ଚାହୁଁ ଚାହୁଁ ହଠାତ୍‌ ଧସିଗଲା ରାସ୍ତା, ଭିତରକୁ ପଶିଗଲା ଗାଡ଼ିମୋଟର…ହାଇଦ୍ରାବାଦର ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ଆସିଲା ଛାତିଥରା ଭିଡିଓ

ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଶୁକ୍ରବାର ଏଠାରେ ଏକ ବ୍ୟସ୍ତବହୁଳ ରାସ୍ତା ହଠାତ୍‌ ଧସି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ରାସ୍ତାରେ ଥିବା ଯାନବାହନ ଏବଂ ଠେଲାଗାଡ଼ି ଭିତରକୁ ପଶିଯାଇଥିଲା। ଏଭଳି ଭୟଙ୍କର ଦୃଶ୍ୟ ଦେଖିବା ପରେ ସେଠାରେ ଉପସ୍ଥିତ ଲୋକେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲା। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି କରିଛି।

ବାସ୍ତବରେ, ଏହି ଘଟଣା ହାଇଦ୍ରାବାଦର ଗୋଶାମହଲ ବିଧାନସଭା ଅଞ୍ଚଳରେ ଘଟିଛି। ଏଠାରେ ଏକ ନାଳ ସହ ସଂଲଗ୍ନ ରାସ୍ତା ହଠାତ୍‌ ଫାଟିଯାଇ ଭିତରକୁ ଧସି ପଡ଼ିଥିଲା। ରାସ୍ତା ଧସିବା କ୍ଷଣି ଉପରେ ଥିବା ଗାଡ଼ିମୋଟରଗୁଡ଼ିକ ଭିତରକୁ ପଶିଯାଇଥିଲା। କୁହାଯାଉଛି ଯେ ଏଥିରେ ୩ ଜଣ ଲୋକ ସାମାନ୍ୟ ଆହତ ମଧ୍ୟ ହୋଇଛନ୍ତି।

ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା ଏବଂ ଲୋକମାନେ ନିଜ ନିଜ ସୁରକ୍ଷାରେ ଲାଗି ପଡ଼ିଥିଲେ। ଏ ସମ୍ପର୍କରେ ଖବର ପାଇବା ପରେ ପୋଲିସ ଟିମ୍‌ ଏବଂ ଗ୍ରେଟର ହାଇଦ୍ରାବାଦ ନଗର ନିଗମର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଧିକାରୀମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଲୋକଙ୍କୁ ବୁଝାଇଥିଲେ ଯେ ଘଟଣା ନାଳ ଧସିବା କାରଣରୁ ହୋଇଛି। କାହିଁକି ନା, ଏହି ରାସ୍ତା ନାଳ ଉପରେ ହିଁ ତିଆରି ହୋଇଥିଲା।

ବର୍ତ୍ତମାନ ପୋଲିସ ଟିମ୍‌ ଘଟଣାସ୍ଥଳରେ ଉପସ୍ଥିତ ଥିବାବେଳେ ନଗର ନିଗମର ଅଧିକାରୀମାନେ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ରାସ୍ତା ଧସିବା ପରେ ଲୋକମାନେ ଗାଡ଼ିଗୁଡ଼ିକୁ ଉଦ୍ଧାର କରିବାରେ ଲାଗିଛନ୍ତି। ଘଟଣାସ୍ଥଳରେ ଅନେକ ଲୋକ ଜମା ମଧ୍ୟ ହୋଇଛନ୍ତି। ଏବେ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Leave A Reply

Your email address will not be published.