ମହାକୁମ୍ଭରେ ସାଧ୍ବୀ ହୋଇ ରହିବେ ଆପଲ୍ ସହ ସଂସ୍ଥାପକ ଷ୍ଟିଭ ଜବ୍ସଙ୍କ ପତ୍ନୀ, ନାମ ସହିତ ମିଳିଲା ଗୋତ୍ର

ମହାକୁମ୍ଭ-୨୦୨୫ ଆଜିଠାରୁ ପ୍ରୟାଗରାଜରେ ଆରମ୍ଭ ହୋଇଛି । ଗଙ୍ଗା, ଯମୁନା ଏବଂ ସରସ୍ୱତୀଙ୍କ ପବିତ୍ର ସଙ୍ଗମ ସ୍ଥଳରେ ବୁଡ ପକାଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଏମାନଙ୍କ ମଧ୍ୟରେ ବଲିଉଡ଼ କଳାକାରଙ୍କ ସମେତ ଭିଭିଆଇପି ବ୍ୟକ୍ତିବିଶେଷ ମଧ୍ୟ ଆସିଛନ୍ତି । ବିଶ୍ୱର ସବୁଠାରୁ ଧନୀ ମହିଳା ତଥା ଆପଲର ସହ ସଂସ୍ଥାପକ ଷ୍ଟିଭ ଜବ୍ସଙ୍କ ପତ୍ନୀ ଲରେନ ପାୱେଲ ପ୍ରୟାଗରାଜରେ ପହଞ୍ଚିଛନ୍ତି ।
ଲରେନ ପାୱେଲ ସ୍ୱାମୀ କୈଳାଶନନ୍ଦ ଜୀଙ୍କ ଶିବିରରେ ଆସନ୍ତା ୨୯ ଜାନୁଆରୀ ପର୍ଯ୍ୟନ୍ତ ରହିବେ । ସ୍ୱାମୀ କୈଳାଶନନ୍ଦ ଜୀ ତାଙ୍କ ନାମ କମଳା ଦେଇଛନ୍ତି । ତାଙ୍କୁ ଅଚୁତ୍ୟ ଗୋତ୍ର ମଧ୍ୟ ଦେଇଛନ୍ତି । ସେ ସାଧୁସନ୍ଥ ମାନଙ୍କୁ ସାକ୍ଷାତ କରି ଭାରତୀୟ ପରମ୍ପରାକୁ ବୁଝିବାର ପ୍ରୟାସ କରିବେ । ପୌଷ ପୂର୍ଣ୍ଣିମା ଅବସରରେ ସଙ୍ଗମରେ ପ୍ରଥମ ବୁଡ ବି ପକାଇବେ । ସେ ସନ୍ନ୍ୟାସିନୀ ଭଳି ବାସ କରିବେ । ସେ ଧ୍ୟାନରେ ବସିବା ପାଇଁ ଭାରତ ଆସିଛନ୍ତି । ସେ ୧୪ ଜାନୁଆରୀରେ ଅମୃତ ସ୍ନାନ ଏବଂ ମୌନୀ ଅମାବାସ୍ୟାରେ (୨୯ ଜାନୁଆରୀ)ରେ ଅମୃତ ସ୍ନାନ କରିବେ ।
ଲରେନଙ୍କ ସମେତ ଇନଫୋସିସ ଫାଉଣ୍ଡେସନର ସଂସ୍ଥାପକ ସୁଧା ମୂର୍ତ୍ତି ଓ ଓପି ଜିନ୍ଦଲ ଗୃପର ଅଧ୍ୟକ୍ଷା ସାବିତ୍ରୀ ଦେବୀ ଜିନ୍ଦଲ ମଧ୍ୟ ଆସ୍ଥାର ଅନୁଭବ ପାଇବା ଲାଗି ସଙ୍ଗମ ସ୍ଥଳରେ ପହଞ୍ଚିବେ । ଏମାନଙ୍କ ବ୍ୟତୀତ ବଲିଉଡର ବହୁ କଳାକାର ମଧ୍ୟ ସଙ୍ଗମରେ ବୁଡ଼ ପକାଇବେ । ପୂର୍ବତନ ବଲିଉଡ ଅଭିନେତ୍ରୀ ହେମାମାଳିନୀ, ମହାନାୟକ ଅମିତାଭ ବଚ୍ଚନ, ଆଲିଆ ଭଟ୍ଟ ପ୍ରମୁଖ ପହଞ୍ଚିବେ।
ଉତ୍ତରପ୍ରଦେଶ ପ୍ରୟାଗରାଜରେ ମହାକୁମ୍ଭ ପାଇଁ ଶ୍ରଦ୍ଧାଳୁ ବୁଡ ପକାଉଛନ୍ତି । ପ୍ରଥମ ଦିନରେ ୧ କୋଟି ଶ୍ରଦ୍ଧାଳୁ ବୁଡ ପକାଇପାରନ୍ତି । ସକାଳ ୯.୩୦ ସୁଦ୍ଧା ୬୦ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇସାରିଲେଣି । ତେବେ ଏଠାରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ଏଆଇ କ୍ୟାମେରା ଠାରୁ ଆରମ୍ଭ କରି NSG କମାଣ୍ଡୋ ନିୟୋଜିତ ରହିଛନ୍ତି ।
ଏଆଇ କ୍ୟାମେରା ସୁରକ୍ଷା ବ୍ୟବସ୍ଥା ସମ୍ଭାଳିବା ପରେ ୪୦ ହଜାର ପୋଲିସ କର୍ମୀ ଏବଂ ସାଇବର କ୍ରାଇମ ଏକ୍ସପର୍ଟ ଜଡିତ ରହିଛନ୍ତି । ୭୧ ଇନ୍ସପେକ୍ଟର, ୨୩୪ ସବ ଇନ୍ସପେକ୍ଟର ଏବଂ ୬୪୫ କନଷ୍ଟେବଳ ସମତେ ୧ ହଜାର ପୋଲିସକର୍ମୀ ନିୟୋଜିତ ରହିଛନ୍ତି । ଆଣ୍ଟି ଟେରୋରିଜମ ସ୍କ୍ବାର୍ଡ, ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ରହିଛନ୍ତି । ରାପିଡ ଆକ୍ସନ ଫୋର୍ସ, ପୋଲିସ ଓ ସିଆରପିଏଫ ମୁତୟନ ହୋଇଛନ୍ତି । ୭୦ ଜିଲ୍ଲାରୁ ୩୦ହଜାର ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇଛି ।
Also Read : ମହାକୁମ୍ଭରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, NSG କମାଣ୍ଡୋ ଠାରୁ ଆରମ୍ଭ କରି ଅଣ୍ଡରୱାଟର ଡ୍ରୋନ ମୁତୟନ