କେବେ ସୁସ୍ଥ ହେବେ ସୁନୀତା ୱିଲିୟମ୍ସ ! କଥା କହିବା ଓ ଚାଲିବା ସହ ଅନେକ ସମସ୍ୟାର କରିବେ ସାମ୍ନା

କେବେ ସୁସ୍ଥ ହେବେ ସୁନୀତା ୱିଲିୟମ୍ସ । ମହାକାଶରେ ୨୮୬ ଦିନ ବିତାଇଥିବାରୁ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ସହିତ ଖାପ ଖୁଆଇବା ପାଇଁ ମହାକାଶଚାରୀମାନଙ୍କୁ ୪୫ ଦିନ ଚିକିତ୍ସକମାନଙ୍କ ସ୍ବତନ୍ତ୍ର ନିରୀକ୍ଷଣରେ ରଖାଯିବ। କାରଣ ଲମ୍ବା ସମୟ ଧରି ମହାକାଶରେ ରହିବାରୁ ମହାକାଶଚାରୀଙ୍କ ଶରୀରରେ ଗଭୀର ପ୍ରଭାବ ପଡ଼ିଥାଏ । ଫଳରେ ସେମାନଙ୍କୁ ସ୍ବାଭାବିକ ହେବା ଲାଗି କିଛି ମାସ ସମୟ ଲାଗିଥାଏ ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ମହାକାଶରେ ଦୀର୍ଘ ସମୟ ବିତାଇବା ପରେ ମହାକାଶଚାରୀଙ୍କ ଶରୀରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳେ । ମହାକାଶରେ ମାଧ୍ୟାକର୍ଷଣ ଶକ୍ତି ନଥିବାରୁ ସେମାନେ ଭାସିବାକୁ ଲାଗନ୍ତି । ଏଥିଲାଗି ମହାକାଶଚାରୀଙ୍କ ମାଂସପେଶୀ ଦୁର୍ବଳ ହୋଇଯାଏ । ଏହି କାରଣରୁ ମହାକାଶଚାରୀଙ୍କୁ ବସିବା ଉଠିବା, ଚାଲିବା, ଦେଖିବାରେ ମଧ୍ୟ ସମସ୍ୟା ହୋଇଥାଏ ।   ନାସା ମହାକାଶଚାରୀ ଲେରଏ ଚିଆଓ କହିଛନ୍ତି ଯେ ସୁନୀତା ୱିଲିୟମ୍ସ ଏବଂ ବଚ୍‌ ୱିଲମୋର ପୃଥିବୀକୁ ଆସିବା ପରେ ଚାଲିବାରେ ସମସ୍ୟା ହୋଇଥାଏ, ଯାହାକୁ ‘Baby Feet’ କୁହାଯାଏ । ଯେତେବେଳେ ଜଣେ ବ୍ୟକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ମହାକାଶରେ ରହେ, ସେତେବେଳେ ତାଙ୍କ ପାଦ ଉପର ମୋଟା ଚର୍ମ ନଷ୍ଟ ହୋଇଯାଏ । ଫଳରେ ସେମାନଙ୍କର ଗୋଡ ଛୋଟ ପିଲାମାନଙ୍କ ପରି ନରମ ଏବଂ ଦୁର୍ବଳ ହୋଇଯାଏ । ମାଧ୍ୟାକର୍ଷଣର ଅଭାବ ଯୋଗୁଁ ଗୋଡ଼ ଦୁର୍ବଳ ହୋଇଯାଏ ଏବଂ ଚାଲିବା ଓ ସନ୍ତୁଳନ ବଜାୟ ରଖିବାରେ ଅସୁବିଧା ହୋଇଥାଏ ।

