ତାଜମହଲର ପ୍ରକୃତ ଇତିହାସ ଜାଣିବା ମାମଲାର ଶୁଣାଣି ପାଇଁ ମନା କଲେ ସୁପ୍ରିମ୍‌କୋର୍ଟ, ଆବେଦନ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀର ଆଗ୍ରାସ୍ଥିତ ତାଜମହଲର ପ୍ରକୃତ ଇତିହାସ ଜାଣିବା ପାଇଁ ତଥା ତାଜମହଲର କୋଠରୀ ଖୋଲିବାକୁ ନେଇ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ମାମଲାର ଶୁଣାଣି କରିବାକୁ କୋର୍ଟ ମନା କରି ଦେଇଛନ୍ତି। ଆବେଦନକାରୀଙ୍କ ମାମଲାକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ଆବେଦନର ଶୁଣାଣି ପାଇଁ ମନା କରି କୋର୍ଟ କହିଛନ୍ତି, ଏହା ଏକ ପବ୍ଲିସିଟି କେସ୍‌। ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିବାରେ ହାଇକୋର୍ଟ କୌଣସି ଭୁଲ୍‌ କରିନାହନ୍ତି। ଜଷ୍ଟିସ ଏମ୍‌ଆର ଶାହା ଏବଂ ଜଷ୍ଟିସ ଏମ୍‌ଏମ୍‌ ସୁଦର୍ଶନଙ୍କ ଏକ ବେଞ୍ଚ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।

ଆବେଦନରେ କୁହାଯାଇଥିଲା କି ଶାହାଜାହାନଙ୍କ ତାଜମହଲ ନିର୍ମାଣ କରିଥିବା କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। ସତ୍ୟ ଏବଂ ତଥ୍ୟ ଜାଣିବା ପାଇଁ ତାଜମହଲର କୋଠରୀ ଖୋଲିବାକୁ ଅନୁରୋଧ କରାଯାଇଥିଲା। ଏହି ଦାବି ସମ୍ପର୍କରେ ଡ. ରଜନୀଶ ସିଂ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ପ୍ରତ୍ନତତ୍ତ୍ୱ ବିଭାଗ ସହିତ କଥା ହେବାକୁ କହିଥିଲେ। ତୁମେ ଏଠାକୁ କାହିଁକି ଆସିଛ ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ଏହା ଉପରେ ଆବେଦନକାରୀଙ୍କ ଓକିଲ ବରୁଣ ସିହ୍ନା କହିଛନ୍ତି, ଆମେ ପ୍ରତ୍ନତତ୍ତ୍ୱ ବିଭାଗକୁ ମଧ୍ୟ ଜଣାଇଛୁ। ତାଜମହଲର ଇତିହାସ ବିଷୟରେ କୌଣସି ସ୍ପଷ୍ଟତା ନାହିଁ। ଏହା ରାଜ ମାନସିଂହଙ୍କ ପ୍ରାସାଦ ଥିଲା। ଏହାର ବାସ୍ତବତା ସାମ୍ନାକୁ ଆସିବା ଉଚିତ୍‌। ସୁପ୍ରିମକୋର୍ଟ କହିଛନ୍ତି ଯେ ଆପଣ କହିପାରିବେନି କି ଏହି ତଥ୍ୟ ଭୁଲ। ଆପଣ ସରକାର ପାଖକୁ ଯାଇ ପ୍ରତିନିଧିତ୍ୱ କରନ୍ତୁ। ଆପଣ ପ୍ରତ୍ନତତ୍ତ୍ୱ ବିଭାଗକୁ ମଧ୍ୟ ଯାଆନ୍ତୁ।
ସୁରଜିତ ସିଂ ଯାଦବ ତାଙ୍କ ଆବେଦନରେ ତାଜମହଲର ପ୍ରକୃତ ବୟସ ନିର୍ଣ୍ଣୟ କରିବାକୁ ଏବଂ ମୋଗଲ ଯୁଗର ସ୍ମାରକୀ ନିର୍ମାଣ ପଛରେ ସଠିକ ଐତିହାସିକ ତଥ୍ୟ ଆଣିବାକୁ ଚେଷ୍ଟା କରିଥିଲେ। ସ୍ମାରକପତ୍ର ପୂର୍ବରୁ ସେଠାରେ କ’ଣ ରହିଛି, ତାହା ଜାଣିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ କୁହାଯାଇଛି।

ଆବେଦନ ମୁତାବକ, ତାଜମହଲ ୧୬୩୧ରୁ ୧୬୫୩ ମଧ୍ୟରେ ପତ୍ନୀ ମମତାଜ ମହଲଙ୍କ ପାଇଁ ମୋଗଲ ସମ୍ରାଟ ଶାହଜାହାନ ନିର୍ମାଣ କରିଥିଲେ। ଏହାକୁ ପ୍ରମାଣ କରିବାକୁ କୌଣସି ବୈଜ୍ଞାନିକ ପ୍ରମାଣ ସାମ୍ନାକୁ ଆସିନାହିଁ। ଏହାକୁ ପ୍ରମାଣ କରିବାକୁ ସେ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ।

Also Read: ବଢ଼ିଲା ସୁନା ଦାମ୍ ! ପଢ଼ନ୍ତୁ ଆଜିର ଅପଡେଟ୍