୪୦୦ ସ୍କୁଲକୁ ଦେଇଥିଲେ ମିଥ୍ୟା ବୋମା ଧମକ, ଛାତ୍ରଙ୍କୁ ଧରିଲା ଦିଲ୍ଲୀ ପୋଲିସ, ଅଫଜଲ୍ ଗୁରୁଙ୍କ ସହ ଲିଙ୍କ୍ !

୪୦୦ ସ୍କୁଲକୁ ମିଥ୍ୟା ବୋମା ଧମକ ଦେଇଥିବା ଜଣେ ଛାତ୍ରଙ୍କୁ ଧରିଛି ଦିଲ୍ଲୀ ପୋଲିସ । ତାଙ୍କ ପଛରେ ଆଉ କିଏ ଅଛନ୍ତି କି ନାହିଁ, ତାହା ଜାଣିବା ପାଇଁ ପୋଲିସ ସବୁଆଡ଼ୁ ତଦନ୍ତ ଆରମ୍ଭ କରିଛି । ପୋଲିସ ମୁତାବକ, ପିଲାର ପରିବାର ଏକ NGO ସହ ଯୋଗାଯୋଗରେ ଥିଲେ । ଏହି NGO ଅଫଜଲ ଗୁରୁଙ୍କ ଫାଶୀକୁ ବିରୋଧ କରୁଥିଲା ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏକାସାଙ୍ଗରେ ୨୫୦ ସ୍କୁଲକୁ ଯେଉଁ ମେଲ୍ ପଠାଯାଇଥିଲା, ତାହା ପଛରେ ଏହି ଛାତ୍ର ଜଣକ ରହିଛନ୍ତି । କିଛି ଗଭୀର ଷଡଯନ୍ତ୍ର ଅଛି କି ନାହିଁ, ସେ ଦିଗରୁ ବି ପୋଲିସ ତଦନ୍ତ କରୁଛି । କାରଣ, ଛାତ୍ର ଜଣକ ଯେଉଁଭଳି ପ୍ରକାର ଟେକ୍ନିକାଲ୍ ଶବ୍ଦ ବ୍ୟବହାର କରୁଥିଲେ, ତାହା ଜଣେ ଦୁର୍ଦ୍ଦାନ୍ତ ବ୍ୟକ୍ତିଙ୍କର କାମ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରିଛି ।

ଦିଲ୍ଲୀ ପୋଲିସର ସ୍ପେଶାଲ ସିପି ମାଧୁପ ତିୱାରୀ କହିଛନ୍ତି, ସ୍କୁଲଗୁଡ଼ିକୁ ୨୦୨୪ ଫେବୃୟାରୀ ୧୨ରୁ କ୍ରମାଗତ ଭାବରେ ମେଲ୍ ଆସୁଥିଲା । ଏଥିଯୋଗୁ ସ୍କୁଲରେ ଅନେକ ଥର ପରୀକ୍ଷା ବାତିଲ କରିବାକୁ ପଡ଼ିଥିଲା । ମେଲଗୁଡ଼ିକ ବହୁତ ଉନ୍ନତ ଜ୍ଞାନକୌଶଳ ସହିତ ପଠାଯାଉଥିଲା । ଏହା ପଛରେ ଆତଙ୍କବାଦୀ ଗୋଷ୍ଠୀ ଥାଇପାରେ ବୋଲି ସନ୍ଦେହ କରାଯାଇଥିଲା ।

ମାଧୁପ ତିୱାରୀ କହିଛନ୍ତି, ୨୦୨୫ ଜାନୁୟାରୀ ୮ରେ ଯେଉଁ ଶେଷ ଇମେଲ୍ ଆସିଥିଲା, ସେହି ମେଲରୁ ଆମେ ଛାତ୍ରଙ୍କୁ ଚିହ୍ନଟ କରିଥିଲୁ । ତାଙ୍କ ଲାପଟପର ଫୋରେନସିକ୍ ପରୀକ୍ଷଣରୁ ଜଣାପଡ଼ିଛି କି, ସେ ୪୦୦ରୁ ଅଧିକ ଇମେଲ୍ ପଠାଇଛନ୍ତି । ତେବେ ଜଣେ ପିଲା ଏକାକୀ କିପରି ଏହା କରିପାରିବ ବୋଲି ସନ୍ଦେହ ହେବାରୁ ଆମେ ଏହାର ତଦନ୍ତ ଆରମ୍ଭ କରିଛୁ ।

ପୋଲିସ ମୁତାବକ, ଛାତ୍ରଙ୍କ ବାପା ଉକ୍ତ NGO ସହ ଜଡ଼ିତ । ଛାତ୍ର ଜଣକ ମେଲ୍ ପଠାଇବାରେ ଡାର୍କ ୱେବ୍ ଏବଂ VPN ବ୍ୟବହାର କରୁଥିଲେ ।

You might also like