କଶ୍ମୀର ଠାରୁ ନୋଏଡା ପର୍ଯ୍ୟନ୍ତ ଭୂକମ୍ପ ଝଟକା, ତୀବ୍ରତା ୫.୭

ଶନିବାର ସକାଳେ କଶ୍ମୀର, ଦିଲ୍ଲୀ-ଏନସିଆର ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । କଶ୍ମୀର ଉପତ୍ୟକା ଏବଂ ଜାମ୍ମୁ କଶ୍ମୀରର ଘାଟି ଅଞ୍ଚଳରେ ପ୍ରବଳ କମ୍ପନ ଅନୁଭୂତ ହୋଇଛି । ଆଜି ସକାଳ ୯.୪୫ରେ ଭୂକମ୍ପର କେନ୍ଦ୍ରବିନ୍ଦୁ ଆଫଗାନିସ୍ତାନ-ତାଜିକସ୍ତାନ ସୀମା ଅଞ୍ଚଳରେ ରହିଥିଲା। ଭୂକମ୍ପର ତୀବ୍ରତା ଏତେ ଜୋରରେ ଥିଲା ଯେ, ଲୋକେ ଘରୁ ବାହାରକୁ ପଳାଇଆସିଥିଲେ ।

ଏହାପୂର୍ବରୁ ଜାନୁଆରୀ ୧୩ ରେ ଜମ୍ମୁ କଶ୍ମୀରରେ ଭୂକମ୍ପ ଅନୁଭୂତ ହୋଇଥିଲା । କୁହାଯାଉଛି ଯେ, ଆଜି ସକାଳ ୯.୪୫ରେ ଆଫଗାନିସ୍ତାନ-ତାଜିକିସ୍ତାନ ସୀମା ଅଞ୍ଚଳରେ ରିକ୍ଟର ସ୍କେଲରେ ୫.୭ ମ୍ୟାଗ୍ନିଚ୍ୟୁଡର କମ୍ପନ ଅନୁଭୂତ ହୋଇଥିଲା । ତେବେ ଏହି କମ୍ପନରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି ।

କଶ୍ମୀର ଏକ ପାର୍ବତ୍ୟ ଅଞ୍ଚଳ, ତେଣୁ ଏଠାରେ ସର୍ବଦା ଭୂକମ୍ପ ହେବାର ଆଶଙ୍କା ରହିଥାଏ । ବିଶେଷଜ୍ଞମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ ଏହି ଅଞ୍ଚଳରେ ଏକ ବଡ଼ ଭୂମିକମ୍ପ ହୋଇପାରେ । ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ମଧ୍ୟ ଭୂକମ୍ପଅନୁଭୂତ ହୋଇଛି। ଏଠାରେ ଭୂକମ୍ପର ତୀବ୍ରତା ୩.୬ ରହିଥିଲା। ଏହାଛଡା ଗତକାଲି ଗୁଜରାଟର କଚ୍ଛ ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। କିନ୍ତୁ କୌଣସି ଜୀବନହାନୀର ସୂଚନା ନାହିଁ।