ବିଦେଶରେ ଜଗନ୍ନାଥ ସଂସ୍କୃତିର ଝଲକ, ଇଂଲଣ୍ଡର ବାଥ୍‌ ସହରରେ ଗଡ଼ିଲା ପ୍ରଭୁଙ୍କ ରଥ

ଶ୍ରୀଜଗନ୍ନାଥ ସଂସ୍କୃତି କେବଳ ଓଡିଶାରେ ସୀମିତ ହୋଇ ରହିନାହିଁ । ସାରାବିଶ୍ୱରେ ଏହା ପରିବ୍ୟାପ୍ତ ଏବଂ ଆଦୃତ । ଜଗନ୍ନାଥ ପ୍ରେମ ବିଦେଶୀଙ୍କୁ ବି ଆଚ୍ଛନ୍ନ କରିଛି । ସେଥି ପାଇଁ ଇଂଲଣ୍ଡର ବାଥ୍ ସହରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଦେଖିବା ପାଇଁ ବହୁସଂଖ୍ୟାରେ ବିଦେଶୀଙ୍କ ସମାଗମ ହୋଇଥାଏ । ଦୀର୍ଘ ୧୭ ବର୍ଷ ଧରି ଏଠାରେ ରଥଯାତ୍ରା ହୋଇ ଆସୁଛି । ଏହି ରଥଯାତ୍ରାରେ ପ୍ରବାସୀ ଓଡ଼ିଆଙ୍କ ସମେତ ଇଂଲଣ୍ଡ, କାନାଡା, ଆମେରିକା, ମରିସସ୍‌ରୁ ବହୁ ଓଡିଆ ଯୋଗ ଦେଇଛନ୍ତି ।

ଏଠାରେ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାକୁ ପ୍ରବାସୀ ଓଡିଆ ଓ ବିଦେଶୀମାନେ ଆନନ୍ଦ ଉଲ୍ଲାସରେ ପାଳନ କରିଛନ୍ତି । ଚତୁର୍ଦ୍ଧା ବିଗ୍ରହଙ୍କ ମଙ୍ଗଳ ଆଳତି ଓ ପୁଷ୍ପାଞ୍ଜଳି ପରେ ପହଣ୍ଡି ବିଜେ କରାଯାଇଥିଲା । ତିନି ଠାକୁର ସୁସଜ୍ଜିତ ଟାହିଆରେ ଅତି ସୁନ୍ଦର ଦିଶୁଥିଲେ । ତିନ ପର୍ଯ୍ୟାୟରେ ତିନି ରଥ ଉପରେ ବିରାଜମାନ କରିଥିଲେ । ପ୍ରଥମେ ବଡଠାକୁର ବଳଭଦ୍ର, ତା ପରେ ମହିଳାମାନେ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରି ରଥ ଉପରକୁ ଆଣିଥିଲେ । ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି କରାଇ ନନ୍ଦିଘୋଷ ଉପରେ ବିରାଜିତ କରାଯାଇଥିଲା । ଏହାପରେ ଜଗନ୍ନାଥ ମନ୍ଦିରର ପ୍ରମୁଖ ଟ୍ରଷ୍ଟି ଆଶିଷ ରାଜହଂସ ରଥ ଏବଂ ଅନୀତା ଦାଶ ଦେବୀ ସୁଭଦ୍ରାଙ୍କ ରଥ ଛେରା ପହଁରା କରିଥିଲେ । ପରେ ପରେ ଆନନ୍ଦ ଉଲ୍ଲାସରେ ରଥଟଣା ହୋଇଥିଲା । ବାଥ୍ ସହରର ମୁଖ୍ୟ ରାସ୍ତାରେ ତିନି ରଥ ଗଡିଥିଲା । ହଜାର ହଜାର ଭକ୍ତ ଭାବ ବିହ୍ଵଳରେ ନାଚି ଉଠିଥିଲେ । ଘଣ୍ଟ, ବାଜା କୀର୍ତନ ସହ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ରଥଦାଣ୍ଡ । ରଥଯାତ୍ରା ଅବସରରେ ୭୮ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତି ସହ ସ୍ୱତନ୍ତ୍ର ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । କୁନି କୁନି ପିଲାମାନେ ଭଜନ ଜଣାଣ ଗାଇଥିଲେ ।

ENG JAGANNATH

ଉତ୍ସବରେ ବାଥ୍ ସିଟିର ମେୟର ରୋବ୍ ଆପୋଲିୟା ଏବଂ ଲଣ୍ଡନ କାଉନସିଲିର ସଦସ୍ୟମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ସ୍ଥାନୀୟ ବାସିନ୍ଦା ଏବଂ ଶ୍ରୀଜଗନ୍ନାଥ ମନ୍ଦିର, ସିଟି ଅଫ୍ ବାଥ୍ର ଟ୍ରଷ୍ଟି ସେବକ ସୁସ୍ମିତା ରାଜହଂସ ପରିଚାଳନା କରିଥିଲେ । ଇଂଲଣ୍ଡର ବାଥ୍ ସହରରେ ରଥଯାତ୍ରା ନୀତି ନିୟମ ଅନୁଯାୟୀ ପ୍ରତିବର୍ଷ ଆୟୋଜିତ ହେଉଛି । ବିଦେଶରେ ରହି ମଧ୍ୟ ଏଠାକାର ପ୍ରବାସୀ ଓଡ଼ିଆମାନେ ଓଡ଼ିଆ ପରମ୍ପରାକୁ ଭୁଲି ନାହାନ୍ତି । ବିଶେଷ କରି ମହାପ୍ରଭୁ ଜଗନ୍ନାଥଙ୍କ ସମସ୍ତ ପର୍ବପର୍ବାଣୀ ଏଠାରେ ପାଳିତ ହେଉଛି ।

Leave A Reply

Your email address will not be published.