ସ୍ପେନରେ ବନ୍ୟା ବିତ୍ପାତ : ବଢିଚାଲିଛି ମୃତକଙ୍କ ସଂଖ୍ୟା, ରଖିବାକୁ ନାହିଁ ସ୍ଥାନ, କୋର୍ଟରେ ରଖାଯାଉଛି ମୃତଦେହ
ସ୍ପେନରେ ଭୟଙ୍କର ବନ୍ୟା ଯୋଗୁଁ ଜୀବନଶୈଳୀ ଠପ୍ ହୋଇପଡିଛି । ବନ୍ୟା ଜନିତ ମୃତ୍ୟୁସଂଖ୍ୟା ୨୦୦କୁ ବୃଦ୍ଧି ପାଇଛି । ମୃତକଙ୍କ ସଂଖ୍ୟା ଆଗକୁ ବଢିପାରେ ବୋଲି ଅନୁମାନ କରାଯାଉଛି । ଦକ୍ଷିଣ-ପୂର୍ବ ସ୍ପେନ୍ ର ଭାଲେନସିଆ ସହରରେ ପରିସ୍ଥିତି ଜଟିଳ ହୋଇପଡିଛି। ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ୨୮ ବର୍ଷ ଭିତରେ ଭାଲେନସିଆରେ ସବୁଠୁ ଅଧିକ ବର୍ଷା ହୋଇଛି । ମାଦ୍ରିଦ-ଭାଲେନସିଆ ମଧ୍ୟରେ ଟ୍ରେନ ସେବା ବାତିଲ କରାଯାଇଛି । ସରକାରୀ ପରିବହନ ସେବା ବାଧାପ୍ରାପ୍ତ ହୋଇଛି । ସ୍କୁଲ, ମ୍ୟୁଜିୟମ ଓ ଲାଇବ୍ରେରୀ ବନ୍ଦ ରହିଛି ।
ସ୍ପେନର ପୂର୍ବ ଓ ଦକ୍ଷିଣ ପ୍ରାନ୍ତରେ ମୂଷଳଧାରରେ ବର୍ଷା ପରେ ଆସିଥିଲା ଭୟଙ୍କର ବନ୍ୟା । ହଠାତ ବନ୍ୟା ଆସିବା ଦ୍ବାରା ରାସ୍ତାରେ ଥିବା ଗାଡ଼ି ମଟର ଭାସିବାକୁ ଲାଗିଥିଲା । ସହରର ଗଳିକନ୍ଦିରେ ନଦୀର ଭ୍ରମ ସୃଷ୍ଟି ହୋଇଥିଲେ । ତଳିଆ ଅଞ୍ଚଳରେ ଥିବା ଘର ଗୁଡ଼ିକ ବନ୍ୟା ଜଳରେ ବୁଡିରହିଥିଲା । ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ସେନା ଓ ପୋଲିସକୁ ହେଲିକପ୍ଟର ବ୍ୟବହାର କରିବାକୁ ପଡ଼ିଥିଲା । ଏପର୍ଯ୍ୟନ୍ତ ୧୯୦୦ ଲୋକ ନିଖୋଜ ରହିଥିବା ଖବର ମିଳିଛି । ୧,୩୦,୦୦୦ରୁ ଅଧିକ ଲୋକଙ୍କ ଘରେ ବିଜୁଳି ନାହିଁ ।
୨୦୦୦ରୁ ଅଧିକ ଯବାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ୪୦୦ରୁ ଅଧିକ ଗାଡି କାମରେ ଲାଗିଛି । ୧୫ରୁ ଅଧିକ ହେଲିକପ୍ଟର ମଧ୍ୟ ନିୟୋଜିତ ରହିଛି । ମୃତଦେହ ରଖିବା ପାଇଁ ଏକ କୋର୍ଟକୁ ଅସ୍ଥାୟୀ ଭାବେ ଶବଗୃହ କରାଯାଇଛି । ବନ୍ୟା ପାଣିରେ ଅନେକ କାର ଭାସିଯାଇଥିବା ବେଳେ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବନ୍ୟାରେ ଫସି ରହିଥିବା ଶହ ଶହ ଲୋକ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ରେଡିଓ ଏବଂ ଟିଭି ଷ୍ଟେସନର ସାହାଯ୍ୟ ନେଉଛନ୍ତି । କେହି କେହି ନିଜ ପାଇଁ ସାହାଯ୍ୟ ମାଗୁଛନ୍ତି ଏବଂ କେହି କେହି ନିଜ ସମ୍ପର୍କୀୟଙ୍କ ପାଇଁ ସାହାଯ୍ୟ ମାଗୁଛନ୍ତି ।
ବିପନ୍ନଙ୍କୁ ସହାୟତା ଯୋଗାଇ ଦେବାକୁ ସ୍ପେନ ସହରାର ଏକ ଜରୁରୀକାଳୀନ କମିଟି ଗଠନ କରିଛନ୍ତି । ସ୍ପେନ ପ୍ରଧାନମନ୍ତ୍ରୀ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ଏବେ ଅନେକ ନିଖୋଜ ଥିବାରୁ ମୃତକଙ୍କ ସଂଖ୍ୟା ବଢିବା ଅନୁମାନ କରାଯାଉଛି । ସ୍ପେନରେ ୧୯୭୨ ପରେ ସ୍ପେନରେ ଏହା ଭୟଙ୍କର ବନ୍ୟା । ୧୯୭୨ ବନ୍ୟାରେ ୧୫୦ ଜଣଙ୍କ ମୃତ୍ୟୁ ହୋଇଥିଲା ।