ସବୁଦିନ ପାଇଁ ବନ୍ଦ ହୋଇଗଲା Jet Airways, ସମ୍ପତ୍ତି ବିକ୍ରି ପାଇଁ ଆଦେଶ ଦେଲେ ସୁପ୍ରିମକୋର୍ଟ
ସଙ୍କଟରେ ଜୁଝି ହେଉଥିବା ଏୟାରଲାଇନ୍ ‘ଜେଟ୍ ଏୟାରୱେଜ’କୁ ପୂର୍ବରୁ ହିଁ ବନ୍ଦ କରି ଦିଆଯାଇଥିଲା । ଏବେ ସୁପ୍ରିମକୋର୍ଟ ଏହାର ସମ୍ପତ୍ତି ବିକ୍ରି ପାଇଁ ଆଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ଆଜି ନଭେମ୍ବର ୭ରେ ଏୟାରଲାଇନକୁ ଲିକ୍ୱିଟେଡ୍ କରିବାକୁ ଅର୍ଥାତ୍ ସମ୍ପତ୍ତି ବିକ୍ରି କରିବାକୁ ଆଦେଶ ଦେଇଛନ୍ତି । ଦେଶର ସର୍ବୋଚ୍ଚ ଅଦାଲତ ନ୍ୟାସନାଲ କମ୍ପାନୀ ଲ’ ଆପିଲେଟ୍ ଟ୍ରିବ୍ୟୁନାଲ (NCLAT)ର ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି ।
ଜେଟ୍ ଏୟାରୱେଜକୁ ପୁଣିଥରେ ଆରମ୍ଭ କରିବାକୁ ଅନେକ ଚେଷ୍ଟା କରାଯାଇଥିଲା, କିନ୍ତୁ ସୁପ୍ରିମକୋର୍ଟ ଏବେ ଯେଉଁ ନିଷତ୍ତି ଶୁଣାଇଛନ୍ତି, ସେଥିରୁ ସବୁ ପ୍ରକାରର ସମ୍ଭାବନା ଉପରେ ବିରାମ ଲାଗିଛି । ଏୟାରଲାଇନର ଅସ୍ତିତ୍ୱ ଏବେ କେବଳ ଇତିହାସର ପୁସ୍ତକରେ ହିଁ ଦେଖାଯିବ ।
ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଜେ.ବି. ପାରଦୀୱାଲା ଓ ଜଷ୍ଟିସ୍ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଜେଟ୍ ଏୟାରୱେଜ ମାମଲାରେ ଏହାର ଲିକ୍ୱିଡେସନ ନିଷ୍ପତ୍ତି ଶୁଣାଇଛନ୍ତି । କୌଣସି କମ୍ପାନୀର ଲିକ୍ୱିଡେସନ ହେଉଛି ଏହାର ଆସେଟ୍ସ ବିକ୍ରି କରି ଏହାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ।
ପ୍ରକୃତରେ, ଜେଟ୍ ଏୟାରୱେଜକୁ ପୁଣିଥରେ ଆରମ୍ଭ କରିବା ପାଇଁ ଜାଲାନ କଲରକ୍ କନସୋର୍ଟିୟମ୍ (JKC) ଟ୍ରିବ୍ୟୁନାଲ ନିକଟରେ ସମାଧାନ ଯୋଜନା ଉପସ୍ଥାପନ କରିଥିଲା । ଏହି ରିଜୋଲ୍ୟୁସନ ପ୍ଲାନକୁ ବଜାୟ ରଖିବା ଏବଂ ଜେଟ୍ ଏୟାରୱେଜର ମାଲିକାନାକୁ JKCକୁ ହସ୍ତାନ୍ତର କରିବା ପାଇଁ ଟ୍ରିବ୍ୟୁନାଲ ଏକ ନିଷ୍ପତ୍ତି ଶୁଣାଇଥିଲେ, ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।