ଅଯୋଧ୍ୟା: ରାମ ମନ୍ଦିରରେ ମୁତୟନ SSF ଯବାନଙ୍କ ସନ୍ଦେହଜନକ ମୃତ୍ୟୁ, ସାମ୍ନା ପଟୁ ମୁଣ୍ଡରେ ବାଜିଲା ଗୁଳି

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ସୁରକ୍ଷାରେ ମୁତୟନ ଜଣେ ଯବାନଙ୍କ ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ଘଟିଛି । ସାମ୍ନା ପଟୁ ତାଙ୍କ ମୁଣ୍ଡରେ ଗୁଳି ବାଜିବା ଦ୍ୱାରା ସେଠାରେ ସେ ଟଳିପଡ଼ିଥିଲେ । ମୃତ ଯବାନ ହେଲେ ଶତ୍ରୁଘ୍ନ ବିଶ୍ୱକର୍ମା (୨୫) । ବୁଧବାର ସକାଳ ୫ଟା ୨୫ ମିନିଟ୍‌ରେ ଏହି ଘଟଣା ଘଟିଛି । ସେତେବେଳେ ଯବାନ ଜଣକ କାଟେଶ୍ୱର ମନ୍ଦିର ସମ୍ମୁଖରେ ତିଆରି ଭିଭିଆଇପି ଗେଟ୍‌ରେ ମୁତୟନ ଥିଲେ । ଏହି ସମୟରେ ତାଙ୍କ ମୁଣ୍ଡରେ ହଠାତ୍‌ ଏକ ଗୁଳି ବାଜିଥିଲା ।

ଘଟଣାସ୍ଥଳରେ ମୁତୟନ ଅନ୍ୟ ସୁରକ୍ଷା କର୍ମୀମାନେ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରିପୋର୍ଟରୁ ଜଣାପଡ଼ିଛି ଯେ ଘଟଣା ପୂର୍ବରୁ ଯବାନ ଶତ୍ରୁଘ୍ନ ବିଶ୍ୱକର୍ମା ନିଜର ମୋବାଇଲ୍‌ ଫୋନ୍‌ ଦେଖୁଥିଲେ । ସେହି ସମୟରେ ସନ୍ଦେହଜନକ ସ୍ଥିତିରେ ଏକ ଗୁଳି ତାଙ୍କ ମୁଣ୍ଡରେ ବାଜିଥିଲା । ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ପୋଲିସ ମୁତାବକ, ଯବାନ ନିଜକୁ ଗୁଳି ମାରିଛନ୍ତି ନା ଅନ୍ୟ କେଉଁଠୁ ଗୁଳି ତାଙ୍କ ମୁଣ୍ଡରେ ବାଜିଛି, ତାହା ଯାଞ୍ଚ କରାଯାଉଛି । ଯବାନଙ୍କ ମୃତ୍ୟୁ ପରେ ମନ୍ଦିର ପରିସରରେ ଭୟର ବାତାବରଣ ଖେଳିଯାଇଛି । ତେବେ ସେ ଯେଉଁ ଜାଗାରେ ରହି ଡ୍ୟୁଟି କରୁଥିଲେ, ସେଠାରୁ ରାମ ମନ୍ଦିରର ମୁଖ୍ୟ ଭାଗ ୧୫୦ ମିଟର ଦୂରରେ ରହିଛି ।

ସୂଚନା ଅନୁସାରେ, ମୃତ ଯବାନ ମୂଳତଃ ଆମ୍ବେଦକର ନଗର ଜନପଦର ସମ୍ମନପୁର ଥାନା ଅଧୀନ କଜପୁରା ଗାଁର ବାସିନ୍ଦା ଥିଲେ । ସେ ରାମ ମନ୍ଦିର ସୁରକ୍ଷାରେ ମୁତୟନ ଏସ୍‌ଏସ୍‌ଏଫ୍‌ର ୨୦୧୯ ବ୍ୟାଚ୍‌ର ଯବାନ ଥିଲେ । ମନ୍ଦିର ପରିସରରେ ଯବାନଙ୍କ ମୃତ୍ୟୁ ଖବର ପାଇ ଆଇଜି ଏବଂ ଏସ୍‌ଏସ୍‌ପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହା ବ୍ୟତୀତ ଫରେନ୍‌ସିକ ଟିମ୍‌ ବି ସେଠାରେ ପହଞ୍ଚି ତଦନ୍ତ କରୁଛି ।

ପୋଲିସ ଯବାନଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପରିବାର ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛି । ମୃତଦେହର ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like