକରେ ପଶ୍ଚିମବଙ୍ଗର ଏକ ଗ୍ରାମରୁ ପ୍ରଣବଙ୍କ ରାଷ୍ଟ୍ରପତି ଭବନ ଯାଏଁ ଯାତ୍ରା ବାବଦରେ ଉଲ୍ଲେଖ ହୋଇଛି । ସୂଚନାଯୋଗ୍ୟ, ପ୍ରଣବ ଦା ଭାବେ ପରିଚିତ ପୂର୍ବତନ ରାଷ୍ଟ୍ରପତି ଚଳିତ ବର୍ଷ ଅଗଷ୍ଟ ମାସରେ ୮୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

manmohan

ନିଜ ପୁସ୍ତକରେ ପ୍ରଣବ ଲେଖିଛନ୍ତି ଯେ, ଯଦି ୨୦୦୪ରେ ସେ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତେବେ ୨୦୧୪ରେ କଂଗ୍ରେସକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିନଥାନ୍ତା । ଏପରିକି ଦଳର କିଛି ସଦସ୍ୟ ମଧ୍ୟ ଏକଥା ମାନୁଥିଲେ । ସେ ରାଷ୍ଚ୍ରପତି ହେବା ପରେ ରାଜନୀତିରୁ ଦୂରରେ ରହିଥିଲେ । ସୋନିଆ ଦଳକୁ ସମ୍ଭାଳିବାରେ ଅସମର୍ଥ ରହିଥିଲେ । ସଂସଦରେ ମନମୋହନ ସିଂ ଅନୁପସ୍ଥିତ ରହୁଥିବାରୁ ଅନେକ ସାଂସଦଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିଥିଲା ।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଶାସନ କରିବାର ନୈତିକ ଅଧିକାର ପ୍ରଧାନମନ୍ତ୍ରୀଙ୍କ ପାଖରେ ରହିଥାଏ । କିନ୍ତୁ ମନମୋହନଙ୍କୁ କେବଳ ମେଣ୍ଟ ସମ୍ଭାଳିବା ପାଇଁ ପରାମର୍ଶ ଦିଆଯାଉଥିଲା । ଏହାର ପ୍ରଭାବ ସରକାର ଉପରେ ପଡୁଥିଲା ବୋଲି ସେ ପୁସ୍ତକରେ ଉଲ୍ଲେଖ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.