କ୍ଲାସ୍ ଚାଲିଥିବା ବେଳେ ଛାତରୁ ଖସିଲା ସିଲିଂ ଫ୍ୟାନ୍, ଛାତ୍ରୀ ଆହତ

ସ୍କୁଲରେ କ୍ଲାସ ହେଉଥିବା ସମୟରେ ହଠାତ ଖସିଲା ସିଲିଂ ଫ୍ୟାନ୍ । ଚାଲୁଥିବା ବେଳେ ହିଁ ଫ୍ୟାନଟି ଛାତ୍ରୀଙ୍କ ଉପରେ ଖସି ପଡ଼ିଲା । ଆଉ ତା ପରେ ଛାତ୍ରୀ ଜଣଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଛାତ୍ରୀଙ୍କୁ ନିକଟସ୍ଥ ଭୋପାଳ ଡାକ୍ତରଖାନାକୁ ପଠାଯାଇଛି । ଏହା ବ୍ୟତୀତ ଶିକ୍ଷା ବିଭାଗ ମଧ୍ୟ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି । ଏବେ ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମଧ୍ୟପ୍ରଦେଶର ସିହୋର ଜିଲ୍ଲାର ଏକ ବିଦ୍ୟାଳୟରେ ସ୍କୁଲ ଶିକ୍ଷୟିତ୍ରୀ ପାଠ ପଢ଼ାଉଥିଲେ । ଛାତ୍ରଛାତ୍ରୀମାନେ ମଧ୍ୟ ପାଠ ପଢ଼ାରେ ବ୍ୟସ୍ତ ଥିଲେ କିନ୍ତୁ ହଠାତ ଏମିତି ଅଘଟଣ ଘଟିଯିବ କେହି କେବେ ଭାବିନଥିଲେ ।
ସୂଚନା ଅନୁସାରେ ସିହୋର ସହରର କନ୍ନୌଡ ରୋଡରେ ଥିବା ଏକ ପ୍ରାଇଭେଟ୍ ସ୍କୁଲରେ ଘଟିଛି ଏଭଳି ଅଘଟଣ । ଜୁଲାଇ ୧୧ ତାରିଖ ଦିନ ଛାତରେ ଲାଗିଥିବା ଏକ ଫ୍ୟାନ ବିଦ୍ୟାଳୟର ତୃତୀୟ ଶ୍ରେଣୀର ଜଣେ ଛାତ୍ରୀଙ୍କ ଉପରେ ପଡ଼ିଥିଲା । ଆହତ ଛାତ୍ରୀଙ୍କ ନାଁ ପ୍ରତିଷ୍ଠା ବୋଲି ଜଣାପଡିଛି। ଫ୍ୟାନଟି ଛାତ୍ରୀଙ୍କ ମୁହଁରେ ଏପରି ପଡ଼ିଥିଲା, ଯେ ସେ ଗଭୀର ଭାବେ ଆହତ ହୋଇଥିଲେ ।
ଛାତ୍ରୀଙ୍କ ହାତ ଫ୍ରାକଚର୍ ହୋଇଥିବା ମଧ୍ୟ ଜଣାପଡ଼ିଛି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଫ୍ୟାନ ପଡ଼ିବା ପରେ ଶ୍ରେଣୀରେ ପଢ଼ାଉଥିବା ଶିକ୍ଷୟିତ୍ରୀ ତୁରନ୍ତ ସହକର୍ମୀ ଶିକ୍ଷକଙ୍କୁ ଡାକିବାକୁ ଦୌଡ଼ିଥିଲେ ଏବଂ ଅନ୍ୟ କର୍ମଚାରୀମାନେ କ୍ଲାସକୁ ଆସି ଛାତ୍ରୀଙ୍କୁ ନେଇ ଯାଇଥିଲେ ।
ଘଟଣା ସାମ୍ନାକୁ ଆସିବା ପରେ ଜୁଲାଇ ୧୨ ରେ ସହକାରୀ ନିର୍ଦ୍ଦେଶକ ପ୍ରମୋଦ ବିଦ୍ୟାଳୟରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ। ଅଧିକାରୀମାନେ ଘଟଣା ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କୁ ଜଣାଇଥିଲେ। ସୂଚନା ଅନୁଯାୟୀ ଘଟଣା ଘଟିଥିବା ସମୟରେ ପ୍ରଧାନ ଶିକ୍ଷକ ବିଦ୍ୟାଳୟରେ ଉପସ୍ଥିତ ନଥିଲେ । ଛାତ୍ରୀଙ୍କର ବର୍ତ୍ତମାନ ଚିକିତ୍ସା ଚାଲିଛି । ଘଟଣାର ତଦନ୍ତ ହେବ ଏବଂ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।