ଚିନ୍ତା ବଢ଼ାଉଛି ଷ୍ଟ୍ରୋକ୍‌ : ପ୍ରତିବର୍ଷ ନେଉଛି ୫୦ ଲକ୍ଷରୁ ଊର୍ଦ୍ଧ୍ଵ ଜୀବନ

ବିଶ୍ୱବ୍ୟାପୀ ଅଧିକାଂଶ ଷ୍ଟ୍ରୋକ୍‌ ମାମଲା ନିମ୍ନ ଏବଂ ନିମ୍ନ ମଧ୍ୟବିତ୍ତ ଆୟକାରୀ ଦେଶରେ ଘଟିଥାଏ । ଏହି ଦେଶଗୁଡ଼ିକରେ, ୮୬ ପ୍ରତିଶତ ମୃତ୍ୟୁ ଏବଂ ୮୯ ପ୍ରତିଶତ ଭିନ୍ନକ୍ଷମ ଏହି ଷ୍ଟ୍ରୋକ୍‌ କାରଣରୁ ହୋଇଥାଏ। ତେବେ, ସ୍ୱଳ୍ପ ଏବଂ ନିମ୍ନ ମଧ୍ୟବିତ୍ତ ଦେଶରେ ଏହି ସମସ୍ୟା କମ୍‌ ସମ୍ବଳ ଥିବା ପରିବାର ପାଇଁ ଏକ ପ୍ରମୁଖ ସମସ୍ୟା ସୃଷ୍ଟି କରିଥାଏ ।
WHO ଅନୁଯାୟୀ, ୧୯୯୦ ରୁ ୨୦୧୯ ପର୍ଯ୍ୟନ୍ତ ଷ୍ଟ୍ରୋକ୍‌ ସମସ୍ୟା ୭୦ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଏହି କାରଣରୁ ମୃତ୍ୟୁ ସଂଖ୍ୟା ୪୩ ପ୍ରତିଶତ ବୃଦ୍ଧି ପାଇଛି । ପ୍ରତିବର୍ଷ ପ୍ରାୟ ୫୦ଲକ୍ଷରୁ ଊର୍ଦ୍ଧ୍ଵ ଲୋକ ଷ୍ଟ୍ରୋକ୍‌ ଯୋଗୁ ମୃତ୍ୟୁ ବରଣ କରୁଥିବା WHO ସ୍ପଷ୍ଟ କରିଛି ।

ସ୍ୱଳ୍ପ ଏବଂ ନିମ୍ନ ମଧ୍ୟବିତ୍ତ ଦେଶରେ ଷ୍ଟ୍ରୋକ୍‌ ମାମଲା ବୃଦ୍ଧି ହେବାର ଅନେକ କାରଣ ରହିଛି । ଅତ୍ୟଧିକ ବାୟୁ ପ୍ରଦୂଷଣ ଏବଂ ତାପମାତ୍ରା ବୃଦ୍ଧି ହେତୁ ସୃଷ୍ଟି ହୋଇଥିବା ଅତ୍ୟଧିକ ଉତ୍ତାପ ଏହି ଷ୍ଟ୍ରୋକ୍‌ ପାଇଁ ମୁଖ୍ୟ ଦାୟୀ । ଅତ୍ୟଧିକ ବାୟୁ ପ୍ରଦୂଷଣ ହେଉଥିବା ଦେଶରେ ଏହି ବିପଦ ଅଧିକ ରହିଥାଏ । ୧୯୯୦ ମସିହାଠୁ ଖରାପ ସ୍ୱାସ୍ଥ୍ୟ ଏବଂ ଷ୍ଟ୍ରୋକ୍‌ କାରଣରୁ ଅକାଳ ମୃତ୍ୟୁ ୭୨ ପ୍ରତିଶତ ବୃଦ୍ଧି ପାଇଛି ଏବଂ ଭବିଷ୍ୟତରେ ଏହା ଆହୁରି ବୃଦ୍ଧି ପାଇବ ବୋଲି ଆଶା ମଧ୍ୟ କରାଯାଉଛି । ଏହା ବ୍ୟତୀତ ପ୍ୟାକେଟ୍‌ ଜାତୀୟ ମାଂସର ଅତ୍ୟଧିକ ବ୍ୟବହାର, ପନିପରିବାର କମ୍‌ ବ୍ୟବହାର ଏବଂ ଅତ୍ୟଧିକ ଧୂମ୍ର ଏବଂ ମଦ୍ୟପାନ ହେତୁ ଏହି ବିପଦ ବୃଦ୍ଧି ପାଇଥିବା ଜଣାଯାଇଛି । ସାମାଜିକ ଅର୍ଥନୖତିକର ଅସମାନତା ଏବଂ ସ୍ୱାସ୍ଥ୍ୟସେବାରେ ଅସମାନତା ମଧ୍ୟ ସ୍ୱଳ୍ପ ଏବଂ ମଧ୍ୟମ ଆୟ ଦେଶରେ ଷ୍ଟ୍ରୋକ୍‌ର ଭାର ବଢ଼ାଇଥାଏ । ତେଣୁ ସୀମିତ ଉତ୍ସ ଏବଂ ପର୍ଯ୍ୟାପ୍ତ ଭିତ୍ତିଭୂମି ଠିକ୍‌ ସମୟରେ ନିରାକରଣ, ଚିକିତ୍ସା ଏବଂ ପୁନର୍ବାସ କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ। ଯେଉଁଥିପାଇଁ, ଲକ୍ଷାଧିକ ଲୋକ ଷ୍ଟ୍ରୋକ୍‌ର ଭୟଙ୍କର ପରିଣାମର ଶିକାର ହେଉଛନ୍ତି ।

ସେପଟେ, ଗ୍ଲୋବାଲ ଷ୍ଟ୍ରୋକ୍‌ ଫ୍ୟାକ୍ଟସିଟ୍‌ ଅନୁଯାୟୀ, ଗତ ୧୭ ବର୍ଷ ମଧ୍ୟରେ ଷ୍ଟ୍ରୋକ୍‌ ରୋଗ ୫୦ ପ୍ରତିଶତ ବୃଦ୍ଧି ପାଇଛି । ଯାହା, ବର୍ତ୍ତମାନ ଚାରି ଜଣଙ୍କ ମଧ୍ୟରୁ ଜଣଙ୍କ ଜୀବନରେ ଷ୍ଟ୍ରୋକ୍‌ ହେବାର ଆଶଙ୍କା ରହିଛି । ସେହିପରି ଜନ୍‌ ହପକିନ୍ସ ମେଡିସିନ୍‌ ଅନୁଯାୟୀ, ମସ୍ତିଷ୍କ ଭଲ କାମ କରିବା ପାଇଁ ଅମ୍ଳଜାନ ଏବଂ ପୋଷକ ତତ୍ତ୍ୱର ନିରନ୍ତର ଯୋଗାଣ ଆବଶ୍ୟକ କରେ । ଯଦି ମସ୍ତିଷ୍କକୁ ଅଳ୍ପ ସମୟ ପାଇଁ ରକ୍ତ ଯୋଗାଣ ବନ୍ଦ ହୋଇଯାଏ, ତେବେ ଏହ ସମସ୍ୟା ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।