ୟୁରୋପ ଉପରେ ଆଣବିକ ବିପର୍ଯ୍ୟୟ ବିପଦ, ଜାପୋରଝିଆ ପାଓ୍ଵାର ପ୍ଲାଣ୍ଟ ଉପରେ ପୁଣି ରକେଟ୍‌ ମାଡ଼ କଲା ରୁଷ୍‌

ୟୁରୋପ ଉପରେ ଆଣବିକ ବିପର୍ଯ୍ୟୟ ବିପଦ। ବିପଦରେ ୟୁରୋପର ବୃହତ୍ତମ ନ୍ୟୁକ୍ଲିଅର ପାଓ୍ଵାର ପ୍ଲାଣ୍ଟ। ଜାପୋରଝିଆ ପାଓ୍ଵାର ପ୍ଲାଣ୍ଟ ଉପରେ ଶୁକ୍ରବାର ରକେଟ୍‌ ମାଡ଼ କରିଛି ରୁଷ ସେନା। ଏଥିରେ ପ୍ଲାଣ୍ଟର କିଛି ଯନ୍ତ୍ରାଂଶ କ୍ଷତିଗ୍ରସ୍ତ ହୋଇଛି। ଏଥିସହ ରେଡିଏସନ୍‌ ମନିଟରିଂ ସେନ୍‌ସର ନଷ୍ଟ ହୋଇଥିବା କହିଛି ୟୁକ୍ରେନ୍‌ର ଆଣବିକ ଶକ୍ତି କମ୍ପାନୀ ଏନରଗୋଟମ୍‌। ନ୍ୟୁକ୍ଲିଅର ପ୍ଲାଣ୍ଟ ଭିତରେ ମାଇନ୍‌ସ ଏବଂ ବିସ୍ଫୋରକ ମଧ୍ୟ ଗଚ୍ଛିତ ରଖିଛି ରୁଷ୍‌ ସେନା। ଫଳରେ ଏବେ ଅଘଟଣର ଦ୍ୱାର ଦେଶରେ ପହଞ୍ଚିଛି ଜାପୋରଝିଆ ଆଣବିକ କେନ୍ଦ୍ର। ବିକିରଣ ଭୟ ବଢ଼ିଯାଇଛି। ଥରେ ବିକିରଣ ହେଲେ କେବଳ ୟୁକ୍ରେନ୍‌ ନୁହେଁ, ପୂରା ୟୁରୋପ ଉପରେ ବିପଦ ପଡ଼ିବ।

ଅନ୍ୟପଟେ ରୁଷ୍‌ର ଏହି ନ୍ୟୁକ୍ଲିଅର ପ୍ଲାଣ୍ଟ ଉପରେ ଆକ୍ରମଣକୁ ନିନ୍ଦା କରିଛି ୟୁରୋପ ସଂଘ। ଜାପୋରଝିଆ ପ୍ଲାଣ୍ଟ ନିକଟରେ ତୁରନ୍ତ ସାମରିକ କାର୍ଯ୍ୟକଳାପ ବନ୍ଦ କରିବାକୁ କହିଛନ୍ତି ଅନ୍ତର୍ଜାତୀୟ ଆଟୋମିକ୍‌ ଏନର୍ଜୀ ମୁଖ୍ୟ ରାଫେଲ ଗ୍ରୋସୀ। ସେ କହିଛନ୍ତି, ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ଯଦି କିଛି ବିପର୍ଯ୍ୟୟ ଘଟେ, ତେବେ ଆମେ ନିଜେ ଉତ୍ତରଦାୟୀ ରହିବା ବୋଲି କହିଛନ୍ତି IAEA ମୁଖ୍ୟ।

