ପ୍ରଶିକ୍ଷଣ ବେଳେ ଭୁଲରେ ନିଜ ଅଞ୍ଚଳରେ ବୋମା ମାଡ଼ କଲା ଦକ୍ଷିଣ କୋରିଆ, ୭ ଆହତ

ଦକ୍ଷିଣ କୋରିଆ ଉତ୍ତର କୋରିଆ ସୀମାରେ ବୋମା ମାଡ଼ ଯୋଗୁଁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇଛନ୍ତି । ଦକ୍ଷିଣ କୋରିଆର ଯୁଦ୍ଧବିମାନ ଗୁରୁବାର ପ୍ରଶିକ୍ଷଣ ବେଳେ ଭୁଲକ୍ରମେ ୮ଟି ବୋମା ଜନବସତି ଅଞ୍ଚଳରେ ପକାଇ ଦେଇଛି । ଫଳରେ ୭ ଜଣ ଆହତ ହୋଇଛି ।
ଖବର ମୁତାବକ, ବାୟୁସେନା କେଏଫ-୧୬ ଯୁଦ୍ଧବିମାନ ଦ୍ୱାରା ନିକ୍ଷେପ କରାଯାଇଥିବା ଏମକେ-୮୨ବୋମା ଫାୟରିଂ ରେଞ୍ଜ (ବୋମା ନିକ୍ଷେପ ପାଇଁ ନିର୍ଦ୍ଧାରିତ ସ୍ଥଳ) ବାହାରେ ପଡିଥିଲା । ଫଳରେ ବ୍ୟାପକ ବେସାମରିକ କ୍ଷୟକ୍ଷତି ହେବା ସହିତ ୭ ଜଣ ଲୋକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ୫ ଜଣ ନାଗରିକ ଓ ୨ ଜଣ ସେନା କର୍ମଚାରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବାୟୁସେନା ବିମାନ ଆକ୍ରମଣରେ ୭ଟି ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି ।
ବାୟୁସେନା ଏହି ଦୁର୍ଘଟଣାର କାରଣ ତଦନ୍ତ ଓ ହୋଇଥିବା କ୍ଷୟକ୍ଷତିର ଆକଳନ ନିମନ୍ତେ ଏକ କମିଟି ଗଠନ କରିଥିବା ସୂଚିତ କରିଛି । ବିମାନଟି ବାୟୁସେନା ସହିତ ମିଳିତ ଯୁଦ୍ଧାଭ୍ୟାସରେ ଅଂଶଗ୍ରହଣ କରିଥିଲା । ବାୟୁସେନା ପ୍ରଭାବିତଙ୍କୁ କ୍ଷତିପୂରଣ ଦେବା ସହ ଅନ୍ୟ ପଦକ୍ଷେପ ନେବା ପାଇଁ ମଧ୍ୟ ଘୋଷଣା କରିଛି । ତେବେ ଦୁର୍ଘଟଣା ସ୍ଥାନ ସମ୍ପର୍କରେ ବାୟୁସେନା କୌଣସି ସୂଚନା ଦେଇ ନାହିଁ ।
Also Read : ଭାରତ ଆସିବାକୁ ଭୟ କରୁଛି ୨୬/୧୧ ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ତହୱୁର ରାଣା, କୋର୍ଟରେ କରିଛି ଆବେଦନ