ଉନ୍ମୋଚିତ ହେଲା ବିଶ୍ୱର ବିଶାଳ ପ୍ରତିମୂର୍ତ୍ତି

ଗୁଜୁରାଟ (କେନ୍ୟୁଜ୍) : ପ୍ରତିକ୍ଷାର ଅନ୍ତ । ଲୌହପୁରୁଷ ତଥା ଦେଶର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତି-ଷ୍ଟାଚ୍ୟୁ ଅଫ୍ ୟୁନିଟକୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜୁରାଟ ନର୍ମଦା ଜିଲ୍ଲା ସର୍ଦ୍ଦାର ସରୋବରରେ ୧୮୨ ମିଟର ବା ୫୯୭ ଦଶମିକ ୧୧ ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । କଳସରେ ପାଣି ଓ ମାଟି ସହ ଜଳାଭିଷେକ କରି ପିଏମ ମହାନ ଜନନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ।
ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ, ଗୁଜୁରାଟ ରାଜ୍ୟପାଳ ଓମପ୍ରକାଶ କୋହଲି, ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲା ପ୍ରମୁଖ ଉପସ୍ଥିତ ଥିଲେ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅସୀମ ତ୍ୟାଗ ଓ ଏକତାର ସୂତ୍ରରେ ଦେଶବାସୀଙ୍କୁ ବାନ୍ଧି ରଖିବା ପାଇଁ ପ୍ରୟାସର ଏହା ପ୍ରତୀକ । ଏହି ପ୍ରତିମୂର୍ତ୍ତିର ଡିଜାଇନ ରାମ୍ ଭି. ସୂତାର କରିଥିବା ବେଳେ ଆର୍କିଟେକ୍ଟ ଭାବେ କାମ କରିଛନ୍ତି ଯୋଶେଫ୍ ମୀନା । ୨୦୧୩ ଅକ୍ଟୋବରରେ ଏହାର ଶିଳାନ୍ୟାସ ହୋଇଥିଲା ।
ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ଏହାର ଶିଳାନ୍ୟାସ କରିଥିଲେ । ୩୩ ମାସ ସମୟ ଭିତରେ ଏହାର ନିର୍ମାଣ ଶେଷ ହୋଇଛି । ଏଥିରେ ଖର୍ଚ୍ଚ ହୋଇଛି ୨ହଜାର ୯୮୯ କୋଟି ଟଙ୍କା । ଲାର୍ସନ ଆଣ୍ଡ ଟ୍ୟୁବ୍ରୋ କମ୍ପାନୀ ଏହାର ନିର୍ମାଣ କରିଛି । ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି । ସର୍ଦ୍ଦାରଙ୍କ ପ୍ରତିମା ଅନାବରଣ କରିବା ସୌଭାଗ୍ୟର ବିଷୟ ବୋଲି ମୋଦି କହିଛନ୍ତି। ସାଧାରଣ କୃଷକ ପରିବାରରେ ଜନ୍ମିତ ଅସାଧାରଣ ସର୍ଦ୍ଦାର। ଦେଶକୁ ଭାଙ୍ଗିବା ଷଡ଼ଯନ୍ତ୍ରକୁ ବିଫଳ କରିଥିଲେ ସର୍ଦ୍ଦାର। ଦୁର୍ବଳକୁ ସବଳ କରିବା ପଛରେ ସର୍ଦ୍ଦାରଙ୍କ ପ୍ରେରଣା ରହିଛି ବୋଲି ମୋଦି କହିଛନ୍ତି।