ପଞ୍ଜାବ ନିର୍ବାଚନ ଲଢ଼ିବେ ସୋନୁ ସୁଦ୍ଙ୍କ ଭଉଣୀ ମାଳବିକା ସୁଦ୍, କଂଗ୍ରେସରେ ଦେଲେ ଯୋଗ

କେନ୍ୟୁଜ୍(ବ୍ୟୁରୋ): କଂଗ୍ରେସ ଟିକେଟ୍ରେ ପଞ୍ଜାବ ନିର୍ବାଚନ ଲଢ଼ିବେ ସୋନୁ ସୁଦ୍ଙ୍କ ଭଉଣୀ ମାଳବିକା ସୁଦ୍ । ଆଜି ବିଧିବଦ୍ଧ ଭାବେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି । ଯୋଗଦାନ ଉତ୍ସବ ସୋନୁ ସୁଦ୍ଙ୍କ ଘରେ ହୋଇଥିଲା । ମାଳବିକାଙ୍କୁ କଂଗ୍ରେସରେ ସାମିଲ କରିବାକୁ ତାଙ୍କ ଘରକୁ ଆସିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଓ ପଞ୍ଜାବ ପିସିସି ମୁଖ୍ୟ ନବଜୋତ ସିଂ ସିଦ୍ଧୁ । ମୁଖ୍ୟମନ୍ତ୍ରୀ ଜଣଙ୍କ ଘରକୁ ଯାଇ ଦଳରେ ସାମିଲ କରାଇବା ବହୁ ବିରଳ ବୋଲି କହିଛନ୍ତି ସିଦ୍ଧୁ । ଇଞ୍ଜିନିୟର ଡିଗ୍ରୀଧାରୀ ମାଳବିକା ସୁଦ୍ ଏକ ଏନଜିଓ ଚଳାଉଛନ୍ତି । ରାଜନୀତିରେ ରହି ଲୋକଙ୍କ ସେବା କରିବେ ବୋଲି କହିଛନ୍ତି ।
ମାଳବିକା ରାଜନୀତିକୁ ଆସିବେ ବୋଲି ଗତବର୍ଷ ସୋନୁ ସୁଦ୍ ଘୋଷଣା କରିଥିଲେ । ଏହା ପରେ କେଉଁ ଦଳକୁ ସେ ଯିବେ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ଶେଷରେ କଂଗ୍ରେସରେ ଯୋଗ ଦେଇଛନ୍ତି ମାଳବିକା । କରୋନା ପ୍ରଥମ ଓ ଦ୍ୱିତୀୟ ଲହର ବେଳେ ପ୍ରବାସୀ ଶ୍ରମିକ ଓ ଗରିବଙ୍କୁ ସହାୟତା କରି ଅଜସ୍ର ପ୍ରଶଂସା ସାଉଁଟିଥିଲେ ସୋନୁ ସୁଦ୍ । ତାଙ୍କର ଏହି ସାମାଜିକ କାର୍ଯ୍ୟ ଭଉଣୀଙ୍କ ଭୋଟ ରାଜନୀତିରେ ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି। ..