ଗାଁର ସରପଞ୍ଚ ହେବା ପାଇଁ ଛାଡି ଦେଇଥିଲେ ଜଜ୍‌ ଚାକିରି, ପରେ ହେଲେ ଉତ୍ତର ପ୍ରଦେଶର ୧୩ ତମ ମଖ୍ୟମନ୍ତ୍ରୀ

ରାଜନୀତି କାହ ପାଇଁ ପେଶା ହୋଇଥିବା ବେଳେ କାହା ପାଇଁ ଏହା ନିଶା ହୋଇଥାଏ । ରାଜନୀତି ପାଇଁ ବହୁ ଲୋକ ବହୁ ପଦ ପଦବୀ ଛାଡିଦେବାର ନଜିର ରହିଛି । ତେବେ ଉତ୍ତର ପ୍ରଦେଶର ୧୩ ତମ ମୁଖ୍ୟମନ୍ତ୍ରୀ ହୋଇଥିବା ଶ୍ରୀପତି ମିଶ୍ର ଦିନେ ଗାଁର ସରପଞ୍ଚ ପଦ ପାଇଁ ଜଜ୍‌ ଭଳି ଚାକିରିରୁ ଇସ୍ତଫା ଦେଇଥିଲେ ।

ଶ୍ରୀପତି ମିଶ୍ରଙ୍କ ଜନ୍ମ ୧୯୨୪ ରେ ଜୋନପୁର ଗାଁରେ ହୋଇଥିଲା । ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଏମଏ ଓ ଲକ୍ଷ୍ମୌ ବିଶ୍ୱବିଦ୍ୟାଳୟରୁ ଏଲଏଲବି କରିଥିଲେ । ଏହାପରେ ସେ ଜୁଡିସିଆଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବାବେଳେ ସମାଜବାଦୀ ପାର୍ଟିରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ । ହେଲେ ସେଥିରେ ସେ ହାରିଯାଇଥିଲେ ।

ନିର୍ବାଚନ ହାରିବା ପରେ ସେ ଜିଲ୍ଲା ଅଦାଲତରେ ମାଜିଷ୍ଟ୍ରେଟ ଭାବେ ଚାକିରି ଜୀବନ ଆରମ୍ଭ କଲେ । ହେଲେ ୪ ବର୍ଷ ପରେ ୧୯୫୮ ରେ ଚାକିରିରୁ ଇସ୍ଥଫା ଦେଇଦେଲେ । ଏହି ନିଷ୍ପତ୍ତି କେବଳ ତାଙ୍କ ପରିବାରକୁ ନୁହେଁ ସମସ୍ତ ସମାଜକୁ ଚକିତ କରିଦେଇଥିଲା । ସେ ନିଷ୍ପତ୍ତି ନେଇଥିଲେ ଯେ ଏବେ ସେ ରାଜନୀତିରେ ହିଁ ମିଶିବେ ।

ଚାକିରି ଛାଡି ଗାଁରେ ପହଞ୍ଚିବା ପରେ ଗାଁ ସରପଞ୍ଚ ପଦରେ ନିର୍ବଚାନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କଲେ । ନିର୍ବାଚନ ଜିତିବା ପରେ ସେ ଗାଁ ପ୍ରଧାନ ହେବା ସହ ସୁଲତାନପୁର ଜିଲ୍ଲା କୋର୍ଟରେ ଓକିଲାତି ପ୍ରାକଟିସ୍‌ କଲେ । କିଛି ବର୍ଷ ପରେ ସେ ଏହ୍ଲାବାଦ ହାଇକୋର୍ଟ ଓ ଲକ୍ଷ୍ନୌ ବେଞ୍ଚରେ ଓକିଲାତି ଆରମ୍ଭ କଲେ । ହେଲେ ତଥାପି ତାଙ୍କର ରାଜନୀତି ନିଶା ଛାଡି ନଥିଲା ।

ପୁଣି ଫେରିଲେ ରାଜନୀତିକୁ

୧୯୬୨ ରେ ପୁଣି ଥରେ ରାଜନୀତିକୁ ଫେରିଲେ । ଏଥର କଂଗ୍ରେସରେ ସାମିଲ ହେଲେ । କାଦିପୁର ବିଧାନସଭା ସିଟରୁ ଲଢ଼ିବାକୁ ସୁଯୋଗ ପାଇଲେ । ପ୍ରଥମ ଥର ପାଇଁ ସେ ବିଧାୟକ ଭାବେ ନିର୍ବାଚିତ ହେଲେ । ୧୯୬୭ ରେ ପୁଣି ଥରେ ବିଧାୟକ ହେଲେ ।

୧୯୬୯ ରେ କଂଗ୍ରେସ ଛାଡି ସେ ଚରଣ ସିଂହଙ୍କ ଭାରତୀୟ କ୍ରାନ୍ତି ଦଳ (ବିକେଡି) ରେ ସାମିଲ ହେଲେ । ସୁଲତାନପୁର ଲୋକସଭା ଆସନରୁ ଉପନିର୍ବାଚନରୁ ପୁଣି ବିଜୟ ହେଲେ । ସେ ଚରଣ ସିଂହଙ୍କ ନେତୃତ୍ୱରେ ଗଠିତ ସରକାରରେ ମନ୍ତ୍ରୀ ପଦ ପାଇବା ପରେ ସାଂସଦ ପଦ ଛାଡି ଦେଇଥିଲେ । ୧୯୭୧ ରେ ଶ୍ରୀ ମିଶ୍ର ପୁଣି ବିକେଡି ଛାଡି କଂଗ୍ରେସରେ ମିଶିଲେ । ୧୯୭୬ ରେ ୟୁପି ସରକାର ତାଙ୍କୁ ରାଜ୍ୟ ଯୋଜନା ଆୟୋଗ ଉପାଧ୍ୟକ୍ଷ ଭାବେ ନିଯୁକ୍ତି କଲେ ।

୧୯୮୦ ରେ ୟୁପି ବିଧାନସଭାରେ ଶ୍ରୀ ମିଶ୍ର କଂଗ୍ରେସ ଦଳରୁ ନିର୍ବାଚନ ଜିତିଲେ । ୧୯୮୨ ରେ ଅଚାନକ ୟୁପିର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଭିପି ସିଂହ ଇସ୍ଥଫା ଦେବା ପରେ ସର୍ବସମ୍ମତି କ୍ରମେ ଶ୍ରୀ ଶ୍ରୀପତି ମିଶ୍ର ଉତ୍ତର ପ୍ରଦେଶର ୧୩ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ । ସାଧାରଣ ଗାଁ ସରପଞ୍ଚ ପଦ ପାଇଁ ଜଜ୍‌ ଭଳି ଚାକିରି ଛାଡି ରାଜନୀତିରେ ପଶିଥିବା ଶ୍ରୀ ମିଶ୍ରଙ୍କ ରାଜନୀତି ଜୀବନ ବଡ ଚିତ୍ତାକର୍ଷକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.