ଦକ୍ଷିଣ କୋରିଆ ବନାଗ୍ନି ଅନିୟନ୍ତ୍ରିତ : ୨୬ ମୃତ, ୨୪ ହଜାର ଲୋକ ସ୍ଥାନାନ୍ତରିତ

ଦକ୍ଷିଣ କୋରିଆରେ ଭୟଙ୍କର ବନାଗ୍ନି ଥମିବାରେ ନାଁ ଧରୁନି । ପବନ ବୋହୁଥିବାରୁ ନିଆଁ ବ୍ୟାପିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ ହେଉନଥିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଦେଶର ଦକ୍ଷିଣାଞ୍ଚଳରେ ଧ୍ୱଂସଲୀଳା ସୃଷ୍ଟି କରିଥିବା ବେଳେ ୨୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୦୦ରୁ ଅଧିକ ନିର୍ମାଣ ନଷ୍ଟ ହେବା ସହ ୨୪,୦୦୦ ଲୋକଙ୍କୁ ସ୍ଥାନାନ୍ତରିତ ହେବାକୁ ପଡ଼ିଛି । ମୃତକଙ୍କ ମଧ୍ୟରେ ଜଣେ ପାଇଲଟ ରହିଛନ୍ତି । ନିଆଁକୁ ଆୟତ୍ତ କରିବାକୁ ଯାଇଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଅଧିକାରୀଙ୍କ କହିବା ଅନୁଯାୟୀ, ନିଆଁକୁ ଶାନ୍ତ କରିବା ଏବଂ ଲୋକଙ୍କୁ ବଞ୍ଚାଇବା ପାଇଁ ହଜାର କର୍ମୀ ଏବଂ ହେଲିକପ୍ଟର ନିୟୋଜିତ ରହିଥିଲା । କୋରିଆ ବନ ସେବା ପ୍ରମୁଖ ଲିମ ସାଙ୍ଗ ସିୟୋପ କହିଛନ୍ତି, ଗୁରୁବାରକୁ ବର୍ଷା ସମ୍ଭାବନା ରହିଛି । ନିଆଁ ଲିଭାଇବା ପାଇଁ ଯଥେଷ୍ଟ ନୁହେଁ । ୪୩,୩୩୦ ଏକର ଜମିରେ ଏହି ନିଆଁ ବ୍ୟାପିଥିବା ବେଳେ ଏଥିରେ ୫୦ରୁ ଅଧିକ ଆହତ ହୋଇଛନ୍ତି । ନିଆଁକୁ ଆୟତ୍ତ କରିବା ପାଇଁ ୧୨୦ ହେଲିକପ୍ଟର କାମରେ ଲାଗିଛି । ୯୦୦୦ରୁ ଅଧିକ ଅଗ୍ନିଶମ କର୍ମୀ ମଧ୍ୟ ଲାଗିଛନ୍ତି ।

ଏହି ଜଙ୍ଗଲ ଓ ଆଖପାଖ ଅଞ୍ଚଳକୁ ବ୍ୟାପିବାରୁ ୧୩୦୦ ବର୍ଷର ପୁରୁଣା ବୌଦ୍ଧ ମନ୍ଦିର, ଘର, କାରଖାନା ଓ ଯାନବାହନ ପୋଡ଼ିଯାଇଛି । ରାତିସାରା ପ୍ରବଳ ପବନ ପ୍ରବାହିତ ହେଉଥିବାରୁ କର୍ମଚାରୀମାନେ ନିଆଁ ଲିଭାଇବାକୁ ସଂଘର୍ଷ କରୁଛନ୍ତି । ତେବେ ଏହି ଅଗ୍ନି ପୂର୍ବରୁ କେହି ଦେଖିନାହାନ୍ତି ।

Also Read : ଜମ୍ମୁ କଶ୍ମୀର : ସୁଡ଼ଙ୍ଗ କାନ୍ଥରେ ଧକ୍କା ହୋଇ ଓଲଟିଲା ବସ୍, ୧୨ ଆହତ