ପଚରାଉଚରା ବେଳେ ପୋଲିସ ଦେଖାଇଲା ଦଳାଚକଟାର ଭିଡିଓ, ଭାବପ୍ରବଣ ହୋଇଗଲେ ଅଲୁ ଅର୍ଜୁନ
ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ପୋଲିସ ଅଲୁ ଅର୍ଜୁନଙ୍କୁ ମଙ୍ଗଳବାର ପାଖାପାଖି ୩ ଘଣ୍ଟା ଧରି ପଚରାଉଚରା କରିଛି । ଏହି ସମୟରେ ଦଳାଚକଟାର ଭିଡିଓ ଦେଖି ‘ପୁଷ୍ପା ୨’ ଅଭିନେତା ଭାବପ୍ରବଣ ହୋଇଯାଇଥିଲେ । ଦଳାଚକଟାରେ ଜଣେ ମହିଳା ପ୍ରଶଂସକଙ୍କ ମୃତ୍ୟୁ ବିଷୟରେ ପୋଲିସ ଅଲୁଙ୍କୁ ପଚରାଉଚରା କରିଥିଲା ।
ସେଣ୍ଟ୍ରାଲ ଜୋନ୍ ଡିସିପି ଅକ୍ଷାଂଶ ଯାଦବଙ୍କ ସହ ଏକ ପୋଲିସ ଟିମ୍ ଅଲୁ ଅର୍ଜନଙ୍କୁ ପଚରାଉଚରା କରିଥିଲେ । ପୋଲିସ ତାଙ୍କୁ ସିଧା ପ୍ରଶ୍ନ କରିଥିଲା । ତାଙ୍କୁ ପଚରାଯାଇଥିଲା ଯେ ଆପଣ ଜାଣିଥିଲେ କି, ପ୍ରିମିୟରରେ ଆସିବା ପାଇଁ ପୋଲିସର ଅନୁମତି ଦିଆଯାଇ ନ ଥିଲା? ପୋଲିସର ଅନୁମତି ନ ମିଳିବା ସତ୍ତ୍ୱେ ଯୋଜନା (ସ୍ୱତନ୍ତ୍ର ସ୍କ୍ରିନିଂରେ ଅଭିନେତା ସାମିଲ ହେବା)କୁ ଆଗକୁ ବଢ଼ାଇବାର ନିଷ୍ପତ୍ତି କିଏ ନେଲା? କ’ଣ କେହି ପୋଲିସ ଅଧିକାରୀ ଆପଣଙ୍କୁ ବାହାରେ ଦଳାଚକଟା ବିଷୟରେ ଜଣାଇଥିଲେ କି ଏବଂ ଆପଣ ମହିଳାଙ୍କ ମୃତ୍ୟୁ ବିଷୟରେ କେତେବେଳେ ଜାଣିବାକୁ ପାଇଲେ?
ସୂତ୍ରରୁ ଜଣାପଡ଼ିଛି ଯେ ପଚରାଉଚରା ବେଳେ ଅଲୁ ଅର୍ଜୁନ ଭାବୁକ ହୋଇଯାଇଥିଲେ । ରିପୋର୍ଟରେ ଦାବି କରାଯାଇଛି, ‘ଅଲୁ ଅର୍ଜୁନଙ୍କୁ ପାଖାପାଖି ୩ ଘଣ୍ଟା କାଳ ପଚରାଉଚରା କରାଯାଇଥିଲା । ତାଙ୍କୁ ସନ୍ଧ୍ୟା ଥିଏଟରରେ ପୁଷ୍ପା ୨ର ସ୍ୱତନ୍ତ୍ର ଶୋ’ରେ ହୋଇଥିବା ଦଳାଚକଟାର ଭିଡିଓ ଦେଖାଯାଇଥିଲା । ଏହି ଭିଡିଓରେ ମହିଳା ଏବଂ ତାଙ୍କ ପୁଅ ଆହତ ହେବାର ଦୃଶ୍ୟ ଦେଖିବା ବେଳେ ଅଲୁ ଅର୍ଜୁନ ଭାବପ୍ରବଣ ହୋଇଯାଇଥିଲେ ।
ତେବେ ଏହାରି ଭିତରେ ଅଲୁ ଅର୍ଜୁନ ପୋଲିସ ପଚରାଉଚରା ନେଇ ଏ ପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ବୟାନ ଦେଇନାହାନ୍ତି । କହି ରଖୁଛୁ, ସୋମବାର ଅଲୁ ଅର୍ଜୁନଙ୍କୁ ପଚରାଉଚରା ପାଇଁ ଥାନାରେ ହାଜର ହେବାକୁ ନୋଟିସ୍ ଜାରି ହୋଇଥିଲା । ଏହା ପରେ ଗତକାଲି ସେ ଥାନାରେ ହାଜର ହୋଇଥିଲେ । ପୋଲିସ ଅଭିନେତାଙ୍କ ଲିଗାଲ ଟିମକୁ ଏହି ନୋଟିସ୍ ପଠାଇଥିଲା ।