ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ସରକାରୀ ବାସଭବନରେ ନିଆଁ, ମିଳିଲା ବିପୁଳ ଟଙ୍କା, ବଦଳି ପାଇଁ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ

ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ସରକାରୀ ବଙ୍ଗଳାରେ ନିଆଁ । ଆଉ ନିଆଁ ଲାଗିବା ପରେ ବଙ୍ଗଳାରୁ ବିପୁଳ ପରିମାଣର ଟଙ୍କା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହି ଘଟଣା ପରେ ତାଙ୍କ ଉପରେ ଦ୍‌ଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସଂପୃକ୍ତ ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି ପାଇଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟଙ୍କ କଲେଜିୟମ ।

ଅଗ୍ନିକାଣ୍ଡ ଖବର ପାଇ ଅଗ୍ନିଶମ ଟିମ୍ ପହଞ୍ଚିଥିଲେ । ନିଆଁକୁ ନିୟନ୍ତ୍ରଣ କରିବା ସମୟରେ ବିଚାରପତିଙ୍କ ଘରୁ ଠାବ ହୋଇଥିଲା ବିପୁଳ ଟଙ୍କା । ଏତେ ମାତ୍ରାରେ ନଗଦ ଟଙ୍କା ଦେଖି ପୋଲିସ ଏବଂ ଅଗ୍ନିଶମ ବାହିନୀ ତାଜୁବ୍ ହୋଇଯାଇଥିଲେ । ଏନେଇ ତୁରନ୍ତ ସିଜେଇ ସଞ୍ଜିବ ଖାନ୍ନାଙ୍କୁ ସୂଚନା ଦିଆଯାଇଥିଲା । ସିଜେଇ ମାମଲାକୁ ଗୁରୁତ୍ଵ ଦେଇ ତୁରନ୍ତ କଲେଜିୟମ୍ ବୈଠକ ଡାକିଥିଲେ ।

ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନେତୃତ୍ବରେ ସୁପ୍ରିମକୋର୍ଟଙ୍କ କଲେଜିୟମ ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ସମ୍ପର୍କରେ ଏଭଳି ରିପୋର୍ଟ ପାଇବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଜଷ୍ଟିସ ଯଶୱନ୍ତ ବର୍ମାଙ୍କୁ ତାଙ୍କ ମୂଳ କୋର୍ଟ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯାଇଛି ।

୨୦୨୧ ଅକ୍ଟୋବର ମାସରେ ଜଷ୍ଟିସ ଯଶୱନ୍ତ ବର୍ମା ଦିଲ୍ଲୀ ହାଇକୋର୍ଟ ବିଚାରପତି ଭାବେ ଯୋଗ ଦେଇଥିଲେ । କଲେଜିୟମର କିଛି ସଦସ୍ୟ ଜଷ୍ଟିସ ବର୍ମାଙ୍କ ବଦଳି ପର୍ଯ୍ୟାପ୍ତ ନୁହେଁ ଏବଂ ତାଙ୍କୁ ବହିଷ୍କୃତ କରାଯିବା ଉଚିତ ବୋଲି କଲେଜିୟମରେ ମତ ରଖିଥିଲେ । କଲେଜିୟମର ମତାମତ ଅନୁସାରେ ଏକ ଇନ ହାଉସ କମିଟି ଗଠିତ ହୋଇ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ସେପଟେ ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ବହୁ ବରିଷ୍ଠ ଆଇନ ବିଶାରଦ ମତ ରଖିବା ଆରମ୍ଭ କରିଛନ୍ତି ।

ରାଜ୍ୟସଭା ସାଂସଦ ବରିଷ୍ଠ ଆଇନଜୀବୀ କପିଲ ଶିବଲ କହିଛନ୍ତି ନ୍ୟାୟପାଳିକାରେ ଦୁର୍ନୀତି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ବିଚାରପତି ନିଯୁକ୍ତି ସମୟରେ ସୁପ୍ରିମକୋର୍ଟ କଲେଜିୟମ ଏଥିପ୍ରତି ସତର୍କ ହେବା ଆବଶ୍ୟକ । ଏହା ଏକ ଗମ୍ଭୀର ବିଷୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ ବାର ଆସୋସିଏସନ୍ ର ପୂର୍ବତନ ସଭାପତି ବିକାଶ ସିଂ।

Also Read : ଜାତୀୟ ସଂଗୀତ ଗାନ ବେଳେ ଅଭିବାଦନ କଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଭିଡିଓ ଭାଇରଲ