୨୩ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା, ସୀମା ସେପଟେ ଧରୁଥିଲେ ମାଛ

ଶ୍ରୀଲଙ୍କାର ନୌସେନା ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା (ଆଇଏମବିଏଲ) ପାର୍ କରିବା ଅଭିଯୋଗରେ ରବିବାର ସକାଳେ ୨୩ ତାମିଲ ମତ୍ସ୍ୟଜୀବୀଙ୍କୁ  ଗିରଫ କରିଛି । ତାମିଲନାଡ଼ୁ ଉପକୂଳବର୍ତ୍ତୀ ପୋଲିସ ଅଧିକାରୀଙ୍କ ଅନୁସାରେ, ମତ୍ସ୍ୟଜୀବୀଙ୍କ ସହ ୩ଟି ମେସିନଚାଳିତ ଡଙ୍ଗାକୁ ମଧ୍ୟ ନୌସେନା ଜବତ କରିଛି ।

ସୂଚନା ରହିଛି, ଏହି ମତ୍ସ୍ୟଜୀବୀମାନେ ତାମିଲନାଡ଼ୁର ରାମେଶ୍ୱରମସ୍ଥିତ ମାଛଧରା ବନ୍ଦରରୁ ବାହାରିଥିଲେ । ଶନିବାର ଦିନ ଏମାନେ ବାହାରି ନେଦୁନଥିଭୁ ନିକଟରେ ମାଛ ଧରୁଥିଲେ । ଏହି ସମୟରେ ସେମାନଙ୍କୁ ଶ୍ରୀଲଙ୍କା ନୌସେନାର ପାଟ୍ରୋଲିଂ ଡଙ୍ଗା ଘେରି ଯାଇଥିଲା । ଏଠାରୁ ୨୩ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଥିଲା ।

ଗିରଫ ମତ୍ସ୍ୟଜୀବୀମାନଙ୍କୁ କାଙ୍ଗେସଂଥୁରାଇ ନୌସେନା ଶିବିରକୁ ନିଆଯାଇଛି । ସେଠାରୁ ଜାଫନା ମତ୍ସ୍ୟ ପାଳନ ଅଧିକାରୀମାନଙ୍କୁ ହସ୍ତାନ୍ତର କରାଯିବ । ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ମଧ୍ୟ ଶ୍ରୀଲଙ୍କା ନୌସେନା ୧୭ ମତ୍ସ୍ୟଜୀବୀଙ୍କୁ ଧରିଥିଲା ।

କହି ରଖୁଛୁ, ୨୦୨୪ ଜୁନ୍ ୧୬ରୁ ଏ ପର୍ଯ୍ୟନ୍ତ ନୌସେନା ୪୨୫ ତାମିଲ ମତ୍ସ୍ୟଜୀବୀଙ୍କୁ ଗିରଫ କରି ସାରିଲାଣି । ସେମାନଙ୍କଠାରୁ ୫୮ଟି ଡଙ୍ଗା ମଧ୍ୟ ଜବତ କରାଯାଇଛି । ଏହି ମତ୍ସ୍ୟଜୀବୀଙ୍କ ମଧ୍ୟରୁ ଅନେକ ବର୍ତ୍ତମାନ ଶ୍ରୀଲଙ୍କାର ଜେଲରେ ଅଛନ୍ତି ।