ତେବେ ମାନବ ସଭ୍ୟତାକୁ ବିପଦରେ ପକାଇଥିବା ରୁଷ-ୟୁକ୍ରେନ୍‌ ଲଢ଼େଇ ଏବେ ଭୟଙ୍କର ପର୍ଯ୍ୟାୟରେ। ଆଉ ଏକତରଫା ହୋଇ ରହିନାହିଁ ଯୁଦ୍ଧ। ୟୁକ୍ରେନ୍‌ ସହର ଉପରେ ଯେତିକି ମିସାଇଲ ବର୍ଷୁଛି, ରୁଷ ଅସ୍ତ୍ରାଗାର ଉପରେ ସେତିକି ରକେଟ୍‌ ଖସୁଛି। ଯୁଦ୍ଧରେ ଟ୍ଵିଷ୍ଟ ଆଣିଛି ଆମେରିକାର HIMARS ରକେଟ୍‌ ଲଞ୍ଚର।

ଗତ ୨୪ ଘଣ୍ଟାରେ ଦକ୍ଷିଣ ୟୁକ୍ରେନ୍‌ରେ ଥିବା ରୁଷ୍‌ର ୬ଟି ଅସ୍ତ୍ରାଗାର ଉଡ଼ାଇ ଦେଇଛି ଜେଲେନ୍‌ସ୍କି ସେନା। ଏହି ଆକ୍ରମଣରେ ୭୯ ରୁଷ୍‌ ସୈନ୍ୟ ନିହତ ହୋଇଛନ୍ତି। ରୁଷ୍‌ର ୪ଟି ଲଢ଼ୁଆ ଟ୍ୟାଙ୍କ, ୨ଟି ହୋଇଜର, ଗୋଟିଏ ଆର୍ଟିଲାରୀ, ଗୋଟିଏ ରାଡାର ଷ୍ଟେସନ୍‌ ଓ ୨୨ଟି ଅସ୍ତ୍ରଶସ୍ତ୍ର ସଜ୍ଜିତ ସାମରିକ ଯାନ ନଷ୍ଟ ହୋଇଛି। ରୁଷ୍‌ର ୨ଟି କଣ୍ଟ୍ରୋଲ ପଏଣ୍ଟ ଏବଂ ଗୋଟିଏ କମାଣ୍ଡ ପୋଷ୍ଟ ମଧ୍ୟ ଧ୍ୱଂସ ହୋଇଛି। ଏହି ଆକ୍ରମଣ ପରେ ୟୁକ୍ରେନ୍‌ ଆର୍ମୀକୁ ପ୍ରଶଂସା କରିଛନ୍ତି ଜେଲେନ୍‌ସ୍କି। ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ସହାୟତା ଯୋଗାଉଥିବା ଆମେରିକା ସମେତ ଅନ୍ୟ ମିତ୍ର ରାଷ୍ଟ୍ରଙ୍କୁ ବି ସେ ଧନ୍ୟବାଦ ଜଣାଇଛନ୍ତି।

ପ୍ରକାଶ ଯେ ୟୁକ୍ରେନ୍‌ ପାଇଁ ୭ ହଜାର ୫୦୦ କୋଟିର ନୂଆ ସାମରିକ ପ୍ୟାକେଜ୍‌ ପ୍ରସ୍ତୁତ କରୁଛି ଆମେରିକା। ଏନେଇ କାଲି ବାଇଡେନ୍‌ ଘୋଷଣା କରିପାରନ୍ତି। ଏହି ପ୍ୟାକେଜ୍‌ରେ ୟୁକ୍ରେନ୍‌କୁ HIMARS ରକେଟ୍‌ ଲଞ୍ଚର, NASAMS ସର୍ଫେସ୍‌ ଟୁ ଏୟାର ମିସାଇଲ ସିଷ୍ଟମ ସହ ପ୍ରାୟ ୫୦ଟି ସାମରିକ ଯାନ ମିଳିବ ବୋଲି ଜଣାଯାଇଛି।

Also Read: ପତାକା ପାଇଁ ମୋଟା ଅଙ୍କର ଟଙ୍କା ଆଦାୟ କରିବ ରେଲୱେ, ପ୍ରତ୍ୟେକ କର୍ମଚାରୀଙ୍କ ଦରମାରୁ କଟିବ ପଇସା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.