ୟୁପି: ରାହୁଲ ଓ ଅଖିଳେଶଙ୍କ ମିଳିତ ରାଲିରେ ହଙ୍ଗାମା, ଅନେକ ଆହତ; ଭାଷଣ ନ ଦେଇ ଫେରିଗଲେ ଦୁଇ ନେତା

ଉତ୍ତର ପ୍ରଦେଶର ପ୍ରୟାଗରାଜ ଫୁଲପୁରରେ ଇଣ୍ଡିଆ ମେଣ୍ଟର ଜନସଭାରେ ପ୍ରବଳ ହଙ୍ଗାମା ହୋଇଛି । ଏଥିରେ ଅନେକ ଲୋକ ଆହତ ହୋଇଥିବା ସୂଚନା ରହିଛି । ଅଖିଳେଶ ଯାଦବ ପହଞ୍ଚିବା ମାତ୍ରେ କର୍ମୀମାନେ ଅଣାୟତ୍ତ ହୋଇ ପଡ଼ିଥିଲେ ।

ଉତ୍ତର ପ୍ରଦେଶର ପ୍ରୟାଗରାଜ ଫୁଲପୁରରେ ଇଣ୍ଡିଆ ମେଣ୍ଟର ଜନସଭାରେ ପ୍ରବଳ ହଙ୍ଗାମା ହୋଇଛି । ଏଥିରେ ଅନେକ ଲୋକ ଆହତ ହୋଇଥିବା ସୂଚନା ରହିଛି । ଅଖିଳେଶ ଯାଦବ ପହଞ୍ଚିବା ମାତ୍ରେ କର୍ମୀମାନେ ଅଣାୟତ୍ତ ହୋଇ ପଡ଼ିଥିଲେ । ସେମାନେ ବ୍ୟାରିକେଡ୍‌ ଭାଙ୍ଗି ମଞ୍ଚ ଆଡ଼କୁ ମାଡ଼ି ଆସିଥିଲେ । ଏପରି କି, ମଞ୍ଚ ଉପରକୁ ମଧ୍ୟ ଚଢ଼ିବାକୁ ଚେଷ୍ଟା କରିଥିଲେ । ଏଭଳି ପରିସ୍ଥିତି ଦେଖି ରାହୁଲ ଗାନ୍ଧି ଓ ଅଖିଳେଶ ଯାଦବ ମଞ୍ଚରେ ଉପସ୍ଥିତ ନେତାମାନଙ୍କୁୁ ଭେଟି ବାହାରି ଆସିଥିଲେ । ସେମାନେ ଜନସଭାକୁ ସମ୍ବୋଧିତ କରି ନ ଥିଲେ ।

ମିଳିଥିବା ସୂଚନା ଅନୁସାରେ, ଅବ୍ୟବସ୍ଥା ଯୋଗୁ ଏଭଳି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ କ୍ୟାମେରା ଏବଂ ଷ୍ଟାଣ୍ଡ ମଧ୍ୟ ଭାଙ୍ଗି ଯାଇଥିଲା । ଏଠାରେ ଫୁଲପୁରର ପଣ୍ଡିଲାରେ ଇଣ୍ଡିଆ ମେଣ୍ଟର ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା । ହେଲେ ବିଶୃଙ୍ଖଳା ପରିସ୍ଥିତି ଯୋଗୁ ରାହୁଲ ଓ ଅଖିଳେଶ କୌଣସି ଭାଷଣ ନ ଦେଇ ଚାଲିଆସିଥିଲେ ।

ପୂର୍ବରୁ ଏଠାରେ ରାହୁଲ ମଞ୍ଚରେ ଉପସ୍ଥିତ ଥିଲେ । କିଛି ସମୟ ପରେ ଅଖିଳେଶ ଯାଦବ ପହଞ୍ଚିଥିଲେ, ଯାହା ପରେ ତଳେ ଠିଆ ହୋଇଥିବା କର୍ମୀମାନେ ଆଗକୁ ବଢ଼ିବା ଆରମ୍ଭ କରିଥିଲେ । ମଞ୍ଚ ଉପରୁ କର୍ମୀମାନଙ୍କୁ ସଂଯମତା ରକ୍ଷା କରିବାକୁ କୁହାଯାଇଥିଲେ ମଧ୍ୟ ସେମାନେ ବ୍ୟାରିକେଡ୍ ଭାଙ୍ଗି ମଞ୍ଚ ପାଖରେ ପହଞ୍ଚି ଯାଇଥିଲେ ।

କହି ରଖୁଛୁ, ରାହୁଲ ଓ ଅଖିଳେଶଙ୍କ ମିଳିତ ରାଲି ଫୁଲପୁରର ପଣ୍ଡିଲାରେ ହେବାର ଥିଲା । ପ୍ରୟାଗରାଜରେ କଂଗ୍ରେସ ଏବଂ ଫୁଲପୁରରେ ସପାର ପ୍ରାର୍ଥୀ ନିର୍ବାଚନ ମୈଦାନରେ ଅଛନ୍ତି । ଉଭୟଙ୍କ ସମର୍ଥନରେ ଏହି ମିଳିତ ରାଲିର ଆୟୋଜନ କରାଯାଇଥିଲା । ସପା ପ୍ରାର୍ଥୀଙ୍କ ସମର୍ଥନରେ ଉଭୟ ନେତା ଏଠାରେ ସାଧାରଣ ସଭା କରିବାକୁ ଆସିଥିଲେ । କିନ୍ତୁ ରାଲିରେ ବିଶୃଙ୍ଖଳା ପରିସ୍ଥିତି ଯୋଗୁ ଉଭୟ ନେତା କିଛି ନ କହି ଚାଲି ଯାଇଥିଲେ । ପରେ ପ୍ରୟାଗରାଜର ମୁଙ୍ଗାରିରେ ରାହୁଲ ଓ ଅଖିଳେଶଙ୍କ ମିଳିତ ରାଲି ହୋଇଥିଲା ।

Leave A Reply

Your email address will not be published.