ସୁପ୍ରିମ୍‌କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ଶୁଣାଣି, ଛାଡ଼ପତ୍ର ଓ ଭରଣପୋଷଣ ପାଇଁ ୮ ସୂତ୍ରୀ ଫର୍ମୁଲା

ବେଙ୍ଗାଲୁରୁରେ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ମୃତ୍ୟୁ ଚର୍ଚ୍ଚା ଚାଲିଥିବା ବେଳେ ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଛାଡ଼ପତ୍ର ଓ ଭରଣ ପୋଷଣ ପାଇଁ ୮ ସୂତ୍ରୀ ଫର୍ମୁଲା ନର୍ଦ୍ଧାରିତ କରିଛନ୍ତି ସୁପ୍ରିମକୋର୍ଟ । ଶାଶୂଘର ଲୋକଙ୍କ ଦ୍ୱାରା ମହିଳାମାନଙ୍କୁ ନିର୍ଯାତନାରୁ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ଆଇନର ଅପବ୍ୟବହାର ବୃଦ୍ଧି ପାଉଥିବା ଦର୍ଶାଇ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି।

ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ପିଭି ବରାଲେଙ୍କ ବେଞ୍ଚ ଛାଡ଼ପତ୍ର ଓ ଭରଣପୋଷଣ ରାଶି ଉପରେ ନିଷ୍ପତ୍ତି ଦେବା ବେଳେ ଦେଶର ସମସ୍ତ କୋର୍ଟଙ୍କୁ ଏହି ୮ ସୂତ୍ରୀ ଫର୍ମୁଲା ଅନୁଯାୟୀ ବିଚାର ଶୁଣାଇବାକୁ କହିଛନ୍ତି । ଏଥିରେ ଦର୍ଶାଯାଇଥିବା କାରଣ ଉପରେ ଆଧାର କରି ନିର୍ଦ୍ଦେଶ ଦେବାକୁ ପରାମର୍ଶ ଦେଇଛନ୍ତି । କୋର୍ଟ କହିଛନ୍ତି, ଏଣିକି ଭରଣପୋଷଣ ଶୁଣାଣି ବେଳେ ସ୍ବାମୀ ଏବଂ ସ୍ତ୍ରୀର ଏସବୁ ବିଷୟରେ ତଦାରଖ କରାଯିବ ।

ସୁପ୍ରିମ୍‌କୋର୍ଟଙ୍କ ୮ ସୂତ୍ରୀ ଫର୍ମୁଲା :

– ସ୍ୱାମୀ ଏବଂ ସ୍ତ୍ରୀର ସାମାଜିକ ଏବଂ ଅର୍ଥନୈତିକ ସ୍ଥିତି ।
– ଭବିଷ୍ୟତରେ ପତ୍ନୀ ଏବଂ ପିଲାମାନଙ୍କର ମୌଳିକ ଆବଶ୍ୟକତା ।
– ଉଭୟ ପକ୍ଷର ଯୋଗ୍ୟତା ଏବଂ ରୋଜଗାର, ଆୟ ଏବଂ ସମ୍ପତ୍ତିର ଉତ୍ସ ।
– ତାଙ୍କ ଶାଶୂଘରେ ରହୁଥିବା ସମୟରେ ପତ୍ନୀଙ୍କ ଜୀବନଧାରଣ ମାନ ।
– ସେ ପରିବାରର ଯତ୍ନ ନେବା ପାଇଁ ଚାକିରି ଛାଡ଼ିଛନ୍ତି କି ?
– କାମ କରୁନଥିବା ପତ୍ନୀଙ୍କ ପାଇଁ ଆଇନଗତ ଯୁଦ୍ଧ ପାଇଁ ଯୁକ୍ତିଯୁକ୍ତ ପରିମାଣ
– ରକ୍ଷଣାବେକ୍ଷଣ ଭତ୍ତା ସହିତ ସ୍ୱାମୀଙ୍କ ଆର୍ଥିକ ସ୍ଥିତି
– ରୋଜଗାର ଏବଂ ଅନ୍ୟାନ୍ୟ ଦାୟିତ୍ୱ କ’ଣ ହେବ ?

ସୂଚନାଯୋଗ୍ୟ, ବେଙ୍ଗାଲୁରୁର AI ଇଞ୍ଜିନିୟର ଅତୁଲ ସୁଭାଷ ମୃତ୍ୟୁ ପୂର୍ବରୁ ଏକ ଭିଡିଓ ସୁଟ୍‌ କରିଥିଲେ । ୮୦ ମିନିଟରେ ଏକ ଭିଡିଓ ବନାଇ ସେହି ସବୁ କଥା କହିଥିଲେ ।  ତେବେ ମୃତ୍ୟୁ ପରେ ପୋଲିସ ଘଟଣାସ୍ଥଳରୁ ୨୪ ପୃଷ୍ଠାର ଏକ ସୁଇସାଇଡ୍ ନୋଟ ଜବତ କରିଛି ।  କେମିତି ପତ୍ନୀ ଓ ତାଙ୍କ ସର୍ମ୍ପକୀୟଙ୍କଠୁ ଦୀର୍ଘଦିନ ଧରି ନିର୍ଯାତନା ସହୁଥିଲେ ? ତାଙ୍କ ମୃତ୍ୟୁ ପରେ ପରିବାର, ପୁଅ ସମ୍ଭାଳିବା ସହ ନ୍ୟାୟ ଦେବାକୁ ଏମିତି ଅନେକ କଥା ଭିଡିଓରେ ରେକର୍ଡିଂ କରିଥିଲେ ଅତୁଲ ସୁଭାଷ । ନିଜ ସନ୍ତାନକୁ ପତ୍ନୀଙ୍କ ନିକଟରୁ ଆଣି ତାଙ୍କ ପରିବାର ଲୋକଙ୍କୁ ଦେବାକୁ ଇଛା ପ୍ରକାଶ କରିଛନ୍ତି । ବିନା କ୍ୟାମେରାରେ ନିକିତାଙ୍କୁ ନଭେଟିବାକୁ ଅତୁଲ ନିଜ ପିତାମାତାଙ୍କୁ ଅନୁରୋଧ କରିଛନ୍ତି । ତାଙ୍କୁ ନିର୍ଯାତନା ଦେଇଥିବା ପ୍ରତ୍ୟେକ ବ୍ୟକ୍ତି ଦଣ୍ଡ ନପାଇବା ପର୍ଯ୍ୟନ୍ତ ଅସ୍ଥି ବିସର୍ଜନ ନକରିବାକୁ ସେ ପରିବାରଲୋକଙ୍କୁ ଅନୁରୋଧ କରିଛନ୍ତି । ଆବଶ୍ୟକ ପଡିଲେ ତାଙ୍କ ଅସ୍ଥିକୁ ଅଦାଲତ ବାହାରେ ଥିବା ନାଳରେ ଭସାଇଦେବାକୁ ସେ ଅନୁରୋଧ କରିଛନ୍ତି ।