ମୃତ୍ୟୁ ଏମିତି ବି ଆସେ… ଡ୍ୟୁଟି ସମୟରେ କଥାବାର୍ତ୍ତା ହେଉଥିବା ବେଳେ ସବ୍ ଇନ୍ସପେକ୍ଟରଙ୍କୁ ଆସିଲା ହୃଦଘାତ୍, ଚାଲିଗଲା ଜୀବନ

ଉତ୍ତରପ୍ରଦେଶ ଅଯୋଧ୍ୟାରେ ଡ୍ୟୁଟି ସମୟରେ ସବ୍ ଇନ୍ସପେକ୍ଟରଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ୫୯ ବର୍ଷୀୟ ସବ୍ ଇନ୍ସପେକ୍ଟର ସୁରେନ୍ଦ୍ର ନାଥ ତ୍ରିବେଦୀ ପୋଲିସ ଥାନା ନୟାଘାଟରେ ଲୋକଙ୍କ ସହିତ କଥାବାର୍ତ୍ତା ହେଉଥିବା ବେଳେ ହାର୍ଟଆଟାକ ଆସିଥିଲା । ତାଙ୍କୁ ତୁରନ୍ତ ଶ୍ରୀରାମ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସବ-ଇନ୍ସପେକ୍ଟର ସୁରେନ୍ଦ୍ର ନାଥ ତ୍ରିବେଦୀ ସଦରପୁର ଥାନା ବିଲଗ୍ରାମ ଜନପଦ ହରଦାଇରେ ରହୁଥିଲେ । ତାଙ୍କ ମୃତ୍ୟୁ ପରେ ଘର ଲୋକଙ୍କୁ ସୂଚନା ଦିଆଯାଇଛି । ତେବେ ସବ-ଇନ୍ସପେକ୍ଟରଙ୍କ ମୃତ୍ୟୁରେ ପୋଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି ।
ଅଯୋଧ୍ୟାରେ ୨୨ ଜୁଲାଇରୁ ଶ୍ରାବଣ ପାଇଁ ଭିଡ ରହିଛି । ନୟାଘାଟ ଥାନା ସରୟୁ ଘାଟ ଏବଂ ଲତା ଛକ ଏବଂ ଧର୍ମ ପଥରେ ଡ୍ୟୁଟିରେ ଥିଲେ ସବ ଇନ୍ସପେକ୍ଟର ସୁରେନ୍ଦ୍ର ନାଥ ତ୍ରିବେଦୀ । ୧୬ ଡିସେମ୍ବର ୨୦୨୩ରେ ଅଯୋଧ୍ୟା କୋତିଓ୍ଵାଲିରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା । ପୋଲିସ ବିଭାଗରେ ୧୯୮୩ରୁ କାମ କରୁଥିଲେ ସୁରେନ୍ଦ୍ର ।
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ଏଟାରେ ମେଡିକାଲ କଲେଜରେ ଅନେକ ଶବ ଦେଖି ଜଣେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ହାର୍ଟଆଟାକରେ ମୃତ୍ୟୁ ହୋଇଥିଲା ।