ପରୀକ୍ଷା ବେଳେ ପିରିୟଡ୍ସ ଆସିବାରୁ ଛାତ୍ରୀ ମାଗିଲେ ସାନିଟାରୀ ପ୍ୟାଡ୍, ପ୍ରଧାନ ଶିକ୍ଷକ ଦେଲେ ଏଭଳି ଦଣ୍ଡ

ସାନିଟାରୀ ପ୍ୟାଡ୍ ମାଗିବାରୁ ପରୀକ୍ଷା ହଲରୁ ବାହାର କରିଦେଲେ ପ୍ରଧାନ ଶିକ୍ଷକ । ଏକାଦଶ ଶ୍ରେଣୀର ଜଣେ ଛାତ୍ରୀ ପରୀକ୍ଷା ଚାଲିଥିବା ବେଳେ ସାନିଟାରୀ ପ୍ୟାଡ୍ ମାଗିଥିଲେ, ହେଲେ ତାଙ୍କୁ ଦଣ୍ଡ ସ୍ୱରୂପ ଶ୍ରେଣୀଗୃହରୁ ବାହାର କରି ଦିଆଯାଇଥିଲା । ମାମଲା ସାମ୍ନାକୁ ଆସିବା ପରେ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସ୍ଥାନୀୟ ପ୍ରଶାସନ ଏହାର ତଦନ୍ତ ଆରମ୍ଭ କରିଛି । ଉତ୍ତର ପ୍ରଦେଶର ବରେଲିରେ ଘଟିଛି ଏହି ଘଟଣା ।

ଘଟଣା ଶନିବାରର । ଗାର୍ଲ୍ସ ସ୍କୁଲର ଜଣେ ଛାତ୍ରୀ ପରୀକ୍ଷା ଦେବାକୁ ଆସିଥିଲେ । ହେଲେ ପରୀକ୍ଷା ସମୟରେ ହଠାତ୍ ତାଙ୍କର ପିରିୟଡ୍ସ ଆସିବାରୁ ସେ ପ୍ରଧାନ ଶିକ୍ଷକଙ୍କୁ ସାହାଯ୍ୟ ମାଗିଥିଲେ । କିନ୍ତୁ ପ୍ରଧାନ ଶିକ୍ଷକ ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଅଣଦେଖା କରିଥିଲେ ଏବଂ ଶ୍ରେଣୀଗୃହରୁ ବାହାରେ ଛିଡ଼ା କରାଇ ଦେଇଥିଲେ ।

ଛାତ୍ରୀଙ୍କ ପରିବାର ଲୋକେ କହିଛନ୍ତି, ତାଙ୍କ ଝିଅ ପ୍ରଧାନ ଶିକ୍ଷକଙ୍କୁ ସାନିଟାରୀ ପ୍ୟାଡ୍ ମାଗିଥିଲା । କିନ୍ତୁ ତାକୁ ପାଖାପାଖି ୧ ଘଣ୍ଟା ଯାଏ ଶ୍ରେଣୀ ବାହାରେ ଛିଡ଼ା ହେବାକୁ ବାଧ୍ୟ କରାଯାଇଥିଲା । ଏହି ଘଟଣାକୁ ନେଇ ଛାତ୍ରୀ ମାନସିକ ଏବଂ ଶାରିରୀକ ରୂପେ ବିଚଳିତ ହୋଇପଡ଼ିଥିଲେ ।

ପରିବାର ଲୋକେ ଏ ନେଇ ଜିଲ୍ଲା ମାଜିଷ୍ଟ୍ରେଟ୍, ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ (DIOS), ରାଜ୍ୟ ମହିଳା ଆୟୋଗ ଏବଂ ମହିଳା କଲ୍ୟାଣ ବିଭାଗ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ ଦେବକୀ ନନ୍ଦନ ଘଟଣାର ତଦନ୍ତ କରାଯାଉଥିବା କହିଛନ୍ତି । ସେ କହିଛନ୍ତି ଯେ ତଦନ୍ତ ଆଧାରରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ: ଫେବ୍ରୁଆରୀ ୨୦ ପୂର୍ବରୁ ଡେଲିଭରି କରାଇବା ପାଇଁ ଆମେରିକା ହସପିଟାଲରେ ଭାରତୀୟ ମହିଳାଙ୍କ ଲାଇନ୍

You might also like