ଅନ୍ୟପଟେ ‘ନାସା’ ମହାକାଶଚାରୀମାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଗୁରୁତ୍ବର ସହ ନିରୀକ୍ଷଣ କରୁଛି । ୪୫ ଦିନ ଧରି ହ୍ୟୁଷ୍ଟନ ସ୍ଥିତ ଜନସନ ମହାକାଶ କେନ୍ଦ୍ରରେ ପର୍ଯ୍ୟବେକ୍ଷଣରେ ରହିବେ ସୁନୀତାଙ୍କ ସମେତ ୪ ମହାକାଶଚାରୀ । ସେମାନଙ୍କ ଶରୀରର ଓଜନ ହ୍ରାସ ପାଇବା ସହ ମାଂସପେଶୀ ଦୁର୍ବଳ ହୋଇଯାଇଛି । ଏଥିଯୋଗୁ ସେମାନଙ୍କଠାରେ ଦୃଷ୍ଟିଶକ୍ତି ହ୍ରାସ, ମାଂସପେଶୀ ଓ ଅସ୍ଥି ଦୁର୍ବଳ ସହିତ ହୃଦ୍ ଜନିତ ସମସ୍ୟା,ଚାଲିବାରେ ସମସ୍ୟା,କଥା କହିବାରେ ସମସ୍ୟା, ରୋଗ ପ୍ରତିରୋଧକ ଶକ୍ତି ହ୍ରାସ, ମାନସିକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ।

ଉଲ୍ଲେଖଯୋଗ୍ୟ, ଭାରତୀୟ ସମୟ ମଙ୍ଗଳବାର ପୂର୍ବାହ୍ଣ ୧୦ଟା ୩୫ରେ ଡ୍ରାଗନ୍ କ୍ୟାପ୍ ସୁଲ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ପୃଥିବୀ ଅଭିମୁଖେ ବାହାରିଥିଲା ।  ୧୭ ଘଣ୍ଟା ଅନ୍ତରୀକ୍ଷରେ ଯାତ୍ରା କରିବା ପରେ ଡ୍ରାଗନ୍ କ୍ୟାପ୍ ସୁଲ ଜଳାବତରଣ କରିଥିଲା । ମହାକାଶ କେନ୍ଦ୍ରରେ ୯ ମାସରୁ ଅଧିକ ସମୟ ଧରି ଫସି ରହିଥିବା ଭାରତୀୟ-ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲ୍ ମୋର ବୁଧବାର ଭାରତୀୟ ସମୟ ଭୋର ୩ଟା ୨୭ ମିନିଟ୍ ରେ ଫ୍ଲୋରିଡା ନିକଟ ସମୁଦ୍ରରେ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି ।  ସେମାନଙ୍କ ସହିତ ଆଉ ଦୁଇ ମହାକାଶଚାରୀ ନିକ୍ ହେଗ୍ ଓ ଆଲେକଜାଣ୍ଡର ଗ୍ରିବୟୋଙ୍କି ମଧ୍ୟ ପୃଥିବୀକୁ ଫେରିଛନ୍ତି ।  ସେମାନଙ୍କର ଅବତରଣ ବେଳର ଦୃଶ୍ୟ ବିଜ୍ଞାନପ୍ରେମୀଙ୍କ ମଧ୍ୟରେ ରୋମାଞ୍ଚ ସୃଷ୍ଟି କରିଛି । ଏଥିସହିତ ମହାକାଶଚାରୀଙ୍କୁ ସୁରକ୍ଷିତ ଅବତରଣକୁ ନେଇ ରହିଥିବା କଳ୍ପନାଜଳ୍ପନା ଓ ଆଶଙ୍କାର ଅବସାନ ଘଟିଛି ।  ISSରେ ୯ ମାସ ରହଣୀ ମଧ୍ୟରେ ପ୍ରାୟ ୧୫୦ଟି ପରୀକ୍ଷଣ କରିଛନ୍ତି ସୁନୀତା । ଏହି ପରୀକ୍ଷଣ ମହାକାଶ ବିଜ୍ଞାନକୁ ନୂଆ ଦିଗନ୍ତ ପ୍ରଦର୍ଶନ କରିବ ।

 

ଆହୁରି ପଢ଼ନ୍ତୁ : ସୁନୀତା ୱିଲିୟମ୍ସ ଫେରିବାକୁ ନେଇ ଖୁସି ହେଲେ ମୋଦି, ପୁରୁଣା ଫଟୋ ସେୟାର କରି ଲେଖିଲେ ଏମିତି