ସ୍କୁଲରେ ଯୌନ ଶିକ୍ଷା ପାଠ୍ୟକ୍ରମ ଆରମ୍ଭ କରିବାକୁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ସ୍କୁଲଗୁଡିକରେ ଯୌନ ଶିକ୍ଷା ପାଠ୍ୟକ୍ରମ ଆରମ୍ଭ କରିବାକୁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ । ଉପଯୁକ୍ତ ଯୌନ ଶିକ୍ଷା ଓ ସଚେତନତା ଅଭାବରୁ ପିଲାମାନେ କୌତୂହଳବଶତଃ ଇଣ୍ଟରନେଟ ପ୍ରତି ଆକୃଷ୍ଟ ହେଉଛନ୍ତି । ଇଣ୍ଟରନେଟରୁ ସେମାନେ ଅବାଧ ଓ ଅବାଞ୍ଛିତ ସୂଚନା ପାଉଛନ୍ତି । ଯାହା ସେମାନଙ୍କ ମନରେ ଅସ୍ୱାସ୍ଥ୍ୟକର ଯୌନ ବ୍ୟବହାରର ମଂଜି ବୁଣୁଛି ବୋଲି କହିଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ଜେବି ପାରଦିୱାଲାଙ୍କ ଖଣ୍ଡପୀଠ ।
ଚାଇଲ୍ଡ ପର୍ଣ୍ଣ ସମ୍ପର୍କିତ ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ଖାରଜ କରିବା ସହ ଇଣ୍ଟରନେଟରେ ଚାଇଲ୍ଡ ପର୍ଣ୍ଣ ଦେଖିବାକୁ ମଧ୍ୟ ପୋକ୍ସୋ ଆଇନର ଧାରା ୧୫ ଅନ୍ତର୍ଗତ ଦଣ୍ଡନୀୟ ବୋଲି ମତ ଦେଇଛନ୍ତି । ନିଜ ରାୟରେ ଖଣ୍ଡପୀଠ ଦେଶରେ ବିସ୍ତୃତ ଯୌନ ଶିକ୍ଷା ପାଠ୍ୟକ୍ରମ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛନ୍ତି ।
ଏପରି ପାଠ୍ୟକ୍ରମ ଯୁବପୀଢିଙ୍କ ମଧ୍ୟରେ ସଂକୀର୍ଣ୍ଣତା ସୃଷ୍ଟି କରିବା ସହ ବେପରୱା ମନୋଭାବ ବଢାଇବ ବୋଲି ଭୁଲ ଧାରଣା ରହିଛି । ସେହିପରି ଯୌନ ସ୍ୱାସ୍ଥ୍ୟ ଏବଂ ଗର୍ଭନିରୋଧକ ସମ୍ପର୍କରେ ଜାଣିଲେ ଯୁବପୀଢିଙ୍କ ମଧ୍ୟରେ ଯୌନ କାର୍ଯ୍ୟକଳାପ ବୃଦ୍ଧି ପାଇବ ବୋଲି କିଛି ଲୋକ ମତ ଦେଉଛନ୍ତି । ତେବେ ଏହା ଭୁଲ ଧାରଣା ବୋଲି ଖଣ୍ଡପୀଠ ମତ ଦେଇଛନ୍ତି ।
ସେହିପରି ଯୌନ ଶିକ୍ଷାକୁ ପାଶ୍ଚାତ୍ୟ ବୋଲି ଚିତ୍ରଣ କରାଯିବା ସହ ଏଥିରେ ପାରମ୍ପରିକ ଭାରତୀୟ ମୂଲ୍ୟବୋଧ ନାହିଁ ବୋଲି କୁହାଯାଉଛି। ଏହି ମନୋଭାବ ଯୋଗୁଁ ବହୁ ରାଜ୍ୟ ସରକାର ସ୍କୁଲଗୁଡିକରେ ଯୌନ ଶିକ୍ଷା ପାଠ୍ୟକ୍ରମ ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି। ଫଳରେ କିଶୋରକିଶୋରୀମାନେ ନିଜ ମନରେ ଥିବା କୌତୂହଳକୁ ଇଣ୍ଟରନେଟରେ ଖୋଜିବାକୁ ଚେଷ୍ଟା କରୁଛନ୍ତି। ଯାହା ଶିକ୍ଷା ଦେବା ପରିବର୍ତ୍ତେ ସେମାନଙ୍କ ମନରେ ଅସ୍ୱାସ୍ଥ୍ୟକର ଯୌନ ବ୍ୟବହାରର ମଂଜି ବୁଣୁଛି ବୋଲି ଖଣ୍ଡପୀଠ ମତ ଦେଇଛନ୍ତି।