ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ମିିଳିଲା ଜାମିନ୍, ଦୁଇ ପତ୍ର ନିର୍ବାଚନୀ ଚିହ୍ନ ମାମଲାରେ ଆଶ୍ୱସ୍ତି

ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । କୋର୍ଟ ସୁକେଶଙ୍କୁ ଦୁଇ ପତ୍ର ନିର୍ବାଚନୀ ଚିହ୍ନ ମାମଲାରେ ନିୟମିିତ ଜାମିନ୍ ପ୍ରଦାନ କରିଛନ୍ତି । କିନ୍ତୁ ବର୍ତ୍ତମାନ ସେ ଜେଲ୍ରେ ରହିବେ । କାରଣ, ସୁକେଶଙ୍କୁ ଏବେ ଇଡିର ପିଏମ୍ଏଲ୍ଏ ଏବଂ ଦିଲ୍ଲୀ ପୋଲିସର ଏମ୍କୋକା ମାମଲାରେ ଜାମିନ୍ ମିଳିନାହିଁ । ତେଣୁ ସେ ଜେଲ୍ରେ ହିଁ ରହିବେ ।
ସୂଚନାଥାଉ କି, ସୁକେଶ ଚନ୍ଦ୍ରଶେଖର, ଦିନାକରନ ଏବଂ ଅନ୍ୟମାନଙ୍କ ଉପରେ ପୋଲିସ ଅଭିଯୋଗ କରିଥିଲା ଯେ ସେମାନେ ନିର୍ବାଚନ ଆୟୋଗର କିଛି ଅଧିକାରୀଙ୍କୁ ଲାଞ୍ଚ ଦେବା ପାଇଁ ଅପରାଧିକ ଷଡଯନ୍ତ୍ର ରଚିଥିଲେ । ଭିକେ ଶଶିକଳାଙ୍କ ନେତୃତ୍ୱାଧୀନ ଏଆଇଏଡିଏମ୍କେ ଦଳ ପାଇଁ ‘ଦୁଇଟି ପତ୍ର’ ନିର୍ବାଚନ ଚିହ୍ନ ପାଇବାକୁ ଅଭିଯୁକ୍ତ ଦିନାକରନ ଅଧିକାରୀମାନଙ୍କୁ ଲାଞ୍ଚ ଦେବାକୁ ଚେଷ୍ଟା କରୁଥିଲେ । ତାଙ୍କୁ ମଧ୍ୟ ଜାମିନ୍ ମିଳିସାରିଛି ।
୭୦୧ ପୃଷ୍ଠାର ଚାର୍ଜସିଟ୍ରେ ପୋଲିସ ଦାବି କରିଥିଲା କି, ଚନ୍ଦ୍ରଶେଖରଙ୍କଠାରୁ ଉଦ୍ଧାର ପଇସାକୁ ଦିନାକରନ ଅନ୍ୟ ଅଭିଯୁକ୍ତମାନଙ୍କ ସହାୟତାରେ ଅସଂଖ୍ୟ ଚ୍ୟାନେଲ ମାଧ୍ୟମରେ ପଠାଇଥିଲେ । ଦିଲ୍ଲୀ ପୋଲିସ ଏହି ମାମଲା ୨୦୧୭ରେ ପଞ୍ଜିକୃତ କରିଥିଲା ।
ତେବେ ଅନ୍ୟ ମାମଲାରେ ସୁକେଶ ଚନ୍ଦ୍ରଶେଖର ନ୍ୟାୟିକ ହେପାଜତରେ ହିଁ ରହିବେ । ସୁକେଶ ୨୦୦ କୋଟି ଟଙ୍କା ଠକେଇ ମାମଲାର ଅଭିଯୁକ୍ତ । ବର୍ତ୍ତମାନ ସେ ତିହାର ଜେଲ୍ରେ ଅଛନ୍ତି ।