ଦକ୍ଷିଣ ଦିଲ୍ଲୀର କୈଳାଶ କଲୋନୀ ସ୍ଥିତ ସ୍କୁଲରେ ବୋମା ଧମକ ମିଛ ଖବର ବୋଲି ପୋଲିସ ଛାନ୍ଭିନ୍ରୁ ଜାଣିବାକୁ ପାଇଛି । ୧୪ ବର୍ଷୀୟ ନାବାଳକ ସ୍କୁଲ ଯିବାକୁ ଚାହୁଁନଥିଲେ, ତେଣୁ ଏଭଳି ଇମେଲ ପଠାଇଥିଲେ ବୋଲି ପୋଲିସ କହିଛି ।
ପୋଲିସ ଅଧିକାରୀଙ୍କ ଅନୁଯାୟୀ, ସମର ଫିଲ୍ଡିସ ସ୍କୁଲର ମ୍ୟାନେଜମେଣ୍ଟକୁ ରାତି ୧୨.୩୦ ମିନିଟରେ ଏକ ଇମେଲ ଆସିଥିଲା । ଇମେଲରେ ଲେଖାଥିଲା କି, ସ୍କୁଲ ପରିସରରେ ଏକ ବସ୍ଫୋରକ ଉପକରଣ ଗୁପ୍ତ ଭାବେ ରହିଛି । ବିସ୍ଫୋରକ ପଠାଇଥିବା ଜଣେ ପାକିସ୍ତାନୀ ଜେନେରାଲ । ସ୍କୁଲରେ ଇମେଲକୁ ଗମ୍ଭୀରତା ସହିତ ନେଇ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲରୁ ୧୦ ମିନିଟରେ ଖାଲି କରାଯାଇଥିଲା ।
ସ୍ଥାନୀୟ ପୋଲିସର ବୋମା ନିଷ୍କ୍ରିୟ ଟିମ୍ ସ୍କୁଲରେ ପହଞ୍ଚି ବିସ୍ଫୋରକ ସାମଗ୍ରୀ ଖୋଜିଥିଲା । କିନ୍ତୁ ଅଧିକ ସମୟ ଧରି ଖୋଜିବା ପରେ କୌଣସି ପ୍ରକାରର ବିସ୍ଫୋରକ ଜିନିଷ ମିଳିନଥିଲା ।
ତେବେ ପୋଲିସ ଏହି ମାମଲାରେ ଯାଞ୍ଚ କରି ଜଣେ ୧୪ ବର୍ଷୀୟ ନାବାଳକଙ୍କ ସନ୍ଧାନ ପାଇଥିଲା । ଯିଏକି ସ୍କୁଲ ନ ଯିବା ପାଇଁ ଏଭଳି ଇମେଲ କରିଥିଲେ ବୋଲି ପୋଲିସ କହିଥିଲା । ପୋଲିସ ଏହି ମାମଲାରେ ନାବାଳକଙ୍କୁ ଅଟକ ରଖିନାହିଁ ।
ସୂଚନାଯୋଗ୍ୟ, ଦିଲ୍ଲୀରେ ଏଭଳି ଘଟଣା ପ୍ରଥମ ଥର ନୁହେଁ । ପୂର୍ବରୁ ମଇ ୧ରେ ଅତିକମରେ ୨୦୦ ସ୍କୁଲକୁ ଇମେଲ ମିଳିଛି । ଯେଉଁଥିରେ ବୋମା ଥିବା ଧମକ ମିଳିଛି । ସ୍କୁଲ, କଲେଜ, ହସପିଟାଲ, ଆଇଜିଆଇ ଏୟାରପୋର୍ଟରେ ବୋମା ଥିବା ମିଛ ଧମକ ମିଳିଥିବା ଖବର ସାମ୍ନାକୁ ଆସିଛି ।